ଭୁବନେଶ୍ବର : ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବାବୁସାନ୍ ଓ ତୃପ୍ତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦାମ୍ପତ୍ୟ ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ବିବାଦର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଅଭିନେତା ରବି ମିଶ୍ର। ବାବୁସାନଙ୍କ ପରିବାର ସହ ତାଙ୍କର ଘନିଷ୍ଠତା ଥିବାରୁ ସେ ନିଜ ପକ୍ଷରୁ ଏହି ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଆଜି ସେ ପ୍ରଥମେ ବରମୁଣ୍ଡା ଜଗନ୍ନାଥବିହାରସ୍ଥିତ ବାବୁସାନଙ୍କ ଘରକୁ ଯାଇଥିଲେ। ବହୁ ସମୟ ଧରି ଅପରାଜିତା ଓ ଉତ୍ତମ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ। ପରେ ସେ ସତ୍ୟନଗରସ୍ଥିତ ତୃପ୍ତିଙ୍କ ଘରକୁ ଯାଇ ସେଠାରେ ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ତୃପ୍ତିଙ୍କ ସହ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ। ଦୁଇ ପକ୍ଷଙ୍କ ସହ ହୋଇଥିବା ଆଲୋଚନା ଫଳପ୍ରଦ ହୋଇଛି ବୋଲି ରବି ମିଶ୍ର ସୂଚନା ଦେଇଛନ୍ତି।
ଆଜି ପ୍ରକୃତି ମିଶ୍ର ତାଙ୍କ ଘରର ଛାତ ଉପରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟିଥିଲେ। ଚେନ୍ନାଇରୁ ଫେରିବା ପରେ ପ୍ରଥମ ଥର ପାଇଁ ସେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। କିନ୍ତୁ ଅଧିକ କିଛି ନ କହି କେବଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ଫେରିଯିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ତାଙ୍କ ବାପା ମନ୍ମଥ ମିଶ୍ର କହିଥିଲେ ଯେ ଝଡ଼ ଆସିଛି, ଥମିଯିବ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ସବୁ ବିବାଦର ସମାଧାନ ହୋଇଯାଉ ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ ଏହି ବୁଝାମଣାରୁ ବିବାଦର ସମାଧାନ ହୋଇଯିବ ବୋଲି ବାବୁସାନ୍ ସଂକେତ ଦେଇଛନ୍ତି। ଆସନ୍ତାକାଲି ବାବୁସାନ୍ଙ୍କ ଜନ୍ମଦିନ। ପତ୍ନୀ ତୃପ୍ତି ଓ ଶିଶୁପୁତ୍ର ସହ ସେ ଜନ୍ମଦିନ ପାଳିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଏହି ଉତ୍ସବ ପାଳନ କେଉଁଠି କରିବେ, ସେନେଇ ସେ କିଛି ସ୍ପଷ୍ଟ କରିନଥିଲେ ବି ବରମୁଣ୍ଡା ଜଗନ୍ନାଥବିହାରରେ କିମ୍ବା ପତ୍ନୀ ତୃପ୍ତି ରହୁଥିବା ସତ୍ୟନଗର ଘରେ ସେ ଜନ୍ମଦିନ ପାଳନ କରିବେ ବୋଲି ସୂଚନା ଦେଇଛନ୍ତି। ଏଥିପାଇଁ ତୃପ୍ତି ବରମୁଣ୍ଡା ନ ଆସିପାରିଲେ, ସେ ସତ୍ୟନଗର ଯିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/babusan65.jpg)