ଆରମ୍ଭ ହେଲା ‘କିଟ୍ ଫେଷ୍ଟ୍‌’

ଚନ୍ଦ୍ରଶେଖରପୁର: କିଟ୍‍ ବିଶ୍ୱବିଦ୍ୟାଳୟର ସର୍ବବୃହତ୍‌ ବୈଷୟିକ-ସାଂସ୍କୃତିକ ମହାକୁମ୍ଭ ‘କିଟ୍ ଫେଷ୍ଟ’ର ପଞ୍ଚମ ସଂସ୍କରଣ ଶୁକ୍ରବାର କିଟ୍‍ ପରିସରରେ ଉଦ୍‍ଘାଟିତ ହୋଇଛି। ଉଦ୍‍ଘାଟନୀ ଉତ୍ସବରେ ଇଣ୍ଡିଆନ୍‍ ହାବିଟାଟ୍‍ ସେଣ୍ଟରର ନିର୍ଦ୍ଦେଶକ ସୁନିତ ଟଣ୍ଡନ୍‌, ଏରିକ୍ସନ୍‍ର ରିସର୍ଚ୍ଚ ମ୍ୟାନେଜମେଣ୍ଟ ମୁଖ୍ୟ ଅନୁପ କୁମାର ଦାସ, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କିଟ୍‍ ଫେଷ୍ଟ ମୋବାଇଲ୍‍ ଆପ୍‍କୁ ଅତିଥିମାନେ ଉଦ୍‍ଘାଟନ କରିବା ସହ କିଟ୍‍ ଫେଷ୍ଟ୍‌ର ମୁଖପତ୍ର ‘କ୍ରିତିକା’, ସିଭିଲ୍‍ ଇଂଜିନିୟରିଂ ବିଭାଗର ସ୍ମରଣିକା ‘ନିର୍ମିନାଇଟ୍‍’, କମ୍ପ୍ୟୁଟର ସାଇନ୍‍ସ ବିଭାଗର ସ୍ମରଣିକା ‘କିବିବାଇଟ୍‍’, ଇଲେକ୍ଟ୍ରୋନିକ୍‍ସ ଇଂଜିନିୟରିଂ ବିଭାଗର ସ୍ମରଣିକା ‘କ୍ୟୁରୋସିଟି’, ମେକାନିକାଲ୍‍ ଇଂଜିନିୟରିଂ ବିଭାଗର ସ୍ମରଣିକା ‘ଯନ୍ତ୍ର ଏନ୍‍ଏକ୍‍ସଟି’କୁ ଉନ୍ମୋଚନ କରିଥିଲେ। ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଷ୍ଟାର୍‍ ନାଇଟ୍‍ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍‍ କଣ୍ଠଶିଳ୍ପୀ ଅର୍‍ମାନ୍‍ ମଲିକ୍‌। ଏଥିରେ ଭାରତର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟରୁ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ ୨୫ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ୩ ଦିନବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ବୈଷୟିକ, କଳା, ସାଂସ୍କୃତିକ ଓ ସୃଜନାତ୍ମକ ପ୍ରତିଯୋଗିତାରେ ଭାଗନେଇ ସେମାନଙ୍କ ପ୍ରତିଭା ପ୍ରତିପାଦନ କରିବାର ସୁଯୋଗ ପାଇବେ। ଏଥିପାଇଁ କିଟ୍‍ର ବିଭିନ୍ନ କ୍ୟାମ୍ପସ ଉତ୍ସବମୁଖର ହୋଇ ଉଠିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର