ମଧ୍ୟରାତ୍ରିରୁ ଡଙ୍ଗା ଭସା

ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା, ବିନ୍ଦୁସାଗର ଚଳଚଞ୍ଚଳ

ପୁରୁଣା ଭୁବନେଶ୍ୱର: ପାଞ୍ଜି ଅନୁଯାୟୀ ଶୁକ୍ରବାରରୁ ପଶି ସାରିଲାଣି ପୂର୍ଣ୍ଣିମା। ତେଣୁ ଶନିବାର ଭୋର୍‌କୁ ଅପେକ୍ଷା ନକରି ବିନ୍ଦୁସାଗରରେ ମଧ୍ୟରାତ୍ରିରୁ ଆରମ୍ଭ ହୋଇଗଲାଣି ଶ୍ରଦ୍ଧାଳୁଙ୍କ ଡଙ୍ଗା ଭସା। ଚଳଚଞ୍ଚଳ ହୋଇ ଉଠିଲାଣି ସମଗ୍ର ଏକାମ୍ର କ୍ଷେତ୍ର। ଡଙ୍ଗା ବିକିବାକୁ ଦୋକାନୀମାନେ ବି ରାତି ଉଜାଗର ହୋଇ ବସି ରହିଛନ୍ତି।

ଆଉ ଅଳ୍ପ କିଛି ମୁହୂର୍ତ ପରେ ବିନ୍ଦୁସାଗର ସମେତ କୁଆଖାଇ ଓ ଦୟା ନଦୀ କୂଳରେ ଆରମ୍ଭ ହୋଇଯିବ ବୋଇତ ବନ୍ଦାଣ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରି ପବିତ୍ର କାର୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପାଇଁ ଜମିବ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ଏଥିପାଇଁ ଆଜିଠାରୁ ବିନ୍ଦୁସାଗର କୂଳରେ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା ସାଙ୍ଗକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଇତିମଧ୍ୟରେ ବିନ୍ଦୁସାଗରରୁ ଦଳ ସଫା କାର୍ଯ୍ୟ ଶେଷ ହୋଇଛି। ମଧ୍ୟରାତ୍ରିରୁ ପୁଷ୍କରିଣୀ ଚାରିପଟେ ଦମକଳ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ଜଗି ରହିଛନ୍ତି। ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କମିସନରେଟ୍‌ ପକ୍ଷରୁ ୨ପ୍ଲାଟୁନ୍‌ ପୁଲିସ ବ୍ୟବସ୍ଥା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବିନ୍ଦୁସାଗରର ଉତ୍ତର ଦ୍ଵାରଠାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସେହିପରି କେଦାରଗୌରୀ ମନ୍ଦିର, କପିଳେଶ୍ୱର ମନ୍ଦିର, ରାମେଶ୍ୱର ମନ୍ଦିର, ସୂକ୍ଷ୍ମେଶ୍ୱର ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର, ମେଘେଶ୍ୱର ମନ୍ଦିର, ଚିନ୍ତାମଣିଶ୍ୱର ନିକଟ ପୁଷ୍କରିଣୀ, ଦୟା ଓ କୁଆଖାଇ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ସବୁ ସ୍ଥାନରେ ପୁଲିସ ବ୍ୟବସ୍ଥା କରାଯିବା ସହ କୁଆଖାଇ ନଦୀ ଓ ଦୟା ନଦୀ କୂଳରେ ଦମକଳ ବାହିନୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ସେମାନେ ରାତି ୨ଟାରୁ ସେଠାରେ ଉପସ୍ଥିତ ରହି ଭିଡ଼ ଉପରେ ନଜର ରଖିବେ ବୋଲି ସୂଚନା ମିଳିଛି।

ସେପଟେ ବିନ୍ଦୁସାଗରରେ ଡଙ୍ଗା ଭସା ଯିବା ପରେ ସେଗୁଡ଼ିକୁ ସଫେଇ ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଓ ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ବିଏମ୍‌ସି ପକ୍ଷରୁ ୨୦ଜଣ କର୍ମଚାରୀ ରହି ଏହି ସଫେଇ କାର୍ଯ୍ୟ କରିବେ ବୋଲି କୁହାଯାଇଛି।

ଭୀମଟାଙ୍ଗିରେ କାର୍ତ୍ତିିକ ପୂର୍ଣ୍ଣିିମା ପ୍ରସ୍ତୁତି

ପୁରୁଣା ଭୁବନେଶ୍ୱର: ଭୀମଟାଙ୍ଗିରେ କାର୍ତ୍ତିିକ ପୂର୍ଣ୍ଣିିମା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଭୀମେଶ୍ୱର ମନ୍ଦିରରେ ନୀତି ନିର୍ଘଣ୍ଟ କରାଯାଇଛି। ସେଦିନ ଭୋରୁ ମନ୍ଦିର ଖୋଲା ଯାଇ ମଙ୍ଗଳ ଆଳତୀ ଓ ଅବକାଶ କରାଯିବ ଏହା ପରେ ସାହାଣମେଲା ଦର୍ଶନ ହେବ। ସକାଳୁ ୫ହଜାର ଲୋକଙ୍କୁ ତରଣ ବଣ୍ଟନ କରାଯିବ। କମିଟିର ସଭାପତି ପୁରୁଷୋତ୍ତମ ସାହୁ, କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ମିଶ୍ର, ଲୋକନାଥ ମହାପାତ୍ର ଓ ସଭ୍ୟମାନେ ସାମିଲ ହୋଇ ପୂର୍ଣ୍ଣିିମା ତିଥିର ପୂଜା ସମ୍ପର୍କରେ ଆଲୋଚନା କରିଥିଲେ। ସନ୍ଧ୍ୟାରେ ମହ୍ଲାର ଅନୁଷ୍ଠାନ ପକ୍ଷରୁ ମନ୍ଦିରଠାରେ ଭଜନ ସମାରୋହ କରାଯିବ ବୋଲି ସ୍ଥିର ହୋଇଛି।

ଆଜି ପବିତ୍ର କାର୍ତ୍ତିିକ ପୂର୍ଣ୍ଣିିମା

ସବୁ ମନ୍ଦିରରେ ଭୋର୍‌ରୁ ସାହାଣମେଲା ଦର୍ଶନ

ପୁରୁଣା ଭୁବନେଶ୍ୱର: ରାତି ପାହିଲେ କାର୍ତ୍ତିିକ ପୂର୍ଣ୍ଣିିମା। ଏଥି ପାଇଁ ଏକାମ୍ର କ୍ଷେତ୍ରରେ ଥିବା ସମସ୍ତ ମଠ ମନ୍ଦିର ଚଳଚଞ୍ଚଳ ହୋଇଛି। ଶ୍ରଦ୍ଧାଳୁମାନେ ସେଦିନ ଭୋରୁ ନଦୀ ପୁଷ୍କରିଣୀରେ ଡଙ୍ଗା ଭସାଇ ଦେବା ଦେବୀଙ୍କ ପାଖରେ ପୂଜାର୍ଚନା କରିବେ। ତେଣୁ ସବୁ ମନ୍ଦିରରେ ସାଜସଜ୍ଜା କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିରରେ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମନ୍ଦିର ସିଂଦ୍ଵାରଠାରୁ ଦୁଇ କଡ଼ରେ ବ୍ୟାରିକେଡ୍‌ ବନ୍ଧା ଯାଇଛି। ଭୋର ୩ଟାରେ ମନ୍ଦିର ଖୋଲାଯିବ। ଏହାପରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବା ପରେ ସାଢ଼େ ୩ଟାରେ ପହୁଡ଼ ଖୋଲାଯିବ। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଜାରି ରହିବ ବୋଲି ମନ୍ଦିର କାର୍ଯ୍ୟାଳୟରୁ ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର