ତାରକା ପରିବାର କଳି: ଚେନ୍ନାଇରେ ପ୍ରକୃତିଙ୍କ ସହ ମନ୍ମଥ, କୃଷ୍ଣପ୍ରିୟା

ଭୁବନେଶ୍ବର: ବାବୁସାନ୍‌ ଓ ପ୍ରକୃତିଙ୍କ ସଂପର୍କକୁ ନେଇ ଦେଖାଦେଇଥିବା ଝଡ଼ ଥମିବାର ନା ଧରୁନି। ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରି ଦୁଇ ପରିବାରର ସଦସ୍ୟ ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟ‌ରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି।

ପ୍ରକୃତି ଓ ବାବୁସାନ୍ ଚେନ୍ନାଇରେ ଥିବା ବେଳେ ଦୁହେଁ ସେଠାରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି। ଏହା ଭିତରେ ଆଜି ପ୍ରକୃତିଙ୍କ ପରିବାରର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ପ୍ରକୃତି, ତାଙ୍କ ମା’ କୃଷ୍ଣପ୍ରିୟା, ବାପା ମନ୍ମଥ ମିଶ୍ର ଓ ଭାଇ ଏକ ହୋଟେଲ ଟେବୁଲ୍‌ରେ ବସିଛନ୍ତି। ଏହି ଫଟୋରୁ, ପ୍ରକୃତିଙ୍କ ପରିବାର ଚେନ୍ନାଇରେ ପହଞ୍ଚିଥିବା ଜଣାଯାଇଛି। କିନ୍ତୁ ବାବୁସାନ୍‌ଙ୍କ କିଛି ଖୋଜଖବର ମିଳି ନାହିଁ। ସେ ରହୁଥିବା ହୋଟେଲ ଗତକାଲିଠାରୁ ଛାଡ଼ି ସାରିଥିବା ବେଳେ ଘରକୁ ଫେରିନାହାନ୍ତି। ଖାରବେଳ ପୁଲିସ୍‌ ଦୁହିଁଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ୍‌ ଜାରି କରିଥିବା ବେଳେ ଦୁହେଁ ଆଉ କିଛି ସମୟ ମାଗିଥିବା ଜଣାଯାଇଛି। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଦୁହେଁ ହାଜର ହେବେ ବୋଲି ପୁଲିସକୁ କହିଛନ୍ତି।
ଅପରପକ୍ଷେ ବାବୁସାନ୍‌ ଓ ପ୍ରକୃତିଙ୍କ ଦୁଇଟି ଭାଇରାଲ୍‌ ଭିଡିଓ ଆଜି ସାମ୍ନାକୁ ଆସିଛି। ବାବୁସାନ ପ୍ରକୃତିଙ୍କ ପାଇଁ ଗୀତ ଗାଉଥିବା ବେଳେ ପ୍ରକୃତି ମଧ୍ୟ ତାଙ୍କ ସହ ସ୍ବର ମିଳାଉଛନ୍ତି। ଭିଡିଓ ଦୁଇଟିକୁ ନେଇ ଏବେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର