ମଞ୍ଚ ଅଭିନେତ୍ରୀ ସୌଦାମିନୀ ପତିଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ ମଞ୍ଚ ଓ ସିନେ ଅଭିନେତ୍ରୀ ସୌଦାମିନୀ ପତିଙ୍କ ଆଜି ଅପରାହ୍‌ଣ ସାଢ଼େ ୨ଟାରେ ପରଲୋକ ହୋଇଛି। ତାଙ୍କୁ ୭୦ବର୍ଷ ହୋଇଥିଲା। ସେ ଭିଏସ୍‌ଏସ୍ ନଗରସ୍ଥିତ ବାସଭବନରେ ରହୁଥିଲେ। ଆଜି ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ମଞ୍ଚ ଓ ଓଲିଉଡ୍‌ ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି।

ପିତାଙ୍କ ଅକାଳ ବିୟୋଗ ପରେ ବାଲ୍ୟାବସ୍ଥାରୁ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଓଡ଼ିଶା ରଙ୍ଗମଞ୍ଚକୁ ଅଭିନୟ ମାଧ୍ୟମରେ ଚଳଚଞ୍ଚଳ କରି ରଖିଥିଲେ। ମନନ ନାଟ୍ୟସଂସ୍ଥାର ସେ ଥିଲେ ଆଜୀବନ ସଦସ୍ୟା। ୧୯୬୩ରୁ ୧୯୭୦ ପର୍ଯ୍ୟନ୍ତ ସେ ଜନତା ରଙ୍ଗମଞ୍ଚର ଜଣେ ନାମକରା ନାୟିକା ଥିଲେ। ‘ଯୌତୁକ’, ‘ଅଶୋକ ସ୍ତମ୍ଭ’ ଓ ‘ଏମିତି ବି ହୁଏ’ ଭଳି ଶତାଧିକ ମଞ୍ଚ ନାଟକରେ ଅଭିନୟ ସହ ଓଡ଼ିଆ ଚଳଚ୍ଚିତ୍ର ‘ଅମର ପ୍ରେମ’ ଓ ‘ମହାସତୀ ସାବିତ୍ରୀ’ରେ ତାଙ୍କ ଅଭିନୟର ଯାଦୁକୁ ଦର୍ଶକେ କେବେ ବି ଭୁଲି ପାରିବେ ନାହିଁ। ଏହାବ୍ୟତୀତ ଆକାଶବାଣୀ, ଦୂରଦର୍ଶନ ଓ ଭାରତ ସରକାରଙ୍କ ସଙ୍ଗ୍ ଆଣ୍ଡ ଡ୍ରାମା ଡିଭିଜନ୍‌ର ଅନେକ ନାଟକରେ ସେ ଅଂଶଗ୍ରହଣ କରି ଦର୍ଶକଙ୍କ ମନରେ ଏକ ଅଲିଭା ଛାପ ଛାଡ଼ି ଯାଇଛନ୍ତି। ଓଡ଼ିଆ ନାଟକ ଜଗତକୁ ତାଙ୍କର ଅବଦାନ ଅତୁଳନୀୟ।

ସମ୍ବନ୍ଧିତ ଖବର