ଆରମ୍ଭ ହେଲା ‘ଗୁରୁ ପଙ୍କଜ ଉତ୍ସବ’, ମୋହିନୀ ଆଟ୍ଟମରେ ମହାଭାରତ

ମିନତି, ପ୍ରିୟମ୍ବଦାଙ୍କୁ ଆଦିଗୁରୁ ପରମ୍ପରା ସମ୍ମାନ

ଭୁବନେଶ୍ବର: ପୂଜ୍ୟପୂଜା ସହ ନୃତ୍ୟ ଉତ୍ସବର ବିଶେଷ ମନୋରଂଜନଧର୍ମୀ ସନ୍ଧ୍ୟା ‘ଗୁରୁ ପଙ୍କଜ ଉତ୍ସବ’ ଆରମ୍ଭ ହୋଇଛି। ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ନୃତ୍ୟଗୁରୁ ମିନତି ମିଶ୍ର ଏବଂ ନୃତ୍ୟ ବିଦୁଷୀ ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦିଙ୍କୁ ‘ଆଦିଗୁରୁ ପଙ୍କଜ ଚରଣ ଦାସ ପରମ୍ପରା ସମ୍ମାନ’ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ଦେଇ ସମ୍ବର୍ଧିତ କରାଯାଇଥିଲା। ଆଦିଗୁରୁଙ୍କ ୧୦୦ ତମ ଜନ୍ମବାର୍ଷିକୀ ଏବଂ ଉତ୍ସବର ରୌପ୍ୟ ଜୟନ୍ତୀରେ ବିଶିଷ୍ଟ କବି ରମାକାନ୍ତ ରଥ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ପ୍ରାକ୍ତନ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ, ନୃତ୍ୟ ସମୀକ୍ଷକ ସୁନିଲ କୋଠାରୀ, ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟ, ମର୍ଦଳ ଗୁରୁ ଧନେଶ୍ବର ସ୍ବାଇଁ ଅତିଥି ଭାବେ ଯୋଗଦେଇ ସମ୍ମାନ ପ୍ରଦାନ କରିଥିଲେ। ପ୍ରତିଷ୍ଠାନର ନ‌ି‌ର୍ଦେଶକ ଶରତ ଦାସ ଏବଂ ସଭାପତି ବଟକୃଷ୍ଣ ତ୍ରିପାଠୀ ଉପସ୍ଥିତ ଥିଲେ। ଉଦ୍‌ଘାଟନୀ ପର୍ବ ପରେ ନୃତ୍ୟଶିଳ୍ପୀ ସୁହାଗ ନଳିନୀ ଦାସ ନୃତ୍ୟରେ ମଧୁରାଷ୍ଟକମ୍‌ ଭେଟି ଦେଇଥିଲେ। କୃଷ୍ଣରସକୁ ଅପୂର୍ବ ଅଭିନୟ ଚାତୁରୀ ମିଶାଇ ସେ ପରିବେଷଣ କରିଥିଲେ। ‌ମୋହିନୀ ଆଟ୍ଟମ ନୃତ୍ୟଶିଳ୍ପୀ ସାଜି ମେନନ୍‌ ମହାଭାରତର ଅମ୍ବା ଶିଖଣ୍ଡୀ କଥାବସ୍ତୁର ଅବତାରଣା କରି ଦର୍ଶକଙ୍କୁ ବିଭୋର କରିଥିଲେ। ନୃତ୍ୟଶିଳ୍ପୀ କବିତା ଦ୍ବିବେଦୀ ‘କାଲି କାହିଁକି ନୋଇଲେ ଶ୍ୟାମ ନାଗର… ଗୀତରେ ନୃତ୍ୟାଭିନୟ ଭେଟି ଦେଇଥିଲେ। ଏସ୍‌ ଭରଦ୍‌କର ନୃତ୍ୟରେ ଶଙ୍କରାଚାର୍ଯ୍ୟଙ୍କ ରଚିତ ନିର୍ବାଣାଷ୍ଟକଂ ପରସି ଦେଇଥିଲେ। ଏଥିସହ ନକ୍ଷତ୍ର ଗୁରୁକୂଳର ଶିଳ୍ପୀମାନେ ଦଳଗତ ନୃତ୍ୟରେ ‘ଗ୍ଳାନି ସଂହାର’ ପ୍ରସ୍ତୁତ କରିଥିଲେ। ଅପରାହ୍‌ଣ ଅଧିବେଶନରେ ଶ୍ରେୟା ଚକ୍ରବର୍ତୀ, ସୋମନାଥ ପଣ୍ଡା, ସୁଚିସ୍ମିତା କାଞ୍ଜିଲାଲ୍‌, ଯଶୋମତୀ ମିଶ୍ର, ଅମୃତା ଓ କେ ଜ୍ୟୋତିର୍ମୟୀ ନୃତ୍ୟ ପରିବେଷଣ କରିଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର