ଭୁବନେଶ୍ବର: ମୁହଁରେ ରଙ୍ଗ ବୋଳି ମଞ୍ଚରେ ସଂଳାପ କହୁଥିବା ଅଭିନେତାଟିଏ ପାଏ କ’ଣ? କେବଳ ପ୍ରଶଂସା କେଇ ପଦ, କରତାଳି ନା ଆଉ କିଛି? ମଞ୍ଚ ନାଟକର ଅଭିନେତାଟିଏ କେତେ ପାରିଶ୍ରମିକ ପାଏ? ବ୍ୟୟବହୁଳ ସମାଜରେ କେମିତି ତା’ ପରିବାର ପ୍ରତିପୋଷଣ କରେ? ଓଡ଼ିଶାରେ ହାତ ଗଣତି ସଂସ୍ଥାକୁ ଛାଡ଼ିଦେଲେ ମଞ୍ଚ ଅଭିନେତାଙ୍କୁ ପାରିଶ୍ରମିକ ମିଳୁନାହିଁ। ଫଳରେ ଯୁବ ଅଭିନେତାମାନେ ମଞ୍ଚ ନାଟକର ବିକଳ୍ପ ଖୋଜୁଛନ୍ତି। ମଞ୍ଚ ନାଟକରୁ ମୁହଁ ଫେରାଇ ରୋଜଗାର ପାଇଁ ଧାରାବାହିକ, ଚଳଚ୍ଚିତ୍ର ଓ ଅନ୍ୟ ପନ୍ଥା ଆପଣାଉଛନ୍ତି।
ଓଡ଼ିଶାରେ ୨ ଶହରୁ ଅଧିକ ନାଟ୍ୟସଂସ୍ଥା ମଧ୍ୟରୁ କେବଳ ଭୁବନେଶ୍ବରରେ ରହିଛି ୫୦ରୁ ଅଧିକ ନାଟ୍ୟାନୁଷ୍ଠାନ। ନାଟକ ପରିବେଷିତ ହେଉଛି, ହେଲେ ଅଭିନେତାଙ୍କୁ ପାରିଶ୍ରମିକ ମିଳୁନି। କୋଲକାତା, ମୁମ୍ବାଇ, ଦିଲ୍ଲୀରେ ୯୦% ନାଟକକୁ ଦର୍ଶକ ଟିକେଟ୍ କରି ଦେଖୁଛନ୍ତି। ଦିଲ୍ଲୀ ଓ ମୁମ୍ବାଇରେ ସିନେମା ଟିକେଟ୍ ଭଳି ମଞ୍ଚ ନାଟକର ଟିକେଟ୍ ୫୦୦ରୁ ୧ ହଜାର ଟଙ୍କାରେ ବିକ୍ରି ହେଉଛି। ନାଟକରୁ ରୋଜଗାର ହେଉଥିବାରୁ ଅଭିନେତା ଓ ଅଭିନେତ୍ରୀଙ୍କୁ ପାରିଶ୍ରମିକ ମିଳୁଛି। କିନ୍ତୁ ଓଡ଼ିଶାରେ ଏହାର ବ୍ୟତିକ୍ରମ। ଓଡ଼ିଶାରେ ମଞ୍ଚ ନାଟକର କେତେକ ଅଭିନେତ୍ରୀଙ୍କୁ ୫ରୁ ୧୫ ହଜାର ପର୍ଯ୍ୟନ୍ତ ପାରିଶ୍ରମିକ ମିଳୁଛି। ଆଲୋକ ପରିଚାଳକଙ୍କୁ ୩ରୁ ୫ ହଜାର, ସଙ୍ଗୀତ ପାଇଁ ୪ରୁ ୭ ହଜାର, ରୂପସଜ୍ଜା ପାଇଁ ୨ରୁ ୪ ହଜାର ଟଙ୍କା ସହ ପ୍ରେକ୍ଷାଳୟ ଭଡ଼ାଠାରୁ ଆରମ୍ଭ କରି କଳାକାରକୁ ନେବା ଆଣିବା କରୁଥିବା ଗାଡ଼ିଚାଳକଙ୍କୁ ପାରିଶ୍ରମିକ ଦିଆଯାଉଛି। କିନ୍ତୁ ଅଭିନେତାଙ୍କୁ ପାରିଶ୍ରମିକ ଦିଆଯାଉନାହିଁ। ହାତଗଣତି କିଛି ସଂସ୍ଥା ତେଲ ଖର୍ଚ୍ଚ ପାଇଁ ୨ଶହରୁ ୫ ଶହ ଦେଉଥିବା ଦେଖିବାକୁ ମିଳୁଛି।
ଏହି ସମସ୍ୟା ଯୋଗୁ ମଞ୍ଚ ନାଟକ କ୍ଷେତ୍ରରେ ଅଭିନେତାଙ୍କ ଅଭାବ ପଡ଼ୁଛି। ଭୁବନେଶ୍ବରରେ ସଙ୍ଗୀତ ମହାବିଦ୍ୟାଳୟ ଓ ଅନ୍ୟ କିଛି ଅଭିନୟ ଶିକ୍ଷାକେନ୍ଦ୍ରରୁ ଶିକ୍ଷା ଲାଭ କରିବା ପରେ ପ୍ରଥମେ ମଞ୍ଚ ନାଟକ କରିବାକୁ ପସନ୍ଦ କରୁଛନ୍ତି। କେବଳ ଏଥିପାଇଁ କିଛି ରାଜଧାନୀର ନାଟ୍ୟ ସଂସ୍ଥାମାନଙ୍କରେ ଯୁବ ଅଭିନେତା ସଙ୍କଟ କମ୍ ରହିଛି। ହେଲେ ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ବର ଭଳି ସହରରେ ଥିବା ନାଟ୍ୟାନୁଷ୍ଠାନରେ ଯୁବ ଅଭିନେତାଙ୍କ ମରୁଡ଼ି ପଡ଼ିଛି।
ଆର୍ଥିକ ଅଭାବରୁ ଉଚିତ ପାରିଶ୍ରମିକ ଦିଆଯାଇପାରୁନାହିଁ
ଆର୍ଥିକ ଅଭାବରୁ ଅଭିନେତାମାନଙ୍କୁ ଉଚିତ ପାରିଶ୍ରମିକ ଦିଆଯାଇପାରୁନାହିଁ। ଅଭିନେତ୍ରୀଙ୍କୁ ଦିଆଯାଉଥିବା ପାରିଶ୍ରମିକ ମଧ୍ୟ ଯଥେଷ୍ଟ ନୁହେଁ। ଗୋଟିଏ ନାଟକ କଲେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁ କଳାକାରମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଦେଇହେଉନାହିଁ।
ଧୀର ମଲ୍ଲିକ, ସମ୍ପାଦକ, ଶତାବ୍ଦୀର କଳାକାର
ଟିକେଟ୍ ବିକ୍ରି କରି ନାଟକ କରନ୍ତୁ
ନାଟକର ପ୍ରଯୋଜନା ଖର୍ଚ୍ଚ ସରକାରୀ ଅନୁଦାନ ଓ ବିଜ୍ଞାପନରୁ ମିଳୁଥିବା ଟଙ୍କାରୁ ଭରଣା କରାଯାଇଥାଏ। ଅନୁଷ୍ଠାନଗୁଡ଼ିକ ଯଦି ଟିକେଟ ବିକ୍ରି କରି ନାଟକ ପ୍ରଯୋଜନା କରନ୍ତେ, ତେବେ ଅଭିନେତାମାନଙ୍କୁ ମଧ୍ୟ ଟଙ୍କା ଦେଇହୁଅନ୍ତା। ଓଡ଼ିଶା ବ୍ୟତୀତ ଅନ୍ୟସବୁ ରାଜ୍ୟରେ ଟିକେଟ ବିକ୍ରି କରି ନାଟକ କରାଯାଉଛି।
ଦର୍ପ ନାରାୟଣ ସେଠୀ, ନିର୍ଦ୍ଦେଶକ, ରଙ୍ଗମ୍
ଉଭୟ ସରକାର ଓ ନାଟ୍ୟାନୁଷ୍ଠାନମାନେ ଚିନ୍ତା କରନ୍ତୁ
ମୁଁ ‘ଆହେ ନୀଳଶଇଳ’ ଓ ‘ଓଡ଼ିଆ ଦାସ’ ନାଟକ କରିଛି। ଭଲ ପାରିଶ୍ରମିକ ବି ପାଇଛି। ହେଲେ ସବୁ ନାଟକରେ ଯେ ପାରିଶ୍ରମିକ ମିଳିବ ତାର କୌଣସି ସ୍ଥାୟିତ୍ବ ନାହିଁ। ତେଣୁ ନାଟକରେ ଅଭିନୟକୁ ବୃତ୍ତି ବଦଳରେ ନିଶା କରିବାକୁ ପଡ଼ୁଛି। ଅନ୍ୟ ସମସ୍ତେ କିଛି କିଛି ଆର୍ଥିକ ସହାୟତା ପାଉଥିବା ବେଳେ କେବଳ ଅଭିନେତା ହିଁ ବଞ୍ଚିତ ହେବା କଷ୍ଟ ଦେଉଛି। ଏଥିପାଇଁ ଉଭୟ ସରକାର ଓ ନାଟ୍ୟାନୁଷ୍ଠାନମାନେ ଚିନ୍ତା କରିବା ଆବଶ୍ୟକ।
ବିଶ୍ବରଂଜନ ମହାପାତ୍ର, ମଞ୍ଚ ଅଭିନେତା