ଭୁବନେଶ୍ବର: ଜାତିର ଜନକ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଆସିଥିଲେ। ତାଙ୍କ ଗସ୍ତର ପୃଷ୍ଠଭୂମିରେ ଗାନ୍ଧୀ ଐତିହ୍ୟ ସମ୍ବଳିତ ସ୍ଥାନ ଗୁଡ଼ିକର ଉନ୍ନତୀକରଣ ସମେତ ଗାନ୍ଧୀ ସର୍କିଟ ଯୋଜନାକୁ ଖୁବ୍ଶୀଘ୍ର କାର୍ଯ୍ୟକାରୀ କରାଯିବ। ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ସମାରୋହରେ ଆହୁରି ଅଧିକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ତାଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପିତ ହେବ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଗାନ୍ଧୀ କଥା’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହା କହିଛନ୍ତି। ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କୁ ବିଶ୍ବର ଅନ୍ୟତମ ବିଚକ୍ଷଣ ବ୍ୟକ୍ତିତ୍ବ ଭାବେ ଅଭିହିତ କରିବା ସହ ଗାନ୍ଧୀଜୀଙ୍କ ବାଣୀ ଚିରଦିନ ପାଇଁ ଅମର ରହିବ ବୋଲି କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ଭବିଷ୍ୟତ ପାଇଁ ଅନୁକୂଳ ହେବ ବୋଲି କହିବା ସହିତ ଗାନ୍ଧୀଜୀଙ୍କୁ ସହସ୍ରାବ୍ଦୀର ଶ୍ରେଷ୍ଠ ବ୍ୟକ୍ତିତ୍ବ ଭାବେ ବର୍ଣ୍ଣନା କରିଥିଲେ।
ମୁଖ୍ୟବକ୍ତା ସତ୍ୟନାରାୟଣ ସାହୁ ଗାନ୍ଧୀ ବିଚାର ଏବେ ମଧ୍ୟ ଅତୁଟ ରହିଛି ଓ ବହୁବର୍ଷ ପୂର୍ବରୁ ଗାନ୍ଧୀଜୀଙ୍କ ପ୍ରଦତ୍ତ ବାଣୀ ଏବେ କାର୍ଯ୍ୟଧାରାରେ ଅନୁସୃତ ହେଉଛି ବୋଲି କହିଥିଲେ। ଅହିଂସା, ସତ୍ୟାଗ୍ରହ ଓ ସତ୍ୟ ଗାନ୍ଧୀଜୀଙ୍କ ଚରମ ଅସ୍ତ୍ର ଥିଲା। ଆଜି ମଧ୍ୟ ଶାନ୍ତି ପାଇଁ ନୋବେଲ ବିଜେତାଙ୍କୁ ଦିଆଯାଉଥିବା ପ୍ରଶସ୍ତି ପତ୍ରରେ ଗାନ୍ଧୀ ଆଦର୍ଶ ଉଲ୍ଲେଖ ରହୁଛି। ଦେଶ ଓ ବିଦେଶର ଅନେକ ବିଶ୍ବବିଦ୍ୟାଳୟରେ ଗାନ୍ଧୀଜୀଙ୍କ ସମ୍ପର୍କରେ ଅଧିକ ଗବେଷଣା ଚାଲୁ ରହିଛି ବୋଲି ଶ୍ରୀ ସାହୁ କହିଥିଲେ।
ସୂଚନା ଓ ଲୋକସମ୍ପର୍କ ବିଭାଗ କମିସନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଆମ ସମସ୍ତଙ୍କ ଆଚରଣରେ ଗାନ୍ଧୀବାଦ ପ୍ରତିଫଳିତ ହେଲେ ଏକ ସୁସ୍ଥ ଓ ସମୃଦ୍ଧ ସାମାଜିକ ବ୍ୟବସ୍ଥା ସମ୍ଭବ ହେବ ବୋଲି କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ ସ୍ବାଗତ ଭାଷଣ ପ୍ରସଙ୍ଗରେ ଗାନ୍ଧୀ ଜୟନ୍ତୀ ଓ ବିଶ୍ବବ୍ୟାପୀ ପାଳିତ ଅହିଂସା ଦିବସ ଉପରେ ଆଲୋକପାତ କରିଥିଲେ। ଅତିଥିମାନେ ଗାନ୍ଧୀଜୀଙ୍କ ଫଟୋଚିତ୍ରରେ ସୂତ୍ରମାଳ ଅର୍ପଣ କରିବା ସହ ବୃକ୍ଷଚାରାରେ ଜଳଦାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରାରମ୍ଭରେ ରାମଧୂନ ପରିବେଷିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମି ପ୍ରକାଶିତ ପ୍ରକାଶିତ ହୁସେନ ରବି ଗାନ୍ଧୀ ଓ ଇନ୍ଦିରା ଦାଶଙ୍କ ସମ୍ପାଦିତ ‘କବି ମାନସରେ ଗାନ୍ଧୀ’, ଡ. ଜୟନ୍ତୀ ରଥ ଓ ଶୀତେଶ ତ୍ରିପାଠୀଙ୍କ ସମ୍ପାଦିତ ‘ଗାନ୍ଧୀ କଥା ଓ କାହାଣୀ’, ଦାସ ବେନହୁର, ଅରବିନ୍ଦ ପଟ୍ଟନାୟକ ଓ ଚନ୍ଦ୍ରଶେଖର ହୋତାଙ୍କ ସମ୍ପାଦିତ ‘ଗାନ୍ଧୀ ବିବିଧତା: ଓଡ଼ିଶାରେ ଗାନ୍ଧୀ ଓ ଗାନ୍ଧୀଚର୍ଚ୍ଚା’ ତିନୋଟି ପୁସ୍ତକର ପ୍ରଥମ ଖଣ୍ଡ ଓ ଅଧ୍ୟାପକ ଧନେଶ୍ବର ମହାରଣାଙ୍କ ରଚିତ ‘ମୃଣ୍ମୟ ମହାତ୍ମା’ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘ଓଡ଼ିଶାରେ ଗାନ୍ଧୀଜୀ’ ଶୀର୍ଷକ ଫଟୋ ଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଆଜି ସକାଳେ ଆଚାର୍ଯ୍ୟ ବିହାରରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଆୟୋଜିତ ଏକ ବିଶାଳ ମାନବ ଶୃଙ୍ଖଳରେ ବିଭିନ୍ନ ଶିକ୍ଷାନୁଷ୍ଠାନର ହଜାର ହଜାର ଛାତ୍ରଛାତ୍ରୀ ତଥା ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀ ମାନେ ସାମିଲ ହୋଇ ଗାନ୍ଧୀଜୀଙ୍କ ଅହିଂସା ବାର୍ତ୍ତାର ପ୍ରଚାର କରିଥିଲେ।