ଭୁବନେଶ୍ବର: ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ‘ବୟନିକା’ ପକ୍ଷରୁ ଆଜି ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଯାଇଛି ‘ଷୋଡ଼ଶ ଜାତୀୟ ହସ୍ତତନ୍ତ ମେଳା’। ବୟନିକାର ସଭାପତି ଶେଷ କୁମାର ମେହେର ଏହାକୁ ଉଦ୍‌ଘାଟନ କରିଥିଲେ। ବୟନ ଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ବାରିକ, ବୟନିକାର ପରିଚାଳନା ନି‌ର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ଶାସନ ସଚିବ ବୃନ୍ଦାବନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମେଳାରେ ଓଡ଼ିଶାର ୩୦ଟି ଷ୍ଟଲ ସମେତ ଉତ୍ତରପ୍ରଦେଶ, ଜମ୍ମୁ ଓ କଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ହରିୟାନାର ପ୍ରାୟ ୧୦୦ଟି ଷ୍ଟଲ ଖୋଲିଛି। ଏଥିରେ ଦେଶର କୋଣ ଅନୁକୋଣରୁ ସୂତା, ସିଲ୍‌କ, ଟସର, ଏରି ଓ ବିଭିନ୍ନ ଡିଜାଇନ୍‌ର ଶାଢ଼ି, ଡ୍ରେସ ମାଟେରିଆଲ, ପରଦା, କପଡ଼ା, ଲୁଙ୍ଗି, ଧୋତି, ଟାୱେଲ, ଫର୍ନିସିଂ କପଡ଼ା ଆଦି ଉପଲବ୍ଧ ହେଉଛି। ପ୍ରଦର୍ଶନୀରେ ଓଡ଼ିଶାର ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ ଓ ସେରିଫେଡ୍‌ ତଥା ଅନ୍ୟାନ୍ୟ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ଅଂଶଗ୍ରହଣ କରିଛନ୍ତି। ଏଥିରେ ଓଡ଼ିଶାର ବାନ୍ଧବସ୍ତ୍ର ପରି ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ନୌର ଚିକନ୍‌କାରୀ, ଜମ୍ମୁ-କଶ୍ମୀରର ପଶ୍ମିନା ସଲ୍‌, ତାମିଲନାଡୁର କାଞ୍ଜିବରମ୍‌ ପାଟ ଶାଢ଼ି, ଦିଲ୍ଲୀ, ହରିୟାନା ଓ ଉତ୍ତର ପ୍ରଦେଶର ଫର୍ନିସିଂ, ପଞ୍ଜାବର କମ୍ବଳ ଆଦି ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଯାଉଛି। ଉଦ୍‌ଘାଟନୀ ଉତ୍ସବରେ ବୟନିକାର ପରିଚାଳନା ପରିଷଦର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।