ଆରମ୍ଭ ହେଲା ‘ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ’: ପ୍ରଥମ ଦିନରେ ୧୦ ଚଳଚ୍ଚିତ୍ର ପ୍ରଦର୍ଶିତ

ଭୁବନେଶ୍ବର: ‘ଭୁବନେଶ୍ବର ଚଳଚ୍ଚିତ୍ର ସମାଜ’ ପକ୍ଷରୁ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ଆଜି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଉଦ୍‌ଘା‌ଟିତ ହୋଇଯାଇଛି। ସମକାଳୀନ ଭାରତୀୟ ଚଳଚ୍ଚିତ୍ରର ବିବିଧତାକୁ ଦର୍ଶାଇବା ତଥା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜର କଳାତ୍ମକ, ସାମା‌ଜିକ, ସାଂସ୍କୃତିକ ଓ ପ୍ରାସଙ୍ଗିକ ବୈଶିଷ୍ଟ୍ୟର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ବହୁଚର୍ଚ୍ଚିତ ଚଳଚ୍ଚିତ୍ରଗୁଡ଼ିକ ଏହି ମହୋତ୍ସବରେ ପ୍ରଦର୍ଶିତ ‌ହେବ। ଉଦ୍‌ଘାଟନୀ ଉତ୍ସବ ଅବସରରେ ଆଜି ମୋଟ୍‌ ୧୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ଚଳିତ ବର୍ଷ ଉତ୍ସବଟି ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସ୍ବର୍ଗତ ମନମୋହନ ମହାପାତ୍ର ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୃଣାଲ୍‌ ସେନ୍‌ଙ୍କ ଉଦ୍ଦେଶ୍ୟ‌ରେ ଉତ୍ସର୍ଗ କରାଯାଇଛି। ଏହି ଅବସରରେ ସ୍ବର୍ଗତ ମହାପାତ୍ରଙ୍କ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇଥିଲା। କେରଳ ଚଳଚ୍ଚିତ୍ର ଏକାଡେମି, ଭାରତୀୟ କଳା ଅନୁଷ୍ଠାନ ଓ ଭାରତୀୟ ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାର ଆଦିରୁ ବିଭିନ୍ନ ଚଳଚ୍ଚିତ୍ର ସଂଗୃହୀତ କରି ଏଥିରେ ପ୍ରଦର୍ଶିତ କରାଯାଇଛି।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଚଳଚ୍ଚିତ୍ର ପ୍ରତିଯୋଗିତାର ଆୟୋଜନ କରାଯାଇଛି। ସାରା ଦେଶରୁ ୫୦ରୁ ଊର୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏଥିରେ ଚନ୍ଦ୍ରଭାନୁ ପଟ୍ଟନାୟକ ଓ ଅକଲଖ୍‌ ଅହମ୍ମଦ ବିଚାରକ ଭାବେ ଯୋଗ ଦେଇଛନ୍ତି। ସେମାନଙ୍କ ଦ୍ବାରା ନିର୍ବାଚିତ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯିବା ସହ ଉକ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସବରେ ପୁରସ୍କୃତ କରାଯିବ। ଆଜି ଆୟୋଜିତ ଏକ ଚଳଚ୍ଚିତ୍ର କର୍ମଶାଳାରେ ଚଳଚ୍ଚିତ୍ର ନିର୍ମାତା ରୋନି ସେନ୍‌, ୱାନ୍‌ଫ୍ରାଙ୍ଗ୍‌ ଡି., ଫାହିମ୍‌ ଇର୍ସଦ ଓ ଅବାନ୍‌ ରାଜା ପ୍ରମୁଖ ଯୋଗ ଦେଇଥିଲେ। ଭୁବନେଶ୍ବର ଚଳଚ୍ଚିତ୍ର ସମାଜର ସମ୍ପାଦକ ସୁବ୍ରତ ବେଉରା ଉତ୍ସବକୁ ପରିଚାଳନା କରିଥିଲେ। ୨୬ ତାରିଖ ଯାଏ ଚାଲିବାକୁ ଥିବା ଏହି ଉତ୍ସବରେ ବିଭିନ୍ନ ଭାଷାଭାଷୀର ୪୫ଟି ଫିଚର୍‌ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏଥିସହ କଳାକାର ଦେବାଶିଷ ବେଉରାଙ୍କ କଳା ପ୍ରଦର୍ଶନୀ ସହ ଫଟୋ ଓ ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର