ଶ୍ରୀଲିଙ୍ଗରାଜଙ୍କୁ ଲାଗି ହେଲା ଫଗୁ, ଜମିବ ଗଣପର୍ବ ପଞ୍ଚୁ ଦୋଳମେଳଣ

ଶ୍ୟାମପୁରରୁ ଆରମ୍ଭ ହରିରାଜପୁରରେ ଶେଷ

ପୁରୁଣା ଭୁବନେଶ୍ୱର: ଫଗୁ ଦଶମୀ ଉପଲକ୍ଷେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ଓ ଅନ୍ୟ ଦେବଦେବୀଙ୍କୁ ଆଜି ଫଗୁ ଲାଗି କରାଯାଇଥିଲା। ଅସନ୍ତାକାଲିଠାରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁ, ମା’ ପାର୍ବତୀ, ମା’ ଦୁର୍ଗା, ଶ୍ରୀବସୁଦେବଙ୍କ ସହ ବିଭିନ୍ନ ସ୍ଥାନକୁ ଭୋଗ ଖାଇବାକୁ ଯିବେ। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାକୁ ଭଣ୍ଡାର ଘରୁ ଅଣାଯାଇ ପାଲିଙ୍କି ଓ ବିମାନରେ ବିରାଜମାନ କରାଯାଇ ବିଭିନ୍ନ ସ୍ଥାନରେ ଫଗୁ ଲାଗି କରାଯିବ। ରବିବାର ଏକାଦଶୀ ତିଥିରେ ଶ୍ରୀଲିଙ୍ଗରାଜ ତାଙ୍କ ଭଉଣୀ ଘର ବଢ଼େଇବାଙ୍କ ନିକଟ ବଡ଼ ମଠରେ ଥିବା କାମାକ୍ଷା ଠାକୁରାଣୀଙ୍କ ପାଖକୁ ଯିବେ। ସୋମବାର ଦ୍ୱାଦଶୀ ତିଥିରେ ତିନି ମୁଣ୍ଡିଆ ଛକ ନିକଟ କପାଳି ଠାକୁରାଣୀ, ମଙ୍ଗଳବାର ତ୍ରୟୋଦଶୀ ତିଥିରେ ପରକରଣ ସାହି, ଯମେଶ୍ୱର ମନ୍ଦିର ଓ ବାଟ କୂଅ ମୁହଁ ବଡ଼ୁ ସାହିକୁ ଭୋଗ ଖାଇବାକୁ ଯିବେ। ଗୁରୁବାର ଦୋଳ ପୂର୍ଣ୍ଣିମା ତିଥିରେ ରଥଖଳାଠାରେ ସର୍ବସାଧାରଣ ଭକ୍ତଙ୍କ ଭୋଗ ଖାଇବେ। ସେଠାରେ ମହାପ୍ରଭୁ ଦୋଳିରେ ଝୁଲୁଥିବା ବେଳେ ଭକ୍ତମାନେ ଫଗୁ ଲାଗି କରିବେ।

ଖଣ୍ଡଗିରି: ପବିତ୍ର ଫାଲ୍‌ଗୁନ ମାସ ଫଗୁ ଦଶମୀ ତିଥିରୁ ରାଜ୍ୟରେ ଆରମ୍ଭ ହେଲା ଗଣପର୍ବ ଦୋଳମେଳଣ। ରାଜଧାନୀ ଉପକଣ୍ଠରେ ଶ୍ୟାମପୁରରୁ ଆରମ୍ଭ ଏହି ଉତ୍ସବ ହରିରାଜପୁର‌ରେ ଶେଷ ହେବ। ଫଗୁ ଦଶମୀରୁ ପୂର୍ଣ୍ଣିମା ପର ପାଞ୍ଚଦିନ ପର୍ଯ୍ୟନ୍ତ ପାଳିତ ହେଉଥିବା ଏହି ପଞ୍ଚୁଦୋଳ ମେଳଣରେ ରାଧାକୃଷ୍ଣଙ୍କ ସହ ମହାଦେବ ଶିବଶମ୍ଭୁଙ୍କ ଚଳନ୍ତି ବିଗ୍ରହ ଚନ୍ଦ୍ରଶେଖରଙ୍କୁ ଏକାଠି ଦର୍ଶନ ଓ ଭୋଗ ଲାଗି କରିବାର ସୁଯୋଗ ମିଳିବ। ସେହିଭଳି ପ୍ରଥାନୁସାରେ ପୂର୍ଣ୍ଣିମା ପରଦିନ ହୋଲି ପର୍ବ ଅବସରରେ ଅବିର ଖେଳ ପଞ୍ଚୁଦୋଳକୁ ଅଧିକ ରଙ୍ଗିନ କରି ଗଢ଼ି ତୋଳିବ। ତେଣୁ ଏବେ ସବୁ ଗାଁ ଉତ୍ସବମୁଖର ହୋଇପଡ଼ିଥିବା ପରିଲକ୍ଷିତ ହେଉଛି। ଉଭୟ ଜମାଣ ଓ ମେଳଣ ପାଇଁ ବାଜା ବାଣ ରୋଶଣି ଯୋଗାଡ଼ ଏବଂ ଅପେରା ଦଳ ବ୍ୟବସ୍ଥାରେ ଗ୍ରାମବାସୀମାନେ ଲାଗି ପଡ଼ିଛନ୍ତି। ପରମ୍ପରା ଅନୁସାରେ ପାଖ ପଡ଼େଶୀ ଗାଁମାନଙ୍କୁ ନେଇ ଏହି ପଞ୍ଚୁଦୋଳ ପର୍ବ ଗଢ଼ି ଉଠିଛି। ଗାଁ ଗାଁ ଭିତରେ ଭାଇଚାରା ସମ୍ପର୍କ ବୃଦ୍ଧି ପାଇଁ ଗାଁର ଆରାଧ୍ୟ ଦେବତାଙ୍କୁ ଏକାଠି କରିବା ଭଳି ଅନନ୍ୟ ପରମ୍ପରା ଆମ ଦେଶରେ ଏକ ବିରଳ କଥା। ଏହି ଅନୁସାରେ ରାଜଧାନୀ ଉପକଣ୍ଠରେ ଶ୍ୟାମପୁର ରହିଛି ତାଲିକା ଶୀର୍ଷରେ। ଫଗୁ ଦଶମୀରେ ଠାକୁର ଚାଚେରି ଭୋଗ ଖାଇବା ସହ ଜମାଣ କରି ମେଳଣ ପଡ଼ିଆରେ ରହିବେ। ପରେ ପରେ ପ୍ରାୟ ୩୦ଟି ପଡ଼ୋଶୀ ଗାଁର ଠାକୁରମା‌ନେ ସୁସଜ୍ଜିତ ବିମାନରେ ମେଳଣ ପଡ଼ିଆରେ ଏକତ୍ର ହେବେ ଓ ୧୮ ତାରିଖରେ ହରିହର ଭେଟ ପରେ ନିଜ ନିଜ ଗାଁକୁ ଫେରିବେ। ଏହାପରେ ଜାଗମରାରେ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବ। ସେହିଭଳି ତ୍ରୟୋଦଶୀ ତିଥିରେ ଜାଗସରାପାଟଣା ଓ ପୂର୍ଣ୍ଣିମାରେ ପାତ୍ରପଡ଼ାରେ ଏହି ପର୍ବ ପାଳିତ ହେବ। ସେହିଭଳି ସରକନ୍ତରା ଓ ଆଇଗିଣିଆରେ ୨୪ ତାରିଖରେ ହରିହର ଭେଟ ମେଳଣ ପର୍ବ ଅନୁଷ୍ଠିତ ହେବ। ପ୍ରତିପଦା ତିଥିରେ ତମାଣ୍ଡୋରେ ଓ ତୃତୀୟାରେ ନଁପୁଟ, ଚତୁର୍ଥୀରେ ଉଭୟ ମଦନପୁର ଓ ମୁଣ୍ଡମୁହାଁଣରେ ଏହି ଉତ୍ସବ ମହାସମାରୋହରେ ପାଳିତ ହେବ। ଜମାଣ ପର୍ବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସବୁ ଗାଁରେ ବାଜା, ବାଣ ଓ ରୋଶଣିର ବରାଦ କରାଯାଇଛି। ସେହିଭଳି ହରିହର ଭେଟ ବେଳେ ଫଗୁଖେଳ ପାଇଁ ଲୋକେ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ତେବେ ବର୍ଷକୁ ଥରେ ନିଜ ଦୁଆରେ ଠାକୁରଙ୍କୁ ଚାଚେରି ଭୋଗ ଲାଗି ପାଇଁ ଲୋକେ ବ୍ୟାକୁଳ ଭାବେ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର