ଆରମ୍ଭ ହେଲା ‘କଟନ ଫ୍ୟାବ୍‌’ ପ୍ରଦର୍ଶନୀ: ୨୩ ରାଜ୍ୟର ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ

ଭୁବନେଶ୍ୱର: ଲକ୍ଷ୍ନୌ ଚିକନ୍‌ କୁର୍ତ୍ତା ହେଉ ବା ମଧ୍ୟପ୍ରଦେଶ ଚନ୍ଦେରୀ, ମାହେଶ୍ୱରୀ ଅଥବା କଶ୍ମିରୀ ଏମ୍ବ୍ରୋଡୋରି, ବଞ୍ଜାରା ଏମ୍ବ୍ରୋଡୋରିଠାରୁ ଆରମ୍ଭ କରି ରାଜସ୍ଥାନୀ ବ୍ଲକ୍‌ ପ୍ରିଣ୍ଟ ଶାଢ଼ି ଓ ଡ୍ରେସ୍‌, ତେଲେଙ୍ଗାନାର ପଞ୍ଚମପଲୀ ଓ ଗଦ୍‌ଓ୍ଵା, ପଶ୍ଚିମବଙ୍ଗର କାନ୍‌ଥା, ଢାକାଇ, ଜାମ୍‌ଦରୀ ଏଭଳି ୨୩ଟି ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତର ଝଲକ ମିଳିବ ଗୋଟିଏ ଛାତ ତଳେ। ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଥିବା ‘କଟନ ଫ୍ୟାବ୍‌’ ପ୍ରଦର୍ଶନୀ ଏପରି ସୁଯୋଗ ଆଣି ଦେଇଛି। ଉତ୍ତର ପ୍ରଦେଶର କିଛି ହସ୍ତତନ୍ତ କାରିଗରମାନଙ୍କ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀ ଏଥର ଦଶମ ବର୍ଷରେ ପାଦ ଥାପିଛି। ପ୍ରଦର୍ଶନୀ ପରିସରରେ ୧୫୦ରୁ ଅଧିକ ଷ୍ଟଲ୍‌ ପଡ଼ିଛି। ଏଥିରେ କପଡ଼ା, ଡ୍ରେସ୍‌, ଡ୍ରେସ୍‌ ମ୍ୟାଟେରିଆଲ୍‌, ହୋମ୍‌ ଫର୍ନିସିଂ, ମୂଲ୍ୟବାନ୍‌ ପଥରଖଚିତ ଅଳଙ୍କାର ସାଙ୍ଗକୁ ହାଇଦ୍ରାବାଦୀ ମୁକ୍ତା ଗହଣା ମଧ୍ୟ ଉପଲବ୍ଧ ହେଉଛି। ଆଜିର ଉଦ୍‌ଘାଟନୀ ଉତ୍ସବରେ ପ୍ରଦର୍ଶନୀର ସମ୍ପାଦକ ଜାଭେଦ ଆଲମ୍‌, ସଇଦ ଅହମ୍ମଦ, ମହମ୍ମଦ ୟାମିନ୍‌ ଓ ସୌଫୁଲ୍‌ ଇସ୍‌ଲାମ୍‌ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିବର୍ଷ ଏହି ପ୍ରଦର୍ଶନୀ ପ୍ରତି ରାଜଧାନୀବାସୀ ତଥା ରାଜ୍ୟବାସୀଙ୍କ ଆଗ୍ରହ ବଢ଼ୁଥିବା ସମୟରେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଭଲ ବ୍ୟବସାୟ ହୁଏ ବୋଲି ସମ୍ପାଦକ ଶ୍ରୀ ଆଲମ୍‌ କହିଛନ୍ତି। ଗତ ବର୍ଷ ପ୍ରଦର୍ଶନୀରେ ୯୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଏହା ୧ କୋଟି ୨୦ ଲକ୍ଷ ଟଙ୍କାକୁ ଛୁଇଁବ ବୋଲି ସେ ଆଶା ରଖିଛନ୍ତି। ପ୍ରଦର୍ଶନୀ ଅକ୍ଟୋବର ୨ ଯାଏଁ ଚାଲିବ।

ସମ୍ବନ୍ଧିତ ଖବର