ଭୁବନେଶ୍ୱର: କଳା ଓ ହସ୍ତଶିଳ୍ପ ପ୍ରତି ରୁଚି ଜନ୍ମାଇବା ପାଇଁ ଗଣ୍ଡମୁଣ୍ଡାସ୍ଥିତ ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟ ତଥା ‘କଳାଭୂମି’କୁ ଆଜିଠୁ ଆରମ୍ଭ ହୋଇଛି ସଂଗ୍ରହାଳୟ ପଦଯାତ୍ରା। ଅପରାହ୍‌ଣରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ୭୦ଜଣ ଅଂଶଗ୍ରହଣ କରିଥିଲେ। ବିଏମ୍‌ସି, ବିଡିଏ, ଓଡ଼ିଶା ପର୍ଯ୍ୟଟନ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ କଳାପ୍ରେମୀମାନେ ବିଭିନ୍ନ ଗ୍ୟାଲେରି ବୁଲି ଦେଖିବା ସହ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

Advertisment

ଏଥିସହ ହସ୍ତଶିଳ୍ପ ବିଭାଗ ପକ୍ଷରୁ କଳାଭୂମି ପରିସରରେ ୨ ଦିନ ବ୍ୟାପୀ କର୍ମଶାଳାର ଆୟୋଜନ କରାଯାଇଛି। ଆଜି ପୂର୍ବାହ୍ନରେ ଗଳ୍ପ କଥନ, ତାଳପତ୍ର ଖୋଦେଇ ଓ ଗଞ୍ଜପା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାର ଓ କାରିଗରମାନେ ସେମାନଙ୍କ ପ୍ରସ୍ତୁତ ସର୍ବୋତ୍କଷ୍ଟ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନ କରିଥିଲେ। ପଟେରୀ, ତନ୍ତ ପ୍ରସ୍ତୁତ ବୁଣାଲୁଗା, ଜନଜାତି ଅଳଙ୍କାର ପ୍ରସ୍ତୁତିର ଲାଇଭ୍‌ ପ୍ରଦର୍ଶନୀକୁ ଦର୍ଶକ ଉପଭୋଗ କରିଥିଲେ। ସଂଗ୍ରହାଳୟ ପରିସରରେ ପାରମ୍ପରିକ ବାଦ୍ୟ ସଂଗୀତ ପରିବେଷଣ ସହ ହସ୍ତଶିଳ୍ପ ବଜାର ଏବଂ ଓଟିଡିସି ପକ୍ଷରୁ ପାରମ୍ପରିକ ପିଠା ଓ ଖାଦ୍ୟ ଷ୍ଟଲ୍‌ ଖୋଲିଥିଲା। ଆସନ୍ତାକାଲି ମଧ୍ୟ ଶାଢ଼ି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ସହ କୁଇଜ୍‌, ପଟ୍ଟଚିତ୍ର, ଚାନ୍ଦୁଆ କର୍ମଶାଳା ସହ ସଂଗ୍ରହାଳୟ ପଦଯାତ୍ରା ହେବ। ଏଥିସହ ପ୍ରତି ରବିବାର ଅପରାହ୍‌ଣ ସାଢ଼େ ୩ଟାରୁ ୫ଟା ପର୍ଯ୍ୟନ୍ତ ସଂଗ୍ରହାଳୟ ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶୁଭା ଶର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।