ଆରମ୍ଭ ହେଲା ‘କମଳ ଦେଶ ରାଜକୁମାର’ ପ୍ରଫୁଲ୍ଲ-ପ୍ରଣବ ଭେଟିଦେଲେ ‘ରେ ଆତ୍ମନ… 

ଭୁବନେଶ୍ବର: ମଞ୍ଚରୁ ସଞ୍ଚରି ଆସୁଥିଲା ‘ରେ ଆତ୍ମନ ନିଦ୍ରା ପରିହରି…। ଗୀତଟି ଗାଉଥିଲେ ପ୍ରଣବ ପଟ୍ଟନାୟକ। ପାଖରେ ଛିଡ଼ା ହୋଇ ହା‌ରମୋନିୟମରେ ସହଯୋଗ କରୁଥିଲେ ପ୍ରଫୁଲ୍ଲ କର। ଗୀତ ସରିଗଲା ପରେ ପ୍ରଣବଙ୍କୁ କୁ‌େଣ୍ଗାଇ ଗାଲରେ ଚୁମ୍ବନଟିଏ ମାଖିଦେଲେ ପ୍ରଫୁଲ୍ଲ। କହିଲେ ତୋ ବୟସ ବୋଧେ ୩୦କୁ ଖସି ଆସିଲା। ଗୀତ ଶୁଣିବା ପରେ ଶ୍ରୋତା ଯେତିକି ଉଲ୍ଲସିତ ହୋଇଥିଲେ, ଏ ଦୃଶ୍ୟ ପରେ ତା’ଠୁ ଅଧିକ ରୋମାଞ୍ଚିତ ହୋଇଉଠିଲେ। ଦୁଇ ବନ୍ଧୁ ଦିନେ କୋଲକାତାରେ ଏହି ଗୀତଟିକୁ ପ୍ରସ୍ତୁତ କରିଥିବା ବେଳେ ସେଦିନର ସ୍ମୃତିକୁ ତାଜା କରି ରବୀନ୍ଦ୍ର ମଣ୍ଡପରେ ଏକ ଅଭୁଲା ସ୍ବାକ୍ଷର ଛାଡ଼ି ଦେଇଥିଲେ। ଅବସର ଥିଲା ବିଶିଷ୍ଟ ସଂଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ୮୦ତମ ଜନ୍ମ ଦିବସ ଉପଲକ୍ଷେ ସଂଗୀତ କାର୍ଯ୍ୟକ୍ରମ ‘କମଳ ଦେଶ ରାଜକୁମାର’।

ଫେବ୍ରୁଆରି ୧୬ ଶ୍ରୀ କରଙ୍କ ଜନ୍ମ ଦିବସ ଥିବା ବେ‌ଳେ ପ୍ରଫୁଲ୍ଲ କର ଫାଉଣ୍ଡେସନ୍‌ ପକ୍ଷରୁ ‘ସଂସ୍କାର’ ସହଯୋଗରେ ଆରମ୍ଭ ହୋଇଛି ଦୁଇ ଦିନିଆ ସଂଗୀତ କାର୍ଯ୍ୟକ୍ରମ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ ଏବଂ ଦାଶ ଫାଉଣ୍ଡେସନ୍‌ (ଆମେରିକା)ର ଅଧ୍ୟକ୍ଷ ଶୀତକଣ୍ଠ ଦାଶ ଅତିଥି ଭାବେ ଯୋଗଦେଇ ଶୁଭେଚ୍ଛା ଜଣାଇଥିଲେ। ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଦାଶ ବେନହରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଚୌଧୁରୀ ଅମିତାଭ ଦାସ, ଆବାହକ ଗିରିଜା ଶଙ୍କର ଦାଶ, ସଂଯୋଜକ ଡ. ଜେନାମଣି ସଞ୍ଜୀବ କୁମାର ଏବଂ ‘ସଂସ୍କାର’ର ସାଧାରଣ ସମ୍ପାଦକ ମହାଦୀପ କର ଉପସ୍ଥିତ ଥିଲେ। ପୂର୍ବରୁ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ପୁଲ୍‌ୱାମାରେ ସହିଦ ହୋଇଥିବା ସୈନିକ, ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା ଏବଂ ଅର୍ଜୁନ ଚରଣ ସାମଲଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା।

ପ୍ରଣବଙ୍କ ପ‌ରେ ଦେବାଶିଷ ମହାପାତ୍ର ଗାଇଥିଲେ ’ତୋ ସାଥେ ପିରତି କରି…’, ‘ଆମେ ଦୁଇ ଭାଇ କାଶିଆ, କପିଳା…’। ଗୀତା ଦାଶଙ୍କ କଣ୍ଠରେ ‘ତୁମେ ଦେବ ମୁଁ ପୂଜାରିଣୀ’, ‘ଠିକ୍ କରିଛି, ବେଶ୍ କରିଛି, ପ୍ରେମ କରିଛି…’ ଗୀତଗୁଡ଼ିକ ଶ୍ରୋତାଙ୍କୁ ବାନ୍ଧି ରଖିଥିଲା। ଛନ୍ଦା ମିଶ୍ର ଗାଇଥିଲେ ‘ହେ ଫଗୁଣ କାନ୍ଦନାରେ…’ ଏବଂ ମହାପ୍ରସାଦ କର ଗାଇଥିଲେ ‘ମନ ମାତିଲାରେ…’, ‘ଅଜଣା ଏକ ସହରେ…’। ମୁମ୍ବାଇର ଜଣାଶୁଣା କଣ୍ଠଶିଳ୍ପୀ ସାରିକା ସିଂହ ପରିବେଷଣ କରିଥିଲେ ‘ମୋତେ ବାନ୍ଧି ନେରେ ପୁଲିସ୍ ବାବୁ’ ଓ ‘ପାଦରେ ପାଦ ଛନ୍ଦା…’। ସଙ୍ଗୀତ ଆସରକୁ ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ। ଫାଉଣ୍ଡେସନ୍‌ର କର୍ମକର୍ତ୍ତା ବିଶ୍ବରଞ୍ଜନ ଦାଶ, ବିମଳ ଦାସ, ପରେଶ ମାହୁନ୍ତ, ଶିତିକଣ୍ଠ ସେନାପତି, ସାଲୁଟ୍ ସାହୁ ଓ ସଂତୃପ୍ତ ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆସନ୍ତାକାଲି ଦ୍ବିତୀୟ ଦିବସରେ ପ୍ରଫୁଲ୍ଲ କରଙ୍କୁ ଜନ୍ମଦିନର ସମ୍ବର୍ଦ୍ଧନା ଦିଆଯିବା ସହ ରାଜ୍ୟର ଲବ୍ଧ ପ୍ରତିଷ୍ଠ କଣ୍ଠଶିଳ୍ପୀମା‌ନେ ସଙ୍ଗୀତ ପରିବେଷଣ କରିବେ।

ସମ୍ବନ୍ଧିତ ଖବର