ଆରମ୍ଭ ହେଲା କୋଣାର୍କ ସାହିତ୍ୟ ଉତ୍ସବ

ଭୁବନେଶ୍ବର: ଲେଖକ ଓ ପାଠକଙ୍କୁ ଭାବର ଆଦାନ ପ୍ରଦାନ ସହ ବିଭିନ୍ନ ସୃଜନ କାର୍ଯ୍ୟକ୍ରମର ସମାହାରକୁ ନେଇ ଆଜିଠୁ ଆରମ୍ଭ ହୋଇଛି ‘କୋଣାର୍କ ସାହିତ୍ୟ ଉତ୍ସବ’। କୋଣାର୍କ ଲିଟେରାରି ଫାଉଣ୍ଡେସନ୍‌ ପକ୍ଷରୁ ହୋଟେଲ୍‌ ସାଫିରେ ପ୍ଲାଜାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଧାୟକ ଅନନ୍ତ ନାରାୟଣ ଜେନା ଉଦ୍‌ଘାଟନ କରି ସାହିତ୍ୟ ଓ ସମାଜର ସମ୍ପର୍କରେ ଆଲୋକପାତ କରିଥିଲେ। ଲେଖିକା ଗୀତିକା ସାଇଗଲ୍‌ ମୁଖ୍ୟବକ୍ତା ‌ଭାବେ ଯୋଗଦେଇ ଆଧୁନିକ ସାହିତ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ସିଇଓ ବିଶ୍ବଜିତ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଚିକାଗୋରେ ଅବସ୍ଥାପିତ ଦୀପାଞ୍ଜନା ନାଥଙ୍କ ପୁସ୍ତକ ‘ଲଭ୍‌ ୱିଲ୍‌ ଫାଇଣ୍ଡ୍‌ ଏ ୱେ’ ଏବଂ ବିଶ୍ବଜିତ ମିଶ୍ରଙ୍କ ପୁସ୍ତକ ‘ଆନ୍‌ ଅନ୍‌ମ୍ୟାଚ୍‌ଡ କପୁଲ୍‌ସ ମିସ୍‌ଫିଟ୍‌ ରିଲେସନ୍‌ସିପ୍‌’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପରେ ଆଧୁନିକ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ କବି ସୁଜାତା ଚାଟାର୍ଜୀ, ଡ. ସଚ୍ଚି ଦାସ ଓ ରାଷ୍ଟ୍ରଭୂଷଣ ଠାକୁର୍‌। ଭୁବନେଶ୍ବର ସଂଗିନୀ ଗ୍ରୁପ୍‌ ପକ୍ଷରୁ ‘ସଂଗୀତ ଓ କବିତା’କୁ ନେଇ ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣ ସାଜିଥିଲା। ଯୋଗ ଦେଇଥିବା ୪୩ ଜଣ ଲେଖକ ସାକ୍ଷୀଗୋପାଳସ୍ଥିତ ବୃଦ୍ଧାଶ୍ରମକୁ ଯାଇ ସେଠାରେ କିଛି ସମୟ ବିତାଇଥିଲେ। ଏଥିସହ କବିତା ଲେଖା ଓ କବିତା ପାଠ ପ୍ରତିଯୋଗିତା ହୋଇଥିଲା। ଆସନ୍ତା କାଲି ମଧ୍ୟ ଏହି ପ୍ରତିଯୋଗିତା କରାଯିବ ବୋଲି ବିଶ୍ବଜିତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର