ଭୁବନେଶ୍ବର: ଅନୁସୂଚିତ ଜାତି, ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ତଥା କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ମିଳିତ ଆନୁକୂଲ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ୩ ଦିନିଆ ‘ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ’। ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଏହି ନୃତ୍ୟ ମହୋତ୍ସବ ସହ ଆଦିବାସୀ ମେଳା ସହରବାସୀଙ୍କୁ ବେଶ୍ ମନୋରଞ୍ଜନ କରାଇବ। ମହୋତ୍ସବରେ ଆସାମ, ଛତିଶଗଡ଼, ଗୁଜୁରାଟ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ନାଗାଲାଣ୍ଡ, ରାଜସ୍ଥାନ, ତ୍ରିପୁରା ସମେତ ଓଡ଼ିଶାର କଳାକାରମାନେ ନିଜ ସଭ୍ୟତା ଓ ସଂସ୍କୃତିର ବର୍ଣ୍ଣିଳ ବିଭବକୁ ପ୍ରଦର୍ଶନ କରିବେ। ଏଥିରେ ତିୱା, ମାରିଆ, କୋଙ୍କଣ, ଗରାସିଆ ଆଦି ୧୦ଟି ଜନଜାତି ମୋଟ ୨୫ପ୍ରକାର ନୃତ୍ୟ ମାଧ୍ୟମରେ ଜନଜାତି ଜଗତର ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ଉପସ୍ଥାପନ କରିବେ। ଅନୁସୂଚିତ ଜାତି, ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଖିଳ ବିହାରୀ ଓତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବର ଉଦ୍ଘାଟନ କରିଥିଲେ। ପ୍ରଥମ ସଂଧ୍ୟାରେ ନାଗାଲାଣ୍ଡରୁ ଆସିଥିବା ନାଗା ଜନଜାତି ସେମାନଙ୍କ ସମରକଳା ନୃତ୍ୟ ପରିବେଷଣ କରିଥିଲେ। କଳାକାରମାନେ ଯୋଦ୍ଧାମାନଙ୍କ ଭଳି ରଙ୍ଗିନ ପୋଷାକ ତଥା ରୁପା, ପିତ୍ତଳ ଓ ଲୁହା ଆଦିରେ ନିର୍ମିତ ଅଳଙ୍କାର ପରିଧାନ ମଞ୍ଚରେ ସତସତିକା ରଣକ୍ଷେତ୍ରର ଭ୍ରମ ସୃଷ୍ଟି କରିଥିଲା। ପରେ ପରେ ମଣିପୁରର ଲିଆଙ୍ଗମାଇ ଜନଜାତିର ହର୍ଣ୍ଣବିଲ୍ ନୃତ୍ୟ, ଆସାମର ତିୱା ଜନଜାତିର ଜୁମର ନୃତ୍ୟ, ଓଡ଼ିଶାର କନ୍ଧ ଜନଜାତିର ଘୁମୁରା ନୃ୍ତ୍ୟ, ମହାରାଷ୍ଟ୍ରର କୋଙ୍କଣ ଜନଜାତିର ପାୱାନୀ ନୃତ୍ୟ, ହିମାଚଳ ପ୍ରଦେଶର ସ୍ବାଙ୍ଗଲା ଜନଜାତିର ଫଗ୍ଲୀ ନୃତ୍ୟ, ଗୁଜୁରାଟର ଡାଙ୍ଗି ଜନଜାତିର ଡାଙ୍ଗି ନୃତ୍ୟ ଓ ତ୍ରିପୁରାର ତ୍ରିପୁରୀ ଜନଜାତିର ଲିବାଙ୍ଗ ଭୂମାନି ନୃତ୍ୟ ଦର୍ଶକଙ୍କୁ ଆମୋଦିତ କରିଥିଲା।
ଆରମ୍ଭ ହେଲା ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ: ପ୍ରଦର୍ଶିତ ହେବ ୧୦ ଜନଜାତିର ୨୫ ବର୍ଣ୍ଣିଳ ନୃତ୍ୟ
/sambad/media/post_attachments/wp-content/uploads/2019/02/Untitled-22.jpg)
/sambad/media/agency_attachments/2024-07-24t043029592z-sambad-original.webp)