‘ଷ୍ଟାର ଫିଲ୍ମ ପୁରସ୍କାର’ ଉତ୍ସବ : ‘ଜୟୀ’ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ବର : ସିନେ ରାଇଜର କଳାକାର ଓ ଚଳଚ୍ଚିତ୍ର ସହ ସମ୍ପୃକ୍ତ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଓଲିଉଡ୍‌ର ୬ ଜଣ ପ୍ରଯୋଜକଙ୍କ ଉଦ୍ୟମରେ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ‘ଷ୍ଟାର ଫିଲ୍ମ ପୁରସ୍କାର’। ଏହି ଅବସରରେ ଓଡ଼ିଆ ସିନେ ରାଇଜର କମେଡି କିଙ୍ଗ୍‌ ଜୟୀରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ଶତାଧିକ ଚଳଚ୍ଚିତ୍ରରେ ନିଜର ଅଭିନୟର ଛାପ ଛାଡ଼ି ଘରେଘରେ ପରିଚିତ ହୋଇଥିବା ଜୟୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଥିସହ ନିର୍ଦେଶନା ପାଇଁ ରମେଶ ମହାନ୍ତି, ସଂଗୀତ ନିର୍ଦେଶକ ମହମ୍ମଦ ମୁସିର ଓ ସିନେ ସମାଲୋଚକ ଦିଲୀପ ହାଲିଙ୍କୁ ମଧ୍ୟ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି।

ଏହି ଅବସରରେ ଦର୍ଶକଙ୍କ ଭୋଟିଂ ଭିତ୍ତିରେ ଚୟନ ହୋଇଥିବା କଳାକାର ଓ ଟେକ୍ନିସିଆନଙ୍କୁ ଷ୍ଟାର ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଛି। ବର୍ଷା ପ୍ରିୟଦର୍ଶିନୀ, ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା, ମନୋଜ ମିଶ୍ର, ସମ୍ବିତ ଆଚାର୍ଯ୍ୟ, ଶୁଭାଶିଷ ନାଥଶର୍ମା, ତମନ୍ନା ବ୍ୟାସ, ଖୁସି, ସମିତା, ଶ୍ରେୟନ, ସାୟଲ, ଶୀତଳ, ଭୂମିକା, ରାଜୀବ ମହାନ୍ତି, ତପି ମିଶ୍ର, ଆହାନା, ବିଶାଲ କୋଟିଆନ, ଦିବ୍ୟା, ରାଗିଣୀ, ସାଇନି ମହାନ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏତଦ୍‌ବ୍ୟତୀତ ନିର୍ଦେଶକ ତାପସ ସରଘରିଆ, ନୃତ୍ୟ ନିର୍ଦେଶକ ଲୁବୁନ ଟୁବୁନ, କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା, କ୍ୟାମେରାମ୍ୟାନ ବିଭୁ, ଗୀତିକାର ଅରୁଣ ମନ୍ତ୍ରୀ, ଧାରାବାହିକ ଅଭିନେତ୍ରୀ ଦୀପିକା, ନୀହାରିକା, ‌ସଂଗୀତ ନିର୍ଦେଶକ ବୈଦ୍ୟନାଥ ଦାସ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ‌ଅଭିନେତା ସୋହମ ସିଂହ, ପିଙ୍କି, ମହିମାଙ୍କୁ ପୁରସ୍କୃତ କରାଯାଇଥିଲା।

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, ମୋ କଲେଜ୍‌ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସନାୟକ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଓପିଏସ୍‌ସି ଚେୟାରମ୍ୟାନ ବ୍ରିଗେଡିୟର ଏଲ୍‌.ସି ପଟ୍ଟନାୟକ, ଇଣ୍ଡିଆନ୍‌ ଅଏଲ୍‌ର ଇଡି ପି.ସି ଚୌବେ, ପ୍ରଶାସକ ପାର୍ଥସାରଥୀ ମିଶ୍ର, ଇଣ୍ଡଲ୍‌ଜର ସିଏମ୍‌ଡି ସ୍ବୀକୃତି ପଟ୍ଟନାୟକ, ବିଚାରକ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସିନେ ସାମ୍ବାଦିକ ପରୀକ୍ଷିତ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଷ୍ଟାର ଫିଲ୍ମ ପୁରସ୍କାରର ଅଧ୍ୟକ୍ଷ ରମେଶ ବାରିକ, ସଭାପତି ଲୁଟୁ ମହାନ୍ତି, ସମ୍ପାଦକ ରବୀନ୍ଦ୍ର ନାଥ ପଣ୍ଡା, ଆବାହକ ଶ୍ରୀଧର ମାର୍ଥା, ଉପସଭାପତି ଲୋକନାଥ ‌ଦାସ, ସହ ସମ୍ପାଦକ ଅତୀଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ପୁରସ୍କାର ପ୍ରଦାନ ପରେ ଲୁବୁନ ଟୁବୁନଙ୍କ ସଂଯୋଜନାରେ ନୃତ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅତସୀ ଅତିପ୍ରିୟା ଓଡ଼ିଶୀ ନୃତ୍ୟ, ରାକେଶ ବିଶ୍ବାଳ ବେହେଲା ବାଦନ, ରାଜ ତିଳକ ପଣ୍ଡା ରୢାପ୍‌ ସଂଗୀତ ପରିବେଷଣ ଓ ଲକ୍ଷ୍ମୀପ୍ରିୟା ସାହୁ ନୃତ୍ୟ ପରିବେଷଣ କରିଥିଲେ। ଜୀବନ ଓ ମାନସୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର