ଛେନାପୋଡ଼ରେ ମିଶୁଛି ଷ୍ଟାର୍ଚ, ୩ ମିଠା ଦୋକାନ, ୨ ହୋଟେଲରେ ଲଙ୍କାଗୁଣ୍ଡରେ ମିଶୁଛି ରଙ୍ଗ

ଭୁବନେଶ୍ବର: ଛେନାପୋଡ଼ରେ ଛେନା ବଦଳରେ ଷ୍ଟାର୍ଚ ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ମିଠା ଦୋକାନୀ। କେବଳ ଛେନାପୋଡ଼ ନୁହେଁ ଗୋଲାପଜାମୁରେ ମଧ୍ୟ ଷ୍ଟାର୍ଚର ଉପସ୍ଥିତି ଓ ଆବଶ୍ୟକତାଠାରୁ ଅଧିକ ଚିନି ମିଶୁଥିବା ରିପୋର୍ଟରେ ଜଣାପଡ଼ିଛି। ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀରେ ୩ଟି ମିଠା ଦୋକାନୀରେ ଏଭଳି ନିମ୍ନମାନର ମିଠା ବିକ୍ରି ହେଉଥିବା ନଜରକୁ ଆସିଛି। ଏହାସହ କେତେକ ହୋଟେଲରେ ରଙ୍ଗଦିଆ ଲଙ୍କାଗୁଣ୍ଡ ଖାଦ୍ୟରେ ମିଶୁଥିବା ଜଣାପଡ଼ିଛି। ମିଠା ଓ ରଙ୍ଗଦିଆ ଲଙ୍କାଗୁଣ୍ଡ ନିମ୍ନମାନର ଥିବା ରିପୋର୍ଟ ପାଇବା ପରେ ଖାଦ୍ୟ ସୁରକ୍ଷା ପକ୍ଷରୁ ‌ଏହି ଦୋକାନୀମାନଙ୍କୁ ନୋଟିସ୍ ଜାରି କରାଯିବ ବୋଲି ସୂଚନା ଦିଆଯାଇଛି। ଚଳିତ ମାସ ୬ ତାରିଖରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଖାଦ୍ୟ ସୁରକ୍ଷାର ‘ଫୁଡ୍ ସେଫ୍‌ଟି ଅନ ହ୍ବିଲ୍‌ସ’ ମୋବାଇଲ ଭ୍ୟାନ୍‌ରେ ମିଠା, ପରିବା, ତରକାରୀ, ସେଓ, ପାଣି ବୋତଲ ଓ ତେଲର ପରୀକ୍ଷା କରାଯାଇଥିଲା। ଏଥିରେ ରସଗୋଲା, ଛେନାପୋଡ଼, ଷ୍ଟିମ୍ କେକ୍, ରସମଲାଇ, ପନିର, ସନ୍ଦେଶ, ସେଓ, ପାଣି ବୋତଲ, ପୋଟଳ, କାଙ୍କଡ଼, ପାମୋଲିନ୍‌ ତେଲ, ରିଫାଇନ୍ ତେଲ, ପୋଟଳ ତରକାରି, ଖାସି ମାଂସ ତରକାରି, ଗ୍ରାଭି, ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡର ପରୀକ୍ଷା ହୋଇଥିଲା। ଏଥିରେ ଛେନାପୋଡ଼, ଗୋଲାପଜାମୁ, ଷ୍ଟିମ୍ କେକ୍, ଲଙ୍କାଗୁଣ୍ଡ ନିମ୍ନମାନର ‌ଜଣାପଡ଼ିଛି। ରାମ ମନ୍ଦିର ନିକଟରେ ଥିବା ଏକ ନାମୀ ଦୋକାନରେ ବିକ୍ରି ହେଉଥିବା ଛେନାପୋଡ଼, ଶିରିପୁରରେ ଥିବା ଦୁଇଟି ଗାଙ୍ଗୁରାମ ଦୋକାନରେ ଛେନା ବଦଳରେ ଅଧିକ ଷ୍ଟାର୍ଚ ଓ ଚିନି ମିଶୁଥିବା ପରୀକ୍ଷା ସମୟରେ ଜଣାପଡ଼ିଥିଲା। ସେହିପରି ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଦୁଇଟି ହୋଟେଲରେ ବିକ୍ରି ହେଉଥିବା ଖାଦ୍ୟରେ ରଙ୍ଗଦିଆ ଲଙ୍କାଗୁଣ୍ଡ ମିଶୁଥିବା ମଧ୍ୟ ନଜରକୁ ଆସିଛି। ଷ୍ଟାର୍ଚ ମିଶା ମିଠା ଦେହ ପାଇଁ କ୍ଷତିକାରକ ହୋଇଥିବା ବେଳେ ଦୋକାନୀମାନେ ଏହାକୁ ବେଆଇନ ଭାବେ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ଅପରପକ୍ଷେ ଗତ ମାସରେ ୟୁନିଟ୍-୮ ଅଞ୍ଚଳରେ ଥିବା ରେସ୍ତୋରାଁରେ ବିକ୍ରି ହେଉଥିବା ବିରିୟାନିରେ ଅସରପା ପଡ଼ିଥିବା ଜଣେ ଗ୍ରାହକ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ସଂପୃକ୍ତ ରେସ୍ତୋରାଁରୁ ବିରିୟାନିର ନମୁନା ସଂଗ୍ରହ କରାଯାଇଥିଲା। ସଂପୃକ୍ତ ରେସ୍ତୋରାଁ ବିରିୟାନି ଅତ୍ୟନ୍ତ ନିମ୍ନମାନର ରହିଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଥିଲା। ଏଥିପାଇଁ ସଂପୃକ୍ତ ରେସ୍ତୋରାଁକୁ ଖାଦ୍ୟ ସୁରକ୍ଷା ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଏହା ବିରୁଦ୍ଧରେ ୧ମାସ ମଧ୍ୟରେ ରେସ୍ତୋରାଁ ମାଲିକ ଖାଦ୍ୟ ସୁରକ୍ଷା ପକ୍ଷରୁ ସଂଗୃହୀତ ନମୁନାକୁ ଅନ୍ୟ ଖାଦ୍ୟ ପରୀକ୍ଷାଗାରରେ ପରୀକ୍ଷା କରି ରିପୋର୍ଟ ପ୍ରଦାନ କରିପାରିବାର ନିୟମ ରହିଛି। ତେବେ ସଂପୃକ୍ତ ରୋସ୍ତୋରାଁ ଏହାକୁ ବେଖାତିର କରିଥିବା କୁହାଯାଉଛି। ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ରାମଚନ୍ଦ୍ର ରାଉତ କହିଛନ୍ତି, ଛେନା ବଦଳରେ ଷ୍ଟାର୍ଚ ଓ ଆବଶ୍ୟକତାଠାରୁ ଅଧିକ ଚିନି ମିଶିବା ଦେହ ପାଇଁ କ୍ଷତିକାରକ। ମୋବାଇଲ ଭ୍ୟାନ୍‌ରେ ହୋଇଥିବା ପରୀକ୍ଷାରେ ଏହା ନଜରକୁ ଆସିଛି। ଏହି ଦୋକାନୀମାନଙ୍କୁ ସେମାନଙ୍କ ଖାଦ୍ୟରେ ଉନ୍ନତି ଆଣିବା ପାଇଁ ନୋଟିସ୍ ପ୍ରଦାନ କରାଯିବ। ଯଦି ଆସନ୍ତା ୧ମାସ ମଧ୍ୟରେ ଦୋକାନୀମାନେ ବିକ୍ରି କରୁଥିବା ଖାଦ୍ୟରେ କୌଣସି ପ୍ରକାର ଉନ୍ନତି ନ ଆଣନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଗ୍ରାହକମାନେ ଅଧିକ ମିଠା ଲାଗୁଥିବା ଛେନାପୋଡ଼ ଓ ଅନ୍ୟ ମିଠାକୁ ନ କିଣିବା ଉଚିତ୍। ଏହାସହ ୟୁନିଟ-୮ ଅଞ୍ଚଳରେ ଯେଉଁ ରେ‌ସ୍ତୋରାଁରେ ବିକ୍ରି ହେଉଥିବା ବିରିୟାନିରେ ଅସରପା ପଡ଼ିଥିବା ଅଭିଯୋଗ ହୋଇଥିଲା, ସଂପୃକ୍ତ ରେସ୍ତୋରାଁ ପକ୍ଷରୁ ଯଦି ଆସନ୍ତା ୧୬ ତାରିଖ ମଧ୍ୟରେ କୌଣସି ରିପୋର୍ଟ ପ୍ରଦାନ କରା ନ ଯାଏ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡା. ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର