ଆରମ୍ଭ ହେଲା କଳିଙ୍ଗ ନାଟ୍ୟ ମହୋତ୍ସବ : ନାଟକ ‘ବିଷଣ୍ଣ ଭାରତ’

ନାଟକ ହିଁ କେବଳ ମୌଳିକତା ବଜାୟ ରଖିଛି

ଭୁବନେଶ୍ୱର: ବହୁଭାଷୀ ନାଟ୍ୟ ସମାରୋହ ‘କଳିଙ୍ଗ ନାଟ୍ୟ ମହୋତ୍ସବ’ର ପରଦା ଖୋଲିଛି। ‘ଶତାବ୍ଦୀର କଳାକାର’ ନାଟ୍ୟାନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି ୫ଦିନିଆ ନାଟ୍ୟ ମହୋତ୍ସବ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ସବକୁ ଉଦ୍‌ଘାଟନ କରି କହିଲେ, ଆମ କୋଣାର୍କ, ଲିଙ୍ଗରାଜ ମନ୍ଦିର, ଶ୍ରୀମନ୍ଦିର ଏକ ବିଜ୍ଞାନ। କେହି ମାନୁ କି ନମାନୁ, କିନ୍ତୁ ଓଡ଼ିଆ ଜୀବନର ଜାଜ୍ଜୁଲ୍ୟମାନ ଜନଜୀବନ ଏହାର ପ୍ରମାଣ। ସେହିପରି ମଧୁବାବୁଙ୍କ ୮୪ତମ ପୁଣ୍ୟତିଥିକୁ ସ୍ମରଣ କରି କହିଲେ, ଆମେ ଯେଉଁ ଶିଳ୍ପାୟନ, ରପ୍ତାନୀ, ଆମଦାନୀ, ପାରାଦୀପ ବନ୍ଦର କଥା ଏବେ ଚିନ୍ତା କରୁଛେ ତାହା ୧୦୦ ବର୍ଷ ଆଗରୁ ମଧୁବାବୁ ଅବିଭକ୍ତ ବିହାର-ଓଡ଼ିଶା ପ୍ରଦେଶର ବିଧାନସଭାରେ କହିଥିଲେ ବୋଲି ଏକ ପ୍ରମାଣକୁ ପାଥେୟ କରି କହିଥିଲେ। ବିଜେପିର ବରିଷ୍ଠ ନେତା ତଥା ନାଟ୍ୟକାର ବିଶ୍ୱଭୂଷଣ ହରିଚନ୍ଦନ କହିଲେ, ସଂପ୍ରତି ନିର୍ମିତ ହେଉଥିବା ସିନେମା ଅପ୍ରାସାଙ୍ଗିକ ଓ ଅବାସ୍ତବ। ତାହା କେବଳ ଦର୍ଶକଙ୍କ ଉପରେ ଚାପି ଦିଆଯାଉଛି। ସେହିଭଳି ଓଡ଼ିଆ ଧାରାବାହିକର କାହାଣୀର ଆମର ସାମାଜିକ ସ୍ଥିତି ସହ ସମ୍ପର୍କ ନାହିଁ। ଓଡ଼ିଆ ସାହିତ୍ୟ ଓ ଗଳ୍ପରେ ଏତେ କଥା ଥାଇ ବି ଧାରାବାହିକ ତେଲୁଗୁ, ମହାରାଷ୍ଟ୍ର ଓ ବଙ୍ଗଳା ଭାଷାରୁ କପି କରାଯାଉଛି। ମାତ୍ର ନାଟକ ହିଁ କେବଳ ମୌଳିକତା ବଜାୟ ରଖିଛି ଏବଂ ବାସ୍ତବତାକୁ ପରିସ୍ଫୁଟ କରୁଛି ବୋଲି ସେ କହିଥିଲେ। ଅନୁଷ୍ଠାନର ସଭାପତି ଗୌରହରି ଦାସ କାର୍ଯ୍ୟକ୍ରମ ଅଧ୍ୟକ୍ଷତା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ସାଧାରଣ ସମ୍ପାଦକ ଧୀର ମଲ୍ଲିକ। ସଭା ପରେ ପରିବେଷିତ ହୋଇଥିଲା ଯୁଦ୍ଧ ବିରୋଧୀ ଏବଂ ଶାନ୍ତି ପ୍ରତିଷ୍ଠାର ବାର୍ତାବହ ନାଟକ ‘ବିଷଣ୍ଣ ଭାରତ’। ରାଜନୈତିକ ଅଭିପ୍ସା ଓ ପ୍ରଭୁତ୍ୱ ଜାହିର କରିବାର ଆକାଂକ୍ଷାକୁ ସାକାର କରିବା ପାଇଁ ଯୁଦ୍ଧକୁ ଅମାନ୍ତ୍ରଣ କରାଯାଉଥିବା ବେଳେ ଏଥିରେ ବଳି ପଡ଼ନ୍ତି ନୀରିହ ମଣିଷମାନେ। ଏହିଭଳି ଏକ ବାର୍ତାବହ ନାଟକର ରଚନା ଶଙ୍କର ତ୍ରିପାଠୀ କରିଥିବା ବେଳେ ନିର୍ଦେଶନା ଦେଇଥିଲେ ଧୀର ମଲ୍ଲିକ। ପ୍ରତାପ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ସଂଗ୍ରାମ, ନୃସିଂହ ଓ ପାଣ୍ଡିଆ ମଞ୍ଚ ସଜେଇଥିଲେ। ଅଭିନୟ କରିଥିଲେ ସୌମେନ୍ଦ୍ର, ଆଲୋକ, ସୁବାସ, ସନ୍ତୋଷ, ଭାରତ, ରୋସନ, ଶୁଭାଶିଷ, ଅଂଶୁମାନ, ସୁଜ୍ଞାନ, ବିଧାଂଶୁ, ସମୀର, ଅଶୋକ, ଅର୍‌ମାନ୍‌, ଅବିନାଶ, ସୀମାଚଳ, ବିନୋଦ, ଗଗନ, ସମ୍ବିତ, ତାରା, ରାଜ, ମନିଦୀପା, ଜସ୍ମିନ୍‌ ଓ ଆଭା ଅଭିପ୍ସା।

ଏହି ଅବସରରେ ଅଭିନେତ୍ରୀ ମମତା ମହାନ୍ତିଙ୍କୁ ୧୫ହଜାର ଟଙ୍କାର ଅର୍ଥରାଶି ସହ ‘ସୁମିତ୍ରା ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ଫଟୋ ସାମ୍ବାଦିକ ସଂଜୀବ ମୁଖାର୍ଜୀ, ସାମ୍ବାଦିକ ହରପ୍ରସାଦ ଦାସ ଏବଂ ସତ୍ୟନାରାୟଣ ରାଉତରାୟଙ୍କୁ ‘ଶତାବ୍ଦୀର କଳାକାର ସମ୍ମାନ’ ପ୍ରଦାନ କରାଯାଇଥିଲା। ଆସନ୍ତାକାଲି ବହୁ ଦର୍ଶକୀୟ ଆଦୃତି ସାଉଁଟିଥିବା ନାଟକ ‘ବାଞ୍ଛାର ବଗିଚା’ ମଞ୍ଚସ୍ଥ ହେବ।

ସମ୍ବନ୍ଧିତ ଖବର