ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଓଡ଼ିଶା ସମୃଦ୍ଧ କଳାର ରାଜ୍ୟ ବୋଲି ଜାଣିଥିଲି। କିନ୍ତୁ ଆଜି ଦେଖିଲି ଓଡ଼ିଶା କୌଶଳର ରାଜ୍ୟ ମଧ୍ୟ। ପ୍ରାଚୀନ କୁଶଳୀ ଓଡ଼ିଆଙ୍କ ଗୁଣ ଏବେ ବି ଓଡ଼ିଆ ଯୁବକଙ୍କ ଭିତରେ ଭରପୂର ରହିଛି। ଆଜି ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ ପ୍ରତିଯୋଗିତା-୨୦୧୮ରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତାକୁ ଦେଖି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏଭଳି ପ୍ରଶଂସା କରିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଥିବା ଏହି ଅନ୍ତଃରାଜ୍ୟସ୍ତରୀୟ ପ୍ରତିଯୋଗିତାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି। ରାଜ୍ୟପାଳ ପ୍ରଫେସର ଲାଲ୍ କହିଲେ ଯେ ଦିନ ଆସିବ, ଯେତେବେଳେ ଚୀନ୍ ୫୦୦ ସାମଗ୍ରୀ ଉତ୍ପାଦନ କରିବା କ୍ଷମତା ରଖିଥିବ, ସେତେବେଳେ ଭାରତ ୫ହଜାର ସାମଗ୍ରୀ ଉତ୍ପାଦନ କରିବା ସାମର୍ଥ୍ୟର ଅଧିକାରୀ ହୋଇଥିବ। ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରାଳୟର ଯୁଗ୍ମ ସଚିବ ରାଜେଶ ଅଗ୍ରଓ୍ଵାଲ୍ କହିଲେ ଯେ ୨୦୦୭ ମସିହାରୁ ଭାରତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ୬ ଥର ଅଂଶଗ୍ରହଣ କରି ସାରିଲାଣି ଓ ଏବେ ତାହା ଅଧିକ ବ୍ୟାପକ ହୋଇପାରିଛି। ଏବେ ଏହି କାର୍ଯ୍ୟକ୍ରମ ଜରିଆରେ ମହିଳାମାନେ ବେଶ୍ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଇଣ୍ଡିଆ ସ୍କିଲ୍ କାର୍ଯ୍ୟକ୍ରମ ବେଶ୍ ଉପାଦେୟ ହୋଇଛି ବୋଲି ସେ କହିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରତିଯୋଗିତା ମୋଟ୍ ୨୭ଟି ବିଭାଗରେ ହୋଇଥିଲା ଓ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ପୂର୍ବାଞ୍ଚଳ ଭାରତର ଓଡ଼ିଶା, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ବିହାର ଓ ଝାଡ଼ଖଣ୍ଡ ରାଜ୍ୟ ସମେତ ଦେଶର ୨୨ଟି ରାଜ୍ୟରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ। ଝଳେଇ, କେଶ ବିନ୍ୟାସ, ବେକେରି, ପାଇପ୍ କାମ, କୁକିଂ, ଅଟୋମୋବାଇଲ୍, ରେଷ୍ଟୁରାଣ୍ଟ ସର୍ଭିସ୍, ସ୍ୱାସ୍ଥ୍ୟ ସେବା ଭଳି ବହୁ ବିଭାଗରେ ଓଡ଼ିଶାର ପ୍ରତିଯୋଗୀମାନେ ବାଜିମାତ୍ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶ ପ୍ରମୁଖ ସଚିବ ସଂଜୟ ସିଂହ, ବିହାର ଦକ୍ଷତା ବିକାଶ ପ୍ରମୁଖ ସଚିବ ଦୀପକ କୁମାର ଓ ନ୍ୟାସ୍ନାଲ୍ ସ୍କିଲ୍ ଡେଭେଲପମେଣ୍ଟ କର୍ପୋରେସନ୍ ଏମ୍ଡି ତଥା ସିଇଓ ମନୀଷ କୁମାର ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/india-skiill-east.jpg)