ଆରମ୍ଭ ହେଲା ଏକକ ଚିତ୍ରକଳା ପ୍ରଦର୍ଶନୀ ‘ଦ ଅଲ୍ଟିମେଟ୍‌ ଏକ୍ସପ୍ରେସନ’

ଭୁବନେଶ୍ବର: ଏକାଦଶ ଏକକ ଚିତ୍ରକଳା ପ୍ରଦର୍ଶନୀ ‘ଦ ଅଲ୍ଟିମେଟ୍‌ ଏକ୍ସପ୍ରେସନ୍‌’ ଆଜି ୟୁନିଟ୍‌-୩ସ୍ଥିତ ରାଷ୍ଟ୍ରୀୟ ଲଳିତ କଳା ଏକାଡେମିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଚିତ୍ରଶିଳ୍ପୀ ଦୀନବନ୍ଧୁ ସାହୁଙ୍କର ୮୨ଟି ଚିତ୍ରକଳା ସମେତ ୮୦ଟି ସ୍କେଚ୍‌ ପ୍ରଦର୍ଶିତ ହେଉଛି। ମଣିଷ ଜୀବନର ବିଭିନ୍ନ ଅଭିଜ୍ଞତା, ହସ, କାନ୍ଦ, ସୁଖ, ଦୁଃଖ, ରାଗ, ଈର୍ଷା ଆଦି ସହ ସାମାଜିକ ଜୀବନର ବିଭିନ୍ନ ଘଟଣାକୁ ନେଇ ୨୫ ବର୍ଷରୁ ଊର୍ଧ୍ବ ସମୟ ଧରି ଶ୍ରୀ ସାହୁ ଆଙ୍କିଥିବା ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନ ପାଇଛି। କବି ପଦ୍ମଭୂଷଣ ରମାକାନ୍ତ ରଥ, ଚିତ୍ରଶିଳ୍ପୀ ଦୁର୍ଗାପ୍ରସାଦ ମିଶ୍ର ଓ ହୃଦ୍‌‌ରୋଗ ବିଶେଷଜ୍ଞ ଜେ ପି ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏକାଡେମିର ସଚିବ ରାମକୃଷ୍ଣ ବେଦଲା ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀ ଆସନ୍ତା ୨୦ ତାରିଖ ଯାଏଁ ପୂର୍ବାହ୍ନ ସାଢ଼େ ୧୧ରୁ ସନ୍ଧ୍ୟା ୭ଟା ଯାଏଁ ଚାଲିବ।

ସମ୍ବନ୍ଧିତ ଖବର