ଆରମ୍ଭ ହେଲା ‘ଛାନ୍ଦ ନିନାଦ’

ଭୁବନେଶ୍ୱର: ସ୍ଥାନୀୟ ଉତ୍କଳ ମଣ୍ଡପ ଖୋଲା ମଞ୍ଚରୁ ଆଜି ଭାସି ଆସୁଥିଲା ବଂଶୀର ସୁମଧୁର ଧ୍ୱନି। ଶୀତୁଆ ସଂଧ୍ୟାରେ ଖୋଲା ଆକାଶ ତଳେ ବସିଥିବା ଶ୍ରୋତାଙ୍କ ଶରୀର ଶୀତେଇ ଯାଉଥିଲେ ମଧ୍ୟ ବଂଶୀ ଧ୍ୱନି ସେମାନଙ୍କୁ ସେଠାରୁ ଉଠିଯିବାକୁ ଅନୁମତି ଦେଇ ନ ଥିଲା। ସଂଧ୍ୟାରୁ ସକାଳ ପର୍ଯ୍ୟନ୍ତ ଗାୟନ ସମୟର ଆଧାରରେ ବିଭିନ୍ନ ରାଗକୁ ଚୟନ କରି ନିଜ ବଂଶୀ ଧ୍ୱନିରେ ପରିବେଷଣ କରିଥିଲେ ଅଭିରାମ ନନ୍ଦ। ଅବସର ଥିଲା ନୃତ୍ୟ ଉପାସନା ପୀଠ ଦ୍ୱାରା ଆୟୋଜିତ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ସଂଧ୍ୟା ‘ଛାନ୍ଦ ନିନାଦ’ର ଉଦ୍‌ଘାଟନୀ ଉତ୍ସବ। ପରେ ପରେ ସଂଧ୍ୟା ବଢ଼ିବା ସହ ଜାନକୀ ରଙ୍ଗରାଜନ୍‌ ଭାରତନାଟ୍ୟମ୍‌ ନୃତ୍ୟ ମାଧ୍ୟମରେ କୃଷ୍ଣଙ୍କ ସୃଙ୍ଗାର ଆଧାରିତ ପଦାବଳୀ ‘ବର୍ଣ୍ଣମ୍‌’କୁ ରାଗ ତୋଡ଼ି ଓ ଆଦି ତାଲମ୍‌ରେ ପରିବେଷଣ କରିଥିଲେ। ପୁଣି ରାଧାକୃଷ୍ଣଙ୍କ ଅପାର୍ଥିବ ପ୍ରେମକୁ ‘ଗୁରୁ ଯଦୁନନ୍ଦନ’ ଦ୍ୱାରା ପ୍ରଦର୍ଶିତ କରିଥିଲେ। ଏହା ପରେ ଦଳଗତ ନୃତ୍ୟ ମଧ୍ୟ ପରିବେଷିତ ହୋଇଥିଲା।

ଆଜିର କାର୍ଯ୍ୟକ୍ରମରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ ପିସି ଚୌବେ, ଶିଳ୍ପୋଦ୍ୟୋଗୀ ଜଗଦୀଶ ମିଶ୍ର ଓ ଶାନ୍ତନୁ ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଟ୍ରଷ୍ଟି ନିର୍ମଳ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶିକା ସୋନାଲି ମହାପାତ୍ର ଧନ୍ୟବାଦ ଜଣାଇଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର