ନିଟ୍‌ର ଉଜ୍ଜ୍ବଳ ତାରକା, ପଙ୍କରୁ ପଦ୍ମ

କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ପ୍ରତିକୂଳ ପରିସ୍ଥିତି ସଫଳତାର ରାସ୍ତାରେ କେବେ କଣ୍ଟା ହୁଏ ନାହିଁ। ଲକ୍ଷ୍ୟ ସ୍ଥିର ଥିଲେ ଜ୍ଞାନର ଗଡ଼ ଜିତିବା ଅସମ୍ଭବ ହୁଏ ନାହିଁ। ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରିଛନ୍ତି ତିନି ଛାତ୍ରଛାତ୍ରୀ। କାହାର ବାପା ଦାଣ୍ଡରେ ପୋଷ୍ଟର ମାରନ୍ତି ତ କାହା ମା’ ମନ୍ଦିରରେ ଫୁଲ ଗୁନ୍ଥି ବିକ୍ରି କରନ୍ତି। ତେବେ ଅଭାବ, ଅସୁବିଧାର ଦ୍ବାହି ଦେଇ ଯେଉଁମାନେ ସଫଳ ହୋଇପାରୁନାହାନ୍ତି ବୋଲି ଭାବୁଛନ୍ତି ସେମାନଙ୍କ ପାଇଁ କ୍ରିଷ୍ଣା, ମାନସ ଓ ସୁଧାଂଶୁ ସାଜିଛନ୍ତି ଉଦାହରଣ।

ଫୁଲବିକାଳିଙ୍କ ଝିଅ କ୍ରିଷ୍ଣା
ଇସ୍କନ ମନ୍ଦିରରେ ଫୁଲ ବିକ୍ରି କରୁଥିବା‌ ବିନିତା ମହାନ୍ତିଙ୍କ ଝିଅ କ୍ରିଷ୍ଣ ମହାନ୍ତି। ପିଲାଟି ବେଳୁୁ ଡାକ୍ତର ହେବାକୁ ସ୍ବପ୍ନ ଦେଖିଥିବା କ୍ରିଷ୍ଣ ଏବେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ପିଲାଟି ଦିନରୁ ବାପାଙ୍କୁ ହରାଇଥିବା କ୍ରିଷ୍ଣା ଏବେ ନିଟ୍‌ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ମେଡିକାଲ କଲେଜରେ ପଢ଼ିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସଫଳତା ନେଇ କ୍ରିଷ୍ଣ କୁହନ୍ତି ପିଲାଟି ଦିନରୁ ବାପାଙ୍କୁ ହରାଇଛି। ଷଷ୍ଠ ଶ୍ରେଣୀ‌‌ରେ ପଢ଼ିବା ସମୟରେ ବାପା ଆରପାରିକୁ ଚାଲି ଯାଇଥିଲେ। ରାଜମିସ୍ତ୍ରି ଭାବେ କାମ କରି ସେ ଯେତିକି ଟଙ୍କା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା। ବାପାଙ୍କ ମୃତ୍ୟୁ ପରେ ପରିବାରରେ ଆଉ କେହି ରୋଜଗାରିଆ ନ ଥିଲେ। ତେଣୁ ମା’ଙ୍କ ସହ ଗାଁକୁ ଫେରିଥିଲୁ। ହେଲେ ସେଠାରେ କେହ‌ି ବି ସହଯୋଗ କରିନଥିଲେ। ଘରେ ବି ପୂରାଇ ଦେଲେନି। ଶେଷରେ ମା’ଙ୍କ ସାଥୀରେ ପୁଣି ଭୁବନେଶ୍ବର ଚାଲି ଆସିଥିଲି। ସେବେଠାରୁ ବରମୁଣ୍ଡା ରୁଚିକା ମାର୍କେଟରେ ରହୁଛୁ। ମା’ ମନ୍ଦିରରେ ଫୁଲ ବିକି ଯେତିକି ଅର୍ଥ ଉପାର୍ଜନ କରନ୍ତି ସେଥିରେ ଦୁଇ ଜଣ ଚଳି ଯାଉଛୁ। ପାଠ ପଢ଼ିବା ଖର୍ଚ୍ଚ ବି ମା’ ଦିଅନ୍ତି।

ନିଟ୍‌ ପରୀକ୍ଷାରେ ୫୭୩ମାର୍କ ରଖି ୯୨୩୩ ରୢାଙ୍କ ରଖିଥିବା କ୍ରିଷ୍ଣା ଭବିଷ୍ୟତରେ ଡାକ୍ତର ହୋଇ ରୋଗୀଙ୍କ ସେବା କରିବେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ କଳିଙ୍ଗନଗର ଡିଏଭିରେ ଦଶମ ଶ୍ରେଣୀ ପଢ଼ିବା ପର୍ଯ୍ୟନ୍ତ ବହୁ କଷ୍ଟ କରିବାକୁ ପଡ଼ିଥିଲା। ଯେଉଁଥିପାଇଁ ଦଶମ ପରୀକ୍ଷାରେ ସିଜିପିଏ ୯.୮ ରଖିଥିଲି। ସେଠାରେ ହିଁ ଦ୍ବାଦଶ ଶ୍ରେଣୀ ପଢ଼ିବା ସହ ୯୦.୪% ମାର୍କ ରଖିଥିଲି। ସ୍କୁଲର ବିପିନ ସାର୍‌ ମୋତେ ସମସ୍ତ ସହଯୋଗ କରିଥିବାରୁ ଆଜି ଏଠାରେ ପହଞ୍ଚି ପାରିଛି। ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ଏ ବି ସିଂହ ସାର୍‌ଙ୍କ ‘ଜିନ୍ଦେଗି’ କାର୍ଯ୍ୟକ୍ରମ ମାଧ୍ୟମରେ ମାଗଣା ମେଡିକାଲ କୋଚିଂ ନେଇ ନିଟ୍‌ ପରୀକ୍ଷାରେ ସଫଳତା ପାଇଛି।

ପୂଜକଙ୍କ ପୁଅ ମାନସ
ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ବନମାଳି ମିଶ୍ରଙ୍କ ପୁଅ ହେଉଛନ୍ତି ମାନସ ରଞ୍ଜନ ମିଶ୍ର। ପିଲାଟି ଦିନରୁ ସ୍ବପ୍ନ ଦେଖିଥିଲେ ଡାକ୍ତର ହେବେ। ଅର୍ଥ ଅଭାବ ଯୋଗୁଁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ତଥାପି ହାର ମାନିନଥିଲେ। ବାପାଙ୍କ ପ୍ରେରଣା ଓ ସହଯୋଗ ପାଇ ବେଢ଼ାଶାସନ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେଇ ସଫଳତାର ସହ ପାସ୍‌ କରିଥିଲେ। ଅର୍ଥ ଅଭାବରୁ ବଡ଼ କଲେଜରେ ପଢ଼ି ପାରି ନଥିଲେ। ଅନୁଗୁଳ ସରକାରୀ କଲେଜରେ ଯୁକ୍ତ୨ ନାମ ଲେଖାଇ ପଢ଼ିଥିଲେ। ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ। ଏହାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ସେ। ବହୁ ବାଧାବିଘ୍ନ ମଧ୍ୟରେ ଆଗକୁ ବଢ଼ିଛନ୍ତି। ମାଗଣା କୋଚିଂ ନେବା ସହ ନିଟ୍‌ ପରୀକ୍ଷାରେ ୫୦୩ ମାର୍କ ରଖି ସରକାରୀ ମେଡିକାଲ କଲେଜରେ ପଢ଼ିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସଫଳତା ନେଇ ମାନସ କୁହନ୍ତି ନିଟ୍‌ ଲାଗି ପୂର୍ବ ପ୍ରସ୍ତୁତି ଭଲ ଥିଲା। ବର୍ଷ ସାରା ପ୍ରସ୍ତୁତ ହୋଇଥିଲି। ମେ’ ୨୦ରେ ପରୀକ୍ଷା ଥିବା ବେଳେ ଏହାର ୫ ଦିନ ପୂର୍ବରୁ ଟାଇଫଏଡ୍‌ ଜ୍ବର ହୋଇଯାଇଥିଲା। ତେଣୁ ପରୀକ୍ଷା ଖରାପ ହୋଇଛି। ତଥାପି ୫୦୦ରୁ ଅଧିକ ମାର୍କ ରହିଥିବାରୁ ଭଲ କଲେଜ ମିଳିବ ବୋଲି ଆଶା। ଏମ୍‌ସ ପ୍ରବେଶିକା ପରୀକ୍ଷା ବି ଦେଇଛି। ସେଥିରେ ଭଲ ରେଜଲ୍ଟ ହେବ ବୋଲି ଆଶା ଅଛି।

ପୋଷ୍ଟର ଲଗାଇ ଝିଅକୁ ପଢ଼ାଇଲେ
ସଫଳତା କିଭଳି ମିଳେ ତାହାର ସଦ୍ୟତମ ଉଦାହରଣ ହେଉଛନ୍ତି ଭୁବନେଶ୍ବର ଶାନ୍ତିନଗର ଅଞ୍ଚଳର ସୁଧାଂଶୁ ପ୍ରିୟଦର୍ଶିନୀ। ବାପା ପୋଷ୍ଟର ଓ ସାଇନ୍‌ ବୋର୍ଡ ଲଗାଇ ଯେତିକି ଟଙ୍କା ରୋଜଗାର କରନ୍ତି ସେଥିରୁ ଅର୍ଥ ବାହାର କରି ସୁଧାଂଶୁଙ୍କୁ ପାଠ ପଢ଼ାନ୍ତି। ବାପାଙ୍କ କଷ୍ଟର ଫଳ ଦେଇଛନ୍ତି ସୁଧାଂଶୁ। ବଡ଼ଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ପାସ୍‌ କରିବା ପରେ ବିଜେବି ଜୁନିୟର କଲେଜରେ ନାମ ଲେଖାଇଥିଲେ। ସେଠାରୁ ‌ସଫଳତାର ସହ ପାସ୍‌ କରିବା ପରେ ମେଡିକାଲ କଲେଜରେ ପଢ଼ିବା ଲାଗି ନିଜକୁ ପ୍ରସ୍ତୁତ କରିଥିଲେ। ଦିନକୁ ୧୦ରୁ ୧୨ଘଣ୍ଟା ପରିଶ୍ରମ କରି ନିଟ୍‌ ପରୀକ୍ଷା ଦେଇଥିଲେ। ଦିନରାତି ଏକ କରିଦେଇଥିଲେ। ଫଳସ୍ବରୂପ ୫୭୪ ମାର୍କ ରଖିବା ସହ ୮୯୮୩ ରୢାଙ୍କ ହାସଲ କରିଛନ୍ତି। ସଫଳତା ନେଇ ‌ସୁଧାଂଶୁ କୁହନ୍ତି ମେଡିକାଲ କଲେଜରେ ପଢ଼ିବାକୁ ଛୋ‌ଟ ବେଳରୁ ସ୍ବପ୍ନ ଥିଲା। ଏଥିପାଇଁ କଠିନ ପରିଶ୍ରମ କରିଛି। ଭଲ ରୢାଙ୍କ ଥିବାରୁ ମେଡିକାଲ କଲେଜରେ ପଢ଼ିବାର ସୁଯୋଗ ମିଳିପାରେ। ତେବେ ୫ ବର୍ଷ କିଭଳି କଠିନ ପରିଶ୍ରମ କରିବି ସେଥିପାଇଁ ପ୍ରସ୍ତୁତ ହେବି। ଅର୍ଥ ପ୍ରତିବନ୍ଧକ ସାଜିପାରେ। ତଥାପି ଶିକ୍ଷା ଋଣ କରିବାକୁ ବାପା ଯୋଜନା କରିଛନ୍ତି। ନ୍ୟୁରୋଲୋଜିଷ୍ଟ ହୋଇ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର