ଭୁବନେଶ୍ବର: ବାବୁସାନ-ପ୍ରକୃତି- ତୃପ୍ତିଙ୍କୁ ନେଇ ଉପୁଜିଥିବା ବିବାଦ ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। କାରଣ ବାବୁସାନ୍‌ ଓଡ଼ିଶା ଆସିବାର ଦୁଇ ଦିନ ବିତିଯାଇଥିଲେ ବି ‌ସେ ଚୁପ୍‌ ରହିଛନ୍ତି। ବିବାଦକୁ ନେଇ ଗଣମାଧ୍ୟମରେ ଆଦୌ ମୁହଁ ଖୋଲୁନାହାଁନ୍ତି। ପୁଲିସ୍‌ ତାଙ୍କୁ ନୋଟିସ୍‌ ଦେଇଥିବା ସତ୍ତ୍ବେ ସେ ଥାନାକୁ ଯାଉନାହାନ୍ତି କି ପୁଲିସ୍‌ ବି ତାଙ୍କୁ ଘରେ ଆସି ଜେରା କରୁ ନାହିଁ। ପ୍ରକୃତି ମିଶ୍ର ଚେନ୍ନା‌ଇରୁ ଫେରିବା ଦିନ ହିଁ ତାଙ୍କୁ ଜେରା କରାଯାଇଥିଲା। କିନ୍ତୁ ବାବୁସାନ୍‌ଙ୍କ କ୍ଷେତ୍ରରେ ପୁଲିସ୍‌ ମାପିଚୁପି କାରବାର କରୁଛି। ତେଣୁ ଘଟଣାଟି ଆହୁରି ରହସ୍ୟମୟ ହେବାରେ ଲାଗିଛି। ଅନ୍ୟ ପକ୍ଷରେ ବିବାଦର ଆପୋଷ ସମାଧାନ ପାଇଁ ବାବୁସାନ୍ ଓ ତୃପ୍ତିଙ୍କ ପରିବାରର ନିକଟ ସମ୍ପର୍କୀୟମାନେ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।

Advertisment

ଗତକାଲି ଅର୍ଥାତ ବୁଧବାର ଦିନ ଚେନ୍ନାଇରୁ ଫେରିବା ପରେ ମଧ୍ୟ ବାବୁସାନ୍‌ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ। ପ୍ରଥମେ ବାପା ମା’ଙ୍କୁ ଭେଟିବି କହି ସିଧା ଜଗନ୍ନାଥବିହାର ଘରକୁ ଚାଲିଆସିଥିଲେ। ଏମିତିକି ଘରପାଖକୁ ଗଣମାଧ୍ୟମ ପ୍ରତିନିଧି ଯାଇଥିଲେ ବି ସେ ଅସୁସ୍ଥ ଅନୁଭବ କରୁଥିବା ଦର୍ଶାଇ ମା’ ଅପରାଜିତା ସମସ୍ତଙ୍କୁ ଫେରିଯିବାକୁ ଅନୁରୋଧ କରିଥିଲେ। ଆଜି ଦିନ ସାଢ଼େ ୧୧ଟା ସମୟରେ ଘର ତଳେ ବହୁ ପ୍ରଶଂସକ ଏବଂ ଗଣମାଧ୍ୟମର ପ୍ରତିନିଧି ଥିବା ଜାଣିବା ପରେ ଅପରାଜିତାଙ୍କ ସହ ଘର ବାଲକୋନିକୁ ଆସିଥିଲେ। ବିବାଦକୁ ନେଇ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। କେବଳ ଏତିକି କହିଥିଲେ ଯେ, ଅପେକ୍ଷା କରନ୍ତୁ ମୁଁ ଠିକ୍ ସମୟରେ ଠିକ୍ କଥା କହିବି। ସେ ପରିବାର ସହ ଅଛନ୍ତି, ସେଥିପାଇଁ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ। ଏହା ପରେ‌ ‌‌ସେ ଘର ଭିତରକୁ ଚାଲିଯାଇଥିଲେ।

ପୁଣି ସଂଧ୍ୟାରେ ବାବୁସାନ୍‌ ଗଣମାଧ୍ୟମ ସାମ୍‌ନାରେ କହିଥିଲେ ଯେ ପୁଲିସ ମୋତେ ଡାକିଲେ, ମୁଁ ତାଙ୍କୁ ତଦନ୍ତରେ ସହଯୋଗ କରିବି। ଖୁବ୍‌ ଶୀଘ୍ର ମୋ ପୁଅ ମଧ୍ୟ ମୋ ପାଖକୁ ଫେରି ଆସିବ। ଆଜି ବାବୁସାନ ପତ୍ନୀ ଓ ପୁଅଙ୍କୁ ଭେଟିଥିବା କଥା ଚର୍ଚ୍ଚା ଚାଲିଛି। କିନ୍ତୁ ବାବୁସାନ୍, ତୃପ୍ତି କିମ୍ବା ଉଭୟ ପରିବାର ପକ୍ଷରୁ ସେପରି କିଛି କୁହାଯାଇନି। ସୂଚନାଯୋଗ୍ୟ, ବାବୁସାନ୍‌, ପତ୍ନୀ ତୃପ୍ତି ଓ ଓଲିଉଡ୍‌ ନାୟିକା ପ୍ରକୃତି ମିଶ୍ରଙ୍କୁ ନେଇ ଘଟିଥିବା ବିବାଦ ଏବେ ଉତ୍କଣ୍ଠାର ପ୍ରସଙ୍ଗ ପାଲଟିଛି। ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ତୃପ୍ତିଙ୍କ ସଙ୍ଗିନ୍‌ ଅଭିଯୋଗ ଯେତିକି ଚର୍ଚ୍ଚାରେ ରହିଛି, ପ୍ରକୃତିଙ୍କୁ ତୃପ୍ତି ରାଜରାସ୍ତାରେ ମାଡ଼ ମାରିବା ଅଭିଯୋଗ ବି ସେତିକି ଚର୍ଚ୍ଚାରେ। ପୁଲିସ ଉଭୟ ପକ୍ଷରୁ ମାମଲା ରୁଜୁ କରି ବୟାନ ରେକର୍ଡ କରିବାରେ ଲାଗିଛି। ମାତ୍ର ଏଭିତରେ ବାବୁସାନ୍‌ଙ୍କୁ ପୁଲିସ ପଚରାଉଚରା କରିନାହିଁ। କିନ୍ତୁ ବାବୁସାନ୍ ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେଣୁ ଘଟଣାର ମୋଡ଼ କ’ଣ ହେବ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ବାବୁସାନ୍‌-ତୃପ୍ତି-ପ୍ରକୃତି ବିବାଦକୁ ନେଇ ରେକର୍ଡ ହେଲା ଗୀତ

କଟକ:ଷ୍ଟାର ଦମ୍ପତି ବାବୁସାନ ମହାନ୍ତି, ତୃପ୍ତି ଶତପଥୀ ଓ ବାବୁସାନ୍‌ଙ୍କ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ଆଜି ଏକ ଗୀତ ରେକର୍ଡିଂ ହେବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଓଡ଼ିଆ ସିନେମା କାହାକୁ ନେଇ... ନାମରେ ଲିଖିତ ଏହି ଗୀତ କଟକର ରାଜାବଗିଚା ଲେବର କଲୋନି ଠାରେ ଥିବା ଏସ୍‌ ଏସ୍‌ ଷ୍ଟୁଡିଓରେ ଆଜି ରେକର୍ଡ ହୋଇଛି। ଗୀତିକାର ବିଭୂତି ସ୍ୱାଇଁ ଏହି ଗୀତକୁ ଲେଖିବା ସହ ମ୍ୟୁଜିକ ଓ କଣ୍ଠଦାନ ମଧ୍ୟ  କରିଛନ୍ତି। ଆସନ୍ତାକାଲି ଏହି ଗୀତ ବିଭୂତି ସ୍ୱାଇଁ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହେବାକୁ ଯାଉଛି। ଗୀତ ରେକର୍ଡିଂ କରି ଅଭିନେତା, ଅଭିନେତ୍ରୀ ଓ ଅନ୍ୟମାନଙ୍କୁ ସଚେତନ କରିବାକୁ ଏପରି ଏକ ପ୍ରୟାସ କରିଛନ୍ତି ଗୀତିକାର କହିବା ସହିତ ସିନେ ଇଣ୍ଡଷ୍ଟ୍ରିରେ ଘଟୁଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଗୀତ ମାଧ୍ୟମରେ  ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଓଡ଼ିଆ ସିନେ ଜଗତରେ ଏଭଳି ଅନେକ ଘଟଣା ଯୋଗୁଁ ଦର୍ଶକମାନେ ପୂର୍ବ ପରି ଆଉ ଓଡ଼ିଆ ସିନେମାକୁ ପସନ୍ଦ କରୁ ନାହାନ୍ତି। ତେଣୁ ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ସେ ‌ଏଭଳି ଏକ ଛୋଟ ପ୍ରୟାସ କରିଛନ୍ତି ବୋଲି ବିଭୂତି କହିଛନ୍ତି।