ଆରମ୍ଭ ହେଲା ମୟୂରଭଂଜ ମହୋତ୍ସବ

ଭୁବନେଶ୍ବର: ସାନ୍ତାଳୀ ଘର ସାଙ୍ଗକୁ ଗାଉଁଲି ପରିବେଶ। ମସମସ ମୁଢ଼ି ସାଙ୍ଗକୁ ଖାସି ମାଂସ। ଲାଖ ହସ୍ତକଳା ସାଙ୍ଗକୁ ସବାଇଘାସ ଶିଳ୍ପ। ଯେମିତି ଉତ୍କଳ ମଣ୍ଡପ ପାଲଟିଛି ମିନି ମୟୂରଭଂଜ। ମୟୂରଭଂଜ ସାଂସ୍କୃତିକ ସଂସଦ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ମୟୂରଭଂଜ ଉତ୍ସବ। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି। ମୟୂରଭଂଜ ଜିଲ୍ଲା ଉପରେ ପର୍ଯ୍ୟବସିତ ଏକ ବୃତ୍ତଚିତ୍ର ସଂଗୀତରୁ ଆରମ୍ଭ ହୋଇଛି ମହୋତ୍ସବର ଏହି ଆଡ଼ମ୍ବର। ଚିତ୍ରଡା ଦକ୍ଷିଣ ସାହି ଛଉ ନୃତ୍ୟ ପ୍ରତିଷ୍ଠାନର ଶିଳ୍ପୀମାନେ ଭେଟି ଦେଇଥିଲେ ସେଠାକାର ପାରମ୍ପରିକ ଛଉ ନୃତ୍ୟ। ଚିତ୍ରେଶ୍ବରୀ ଝୁମର ପ୍ରତିଷ୍ଠାନ, ମୋରଡ଼ାର ଝୁମର ଶିଳ୍ପୀମାନେ ଝୁମର ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ଜାଣ୍ଠା ନୃତ୍ୟ, ଚାଙ୍ଗୁ ଗୀତ, ହୋ, ମୁଣ୍ଡା ଓ ସାନ୍ତାଳୀ ନୃତ୍ୟ ଉପଭୋଗ କରିବାର ଅବକାଶ ଆଣି ଦେଇଥିଲା ଏହି ମହୋତ୍ସବ। ଶେଷରେ ବାରିପଦା ଗୁରୁକୁଳ ଡ୍ୟାନ୍ସ ଆଣ୍ଡ୍‌ ଭିଜୁଆଲ୍‌ ଏକାଡେମିର କଳାକାରମାନେ ଓଲିଉଡ୍‌ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। କେବଳ ନୃତ୍ୟଗୀତ ନୁହେଁ, ଉତ୍କଳ ମଣ୍ଡପ ପରିସରରେ ମୟୂରଭଂଜର ସ୍ଥାନୀୟ କଳାକୃତି ସାଙ୍ଗକୁ ସୁସ୍ବାଦୁ ଖାଦ୍ୟ ଲୋକଙ୍କୁ ବାନ୍ଧି ରଖୁଛି। ସିନେ ଅଭିନେତା ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅଜିତ ଦାସ, ପପୁ ପମ୍‌ପମ୍‌, ବାବୁସାନ, ସଲିଲ ମିତ୍ର, ତାପସ ସରଘରିଆ, ସ୍ବରାଜ ବାରିକଙ୍କ ସମେତ କିଛି ସିନେ ଓ ‌ଧାରାବାହିକ ଅଭିନେତା ଅଭିନେତ୍ରୀ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ। ଚଳଚ୍ଚିତ୍ର ଲେଖକ ଚିନ୍ମୟ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।‌ ଶେଷରେ ସାଧାରଣ ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ। ଅଭିନେତା ସୁକାନ୍ତ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ।

ସମ୍ବନ୍ଧିତ ଖବର