ଆରମ୍ଭ ହେଲା ନୃତ୍ୟାଞ୍ଜଳି ମହୋତ୍ସବ

ଭୁବନେଶ୍ବର: ରତିସୁଖ ସାରେ ଗତମ୍‌ ଭିସାରେ ମଦନ ମନୋହର ବେଶମ୍‌… ଜୟଦେବଙ୍କ ଗୀତଗୋବିନ୍ଦର ପଂକ୍ତି ଭାସି ଆସୁଥିଲା ମଞ୍ଚରୁ। ଏହାକୁ ସ୍ବନାମଧନ୍ୟ ଓଡ଼ିଶୀ ଗୁରୁ ରାମହରି ଦାସ ପରିବେଷଣ କରିଥିଲେ। ମର୍ଦ୍ଦଳରେ ସହଯୋଗ କରିଥିଲେ ଗୁରୁ ଧନେଶ୍ବର ସ୍ବାଇଁ। ଅବସର ଥିଲା ‘ନୃତ୍ୟାଞ୍ଜଳି’ ଦ୍ବାରା ଆୟୋଜିତ ନୃତ୍ୟାଞ୍ଜଳି ମହୋତ୍ସବ। ଭଞ୍ଜକଳା ମଣ୍ଡପରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ତିନି ଦିନ ଧରି ଚାଲିବ। ଆଜିର ସନ୍ଧ୍ୟାରେ ପୁଷ୍ପରଞ୍ଜନ ମଙ୍ଗରାଜଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ବରିଷ୍ଠ ଛାତ୍ରମାନେ ସୂର୍ଯ୍ୟାଷ୍ଟକ ପରିବେଷଣ କରିଥିଲେ। ପରେ ପରେ ନୃତ୍ୟଶିଳ୍ପୀ ନମିତା ରାୟ ଓ ସମ୍ବ୍ରିତା ମହାନ୍ତି ଏକକ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଶେଷରେ ଅନୁଷ୍ଠାନର କଳାକାରମାନେ ପରିବେଷଣ କରିଥିଲେ ସରସ୍ବତୀ ବନ୍ଦନା, ଶିବତାଣ୍ଡବ, ସ୍ଥାୟୀ ନୃତ୍ୟ, ପଲ୍ଲବୀ, ମାନଉଦ୍ଧାରଣ ଓ ସମ୍ବଲପୁରୀ ନୃତ୍ୟ। ଆଜିର ଏହି ସନ୍ଧ୍ୟାରେ ଓଡ଼ିଆ ଭା‌ଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ନେହପ୍ରଭା ସାମନ୍ତରାୟ ଓ ସଙ୍ଗୀତ ଗୁରୁ ରାମହରି ଦାସଙ୍କୁ ‘ନୃତ୍ୟାଞ୍ଜଳି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଶ୍ରୀନିବାସ ଘଟୁଆରୀ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଭାପତି ସୁକାନ୍ତ କୁମାର କୁଣ୍ଡୁ ସ୍ବାଗତ ଭାଷଣ ଦେଇଥିଲେ। ମାମାଲି ପରିଜା, ଅମ୍ବିକା ମାଣିଆ, ଅଙ୍କିତା ସାହୁ ଓ ସ୍ବାତିସାଗରିକା ସାଠୁଆ ସଭା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର