ପ୍ରସ୍ତୁତ ହେଲା ସାଧାରଣ ଜନତାଙ୍କ ଇସ୍ତାହାର

ଭୁବନେଶ୍ୱର: ଆସୁଛି ନିର୍ବାଚନ। ରାଜନୈତିକ ଦଳ ନିଜ ନିଜ ଫାଇଦାକୁ ନେଇ ଇସ୍ତାହାର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏଭଳି ସ୍ଥିତିରେ ସାଧାରଣ ଜନତାଙ୍କ ପାଇଁ ଇସ୍ତାହାର ପ୍ରସ୍ତୁତ ହୋଇଛି। ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ମିଳିତ ଭାବେ ରାଜ୍ୟର ୧୫ଟି ଜିଲ୍ଲା ୧୦୫୦ ଗ୍ରାମ ସାଇକେଲ୍‌ରେ ବୁଲି ଜନସାଧାରଣଙ୍କ ଦାବିକୁ ବିଚାରକୁ ନେଇ ଏହି ଇସ୍ତାହାର ପ୍ରସ୍ତୁତ କରିଛି। ବିର୍ସାମୁଣ୍ଡା ଜୟନ୍ତୀଠାରୁ ବିଶ୍ବ ମାନବାଧିକାର ଦିବସ ପର୍ଯ୍ୟନ୍ତ ଦୀର୍ଘ ୨୫ଦିନ ଧରି ମିଳିତ ମଞ୍ଚର କର୍ମକର୍ତ୍ତା ସାଧାରଣ ଲୋକଙ୍କଠାରୁ ଏହା ଯୋଗାଡ଼ କରିଛନ୍ତି। ଏହା ପ୍ରସ୍ତୁତ ହେବା ପରେ ରବିବାର ସମସ୍ତ ରାଜନୈତିକ ଦଳର ଇସ୍ତାହାର କମିଟି ସଦସ୍ୟଙ୍କୁ ଡାକି ପ୍ରଦାନ କରାଯିବା ସହ ଆଗାମୀ ଦିନରେ ରାଜନୈତିକ ଦଳ ପ୍ରସ୍ତୁତ କରୁଥିବା ଇସ୍ତାହାରରେ ଏହି ମୂଳ ପ୍ରସଙ୍ଗଗୁଡ଼ିକୁ ସ୍ଥାନ ଦେବା ପାଇଁ ପରାମର୍ଶ ଦିଆଯାଇଛି। ବିଭିନ୍ନ ଜିଲ୍ଲାରେ ସାଧାରଣ ଜନତାଙ୍କୁ ଭେଟିବା ବେଳେ ଯେଉଁ ଦାବିଗୁଡ଼ିକ ଉତ୍‌ଥାପନ ହୋଇଛି, ତା’ ମଧ୍ୟରୁ ଭୂମିହୀନକୁ ଜମି, ବାର୍ଦ୍ଧକ୍ୟ ଭତ୍ତା ପରିମାଣ ବୃଦ୍ଧି, ଦୁଇଶହ ଦିନର କର୍ମଦିବସ, ମନରେଗାରେ ଗୋଟିଏ ସପ୍ତାହରେ ମଜୁରି ପ୍ରଦାନ, ଖାଦ୍ୟ ନିରାପତ୍ତା ଆଇନରେ ପୌଷ୍ଟିକ ଖାଦ୍ୟକୁ ପ୍ରାଧାନ୍ୟ, ପ୍ରତ୍ୟେକ ଜମିକୁ ଜଳସେଚନ, ଜଙ୍ଗଲ ଜମି ଅଧିକାରରେ ବାସ୍ତବ ହିତାଧିକାରୀ ଚିହ୍ନଟ, ଗ୍ରାମ ଓ ପଲ୍ଲୀ ସଭାର ରିଜଲ୍ୟୁସନ୍‌ ସମ୍ପୃକ୍ତ ୱେବ୍‌ସାଇଟ୍‌ରେ ଦୁଇଦିନ ମଧ୍ୟରେ ପ୍ରତିଫଳିତ ହେବା, ଜଙ୍ଗଲ ଜମିକୁ ରାଜସ୍ବ ଜମିକୁ ପରିବର୍ତ୍ତନ, ରାଜ୍ୟ ସଂଖ୍ୟାଲଘୁ ଓ ଅନୁସୂଚିତ ଜନଜାତି ଆୟୋଗ ସମେତ ନାରୀଙ୍କ ପାଇଁ ସମାନ ଅଧିକାର ପ୍ରମୁଖ ରହିଛି। ଇସ୍ତାହାର ପ୍ରଦାନ ପାଇଁ ହୋଇଥିବା ବୈଠକରେ ‘ଆମ ଭୋଟ୍‌ ଆମ ଇସ୍ତାହାର, ଘୋଷଣା କରୁଛୁ, କର ସ୍ବୀକାର’ ଆହ୍ବାନ ଦିଆଯାଇଛି। ସିପିଏମ୍‌ର ସୁରେଶ ପାଣିଗ୍ରାହୀ, କଂଗ୍ରେସର ସୁଦର୍ଶନ ଦାସ, ବିଜେପିର ସଜ୍ଜନ ଶର୍ମା, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସମେତ ସିଭିଲ ସୋସାଇଟିରୁ ବରିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ସମସ୍ତ ଦଳ ଏହି ଜନତାଙ୍କ ଇସ୍ତାହାରକୁ ନିଜ ଦଳ ଇସ୍ତାହାରରେ ଯଥାସମ୍ଭବ ପ୍ରତିଫଳିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା ଶ୍ରମଜୀବୀ ମଞ୍ଚର ଆବାହକ ଅଞ୍ଜନ ପ୍ରଧାନ ଓ ଅରୁଣ ଦେହୁଡ଼ି ବୈଠକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର