ଆରମ୍ଭ ହେଲା ଚତୁର୍ଥ ଉତ୍କଳ ଲୋକନୃତ୍ୟ ଉତ୍ସବ

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌’ ପକ୍ଷରୁ ‘ଚତୁର୍ଥ ଉତ୍କଳ ଲୋକନୃତ୍ୟ ଉତ୍ସବ’ ଆରମ୍ଭ ହୋଇଛି। ଚଳିତ ବର୍ଷର ଥିମ୍‌ ରହିଛି ‘କ୍ୟାମ୍ପସ୍‌ରେ ଲୋକନୃତ୍ୟ’। ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଶାର ଲୋକନୃତ୍ୟକୁ ଅଧିକ ପରିଚିତ କରାଇବା ଉଦ୍ଦେଶ୍ୟ ନେଇ ବିଭିନ୍ନ କଲେଜ କ୍ୟାମ୍ପସ୍‌ରେ ଏହାକୁ ପରିବେଷଣ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଯୋଜନା ରହିଛି। ଏହି ଉତ୍ସବର ପ୍ରଥମ କାର୍ଯ୍ୟକ୍ରମ ମଞ୍ଚେଶ୍ୱରସ୍ଥିତ ‘ରୟାଲ୍‌ କଲେଜ ଅଫ୍‌ ସାଇନ୍‌ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି’ରେ ସୋମବାର ଅନୁଷ୍ଠିତ ହୋଇଯାଇଛି।
ଉତ୍ସବକୁ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକ ଓ ରୟାଲ୍‌ କଲେଜ ଅଫ୍‌ ସାଇନ୍‌ସ୍‌ ଆଣ୍ଡ୍‌ ଟେକ୍ନୋଲୋଜିର ଚେୟାରମ୍ୟାନ୍‌ ବିଷ୍ଣୁମୋହନ ମହାନ୍ତି ଯୋଗ ଦେଇଥିଲେ। ଓଡ଼ିଶାର ସମୃଦ୍ଧ ଲୋକନୃତ୍ୟର ପ୍ରଚାର, ପ୍ରସାର ପାଇଁ ଅନୁଷ୍ଠାନର ଏହି ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ। ‘ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌’ର ଉପାଧ୍ୟକ୍ଷ ଜେନାମଣି ସଞ୍ଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ସମ୍ପାଦକ ଚୌଧୁରୀ ଅମିତାଭ ଦାସ ଓ ଯୁଗ୍ମ ସମ୍ପାଦକ ସାଲୁଟ୍‌ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍‌ଘାଟନ ପରେ ଲୋକନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ କଳାହାଣ୍ଡିର ‘ପ୍ରତିଭା’ ଅନୁଷ୍ଠାନର କଳାକାରମାନେ ସିଂହାରି ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ‘ଆରାଧନା’ ଅନୁଷ୍ଠାନର ଗୁରୁ ଚିତ୍ରସେନ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ଗୋଟିପୁଅ ଏବଂ ହରିପଦ ମହନ୍ତଙ୍କ ନିର୍ଦ୍ଦେଶନାରେ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା। କଲେଜ ପରିସରରେ ଖୋଲା ମଞ୍ଚରେ କଳାକାରମାନଙ୍କ ଚମତ୍କାର ପରିବେଷଣ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। କଲେଜର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବହୁ ବୁଦ୍ଧିଜୀବୀ ଏଥିରେ ଯୋଗ ଦେଇଥିଲେ। ଶ୍ରୀନିବାସ ଘଟୁଆରି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ କଲେଜ କ୍ୟାମ୍ପସ୍‌ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ନୂଆଦିଲ୍ଲୀରେ ଲୋକନୃତ୍ୟ ଉତ୍ସବ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର