ଆରମ୍ଭ ହେଲା ଭରତ ମୁନି ଉତ୍ସବ

ଭୁବନେଶ୍ୱର: କେବେ ଭକ୍ତିରେ ବିମୋହିତ ପୁଣି କେବେ ପ୍ରେମ ରସରେ ନିମଗ୍ନ। ପୁଣି ସମର୍ପଣର ଭାବାବେଗରେ ହାର୍‌ ମାନି କାଳେ କାଳେ ପରଂବ୍ରହ୍ମ ଭକ୍ତର। ମହାପ୍ରଭୁଙ୍କ ୪ ଯୁଗର ଚାରି ଲୀଳା ପ୍ରହ୍ଲାଦ ଉଦ୍ଧାର, ଅହଲ୍ୟା ଉଦ୍ଧାର, ରାସଲୀଳା ଓ ମାହାରୀ ଆଦିର ସଂଯୋଜନାରେ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପରିବେଷିତ ହୋଇଥିଲା ‘ଯୁଗେ ଯୁଗେ ପରଂବ୍ରହ୍ମ’। ଓଡ଼ିଶୀ ନୃତ୍ୟ ଗୁରୁ ପୁଷ୍ପିତା ମିଶ୍ର ଓ ତାଙ୍କ ସାଥୀମାନେ ଏହା ପରିବେଷଣ କରିଥିଲେ। ଅବସର ଥିଲା ନୃତ୍ୟାନୁଷ୍ଠାନ ‘କଳିଙ୍ଗାୟନ ଟୋର୍ଯ୍ୟଟ୍ରିିକମ୍‌’ ପକ୍ଷରୁ ଆୟୋଜିତ ‘ନବମ ଭରତ ମୁନି ସମ୍ମାନ ଉତ୍ସବ’ର। ଏହା ପରେ ପରେ ଜି.ରଥୀଶ୍‌ ବାବୁ ‘ନୀଳ କଣ୍ଠ’ ଓ ଗୀତଗୋବିନ୍ଦର ‘ଧୀର ସମୀରେ’କୁ ଭାରତନାଟ୍ୟମ୍‌ ନୃତ୍ୟ ଶୈଳୀରେ ପରିବେଷଣ କରିଥିଲେ। ଏହାପରେ ସାଇଜା ବିନେଶ୍‌ ମୋହିନୀ ଆଟ୍ଟମ୍‌ ନୃତ୍ୟରେ ‘ଗଣପତି ବନ୍ଦନା’ ଓ ‘ଉର୍ବଶୀଙ୍କ ଅଭିଶାପରେ ଅର୍ଜୁନଙ୍କ ବୃହନ୍ନଳା ରୂପ’ ଆଦି ବଖାଣିଥିଲେ। ଶେଷରେ ଶାସ୍ତ୍ରୀୟ, ପାରମ୍ପରିକ ଏବଂ ଲୋକବାଦ୍ୟର ସମାହାରରେ ଗୁରୁ ରାମଚନ୍ଦ୍ର ବେହେରା ପରିବେଷଣ କରିଥିଲେ ‘ଧ୍ୱନି’।

ଆଜିର କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଆସନ୍ତାକାଲି ‘ଭରତ ମୁନି ସମ୍ମାନ’ ପାଇବାକୁ ଥିବା ପଦ୍ମବିଭୂଷଣ ଅଦୂର ଗୋପାଳକୃଷ୍ଣନ୍‌ ଓ କେରଳର ପୂର୍ବତନ ମୁଖ୍ୟ ଶାସନ ସଚିବ ପି କେ ମହାନ୍ତିି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଅବସର ବେଉରିଆ ଓ ସଦସ୍ୟ ଅଂଶୁମାନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର