ମଞ୍ଚସ୍ଥ ହେଲା ‘ପୁଣି ପଳେଇଛି!’

ଭୁବନେଶ୍ୱର: ରାଗରୁଷା, ଅଭିମାନ ଓ ଅନ୍ୟର ପାପ କାର୍ଯ୍ୟ ବେଳେବେଳେ ମଣିଷକୁ ନିଜ ମାଟିଠୁ ଦୂରେଇ ଯିବାକୁ ବାଧ୍ୟ କରେ। କିନ୍ତୁ ଲେଉଟି ଯାଉଥିବା ସେଇ ବ୍ୟକ୍ତିଟି ମନେମନେ ଭାବୁଥାଏ, ତାକୁ କେହି ଟିକେ ପଛରୁ ପୁଣି ଡାକି ଦିଅନ୍ତାନି ? ହେଲେ ସବୁବେଳେ ମଣିଷର ସବୁ ଭାବନା ସତ ହୁଏନି। କେଇ ମୁହୂର୍ତର ଅଭିମାନ ବ୍ୟକ୍ତିକୁ ନେଇଯାଏ ଏକ ଅଜଣା ଜାଗାକୁ। ସେଠି ସେ ହୁଏତ ବଡ଼ ଲୋକ ହୋଇପାରେ। କିନ୍ତୁ ମନ ବୁଝେନି। ମୂଳ ଜାଗାକୁ ଲେଉଟିଯିବାକୁ ମନ ଟାଣେ। ମାତ୍ର ଫେରିଆସିବା ବେଳକୁ ସେଠିକାର ସେଇ ମୁହୂର୍ତର ସ୍ଥିତି ଆଉ ଅତୀତ ମଧ୍ୟରେ ଏକ ବଡ଼ ତଫାତ ହୃଦବୋଧ ହୁଏ। ଅଡ଼ୁଆ ଲାଗେ। ମନ ଖୋଜୁଥିବା ଜିନିଷ ପାଏନି। ଏହିଭଳି ଏକ ଆବେଗ ଭରା ମନସ୍ତତ୍ତ୍ୱକୁ ନେଇ ଆଜି ନୂଆପଲ୍ଲୀ ଭିଆଇପି ଅଞ୍ଚଳସ୍ଥିତ ‘ବିଜୁ ନାଟ୍ୟ କେନ୍ଦ୍ର’ରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ପୁଣି ପଳେଇଛି!’।

ଶତାବ୍ଦୀର କଳାକାର ଅଭିନୟ ସ୍କୁଲ୍‌ର ୨୦ତମ ବ୍ୟାଚ୍‌ ପକ୍ଷରୁ ପରିବେଷିତ ଏହି ନାଟକକୁ ମନୋଜ ମିତ୍ର ରଚନା କରିଥିବା ବେଳେ ଅନୁବାଦ ସହ ନିର୍ଦେଶନା ଦେଇଥିଲେ ଦର୍ପନାରାୟଣ ସେଠୀ। ଡ.ଆଲୋକ ଅଗ୍ନିବେଶ, ଚାରୁ, ପାର୍ଥ, ସଂଗ୍ରାମ, କାର୍ତିକ, ନରେନ୍ଦ୍ର, ଅଶୋକ, ସମୀର, ଅର୍‌ମାନ ବୈଷୟିକ ସହାୟତା ଯୋଗାଇ ଦେଇଥିଲେ। ସନ୍ଧ୍ୟାରେ ନାଟ୍ୟକାର ରବୀନ୍ଦ୍ରନାଥ ଦାସ, ନିର୍ଦେଶକ ଶ୍ରୀମନ ମିଶ୍ର ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଧୀର ମଲ୍ଲିକ ଉପସ୍ଥିତ ଥିଲେ। ଆସନ୍ତାକାଲି ମଧ୍ୟ ଏହି ନାଟକଟି ୨୦ତମ ବ୍ୟାଚ୍‌ର ଆଉ ଗୋଟିଏ ଦଳ ଦ୍ୱାରା ମଂଚସ୍ଥ ହେବ।

ସମ୍ବନ୍ଧିତ ଖବର