ଆରମ୍ଭ ହେଲା ‘ଓଡ଼ିଶୀ ରାଗ ମହୋତ୍ସବ’

‘ଓଡ଼ିଶୀ ରାଗ ରତ୍ନାବଳୀର ୪ର୍ଥ ଭାଗ’ର ସିଡି ଉନ୍ମୋଚିତ

ଭୁବନେଶ୍ବର: ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ରାଗ, ତାଳ ଓ ମୂର୍ଚ୍ଛନା ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ବାନ୍ଧିଥିଲା ଦର୍ଶକଙ୍କୁ। ରାଗ ଗୌଡ଼ୀରେ ଓଡ଼ିଶୀ ବୃନ୍ଦଗାୟନ, ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ପରିବେଷିତ ଏକକ ମର୍ଦ୍ଦଳ ବାଦନ ପରିବେଶରେ ଶାସ୍ତ୍ରୀୟତା ଭରି ଦେଇଥିଲା। ପରେ ପରେ ପଦ୍ମଶ୍ରୀ ରାମଲି ଇବ୍ରାହିମ ଓ ଶିଷ୍ୟା ଗୀତିକା ଶ୍ରୀଙ୍କ ଦ୍ବାରା ପରିବେଷିତ ଲକ୍ଷ୍ମୀନାରାୟଣ ବନ୍ଦନା ଓ ରସମଞ୍ଜରୀ ପଲ୍ଲବୀ ଓଡ଼ିଶୀ ନୃତ୍ୟ ବେଶ୍‌ ମନୋମୁଗ୍ଧକର ଥିଲା। ଅବସର ଥିଲା ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମିର ଷଷ୍ଠ ବାର୍ଷିକ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ‘ଓଡ଼ିଶୀ ରାଗ ମହୋତ୍ସବ’ର। କାର୍ଯ୍ୟକ୍ରମରେ ଗୁରୁ ଗୋପାଳ ପଣ୍ଡାଙ୍କ ଗବେଷଣାତ୍ମକ ତଥା ତାଙ୍କ ତତ୍ତ୍ବାବଧାନରେ ଓଡ଼ିଶୀ ସଙ୍ଗୀତର ଆଉ ୮ ଗୋଟି ମୌଳିକ ଓ ନିଜସ୍ବ ଶାସ୍ତ୍ରାଧାରିତ ତଥା ପାରମ୍ପରିକ ରାଗକୁ ନେଇ ଏକାଡେମି ପକ୍ଷରୁ ପ୍ରସ୍ତୁତ ସିଡି ‘ଓଡ଼ିଶୀ ରାଗ ରତ୍ନାବଳୀର ୪ର୍ଥ ଭାଗ’ ଉନ୍ମୋଚିତ ହୋଇଛି। ଆଜିର ସଂଧ୍ୟାରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି କମଳାକାନ୍ତ ମିଶ୍ର ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଗୀତା ଗୋସାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଗୁରୁ ଗୋପାଳ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର