ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ସବୁଠୁ ବଡ଼ ପିପିପି ପ୍ରକଳ୍ପ ଭୁବନେଶ୍ୱର ଟାଉନ୍ ସେଣ୍ଟର, ରେଳ ଷ୍ଟେସନ ମଲ୍ଟି ମୋଡାଲ୍ ହବ୍ ପାଇଁ ବିଡିଏ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଜୋରଦାର୍ କରାଯାଇଛି। ଆଜି ସକାଳୁ ରେଳ ଷ୍ଟେସନ୍ ମଲ୍ଟି ମୋଡାଲ୍ ହବ୍ ପାଇଁ ଅଶୋକା ମାର୍କେଟ୍ ଦଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମ୍ସି ଓ ବିଡିଏର ମିଳିତ ଉଚ୍ଛେଦକାରୀ ଟିମ୍ ଆଜି ଅଶୋକା ମାର୍କେଟର ତିନି ପାର୍ଶ୍ୱରୁ ଖୋଳି ଦେଇଥିବାବେଳେ ମାର୍କେଟ୍ କମ୍ପ୍ଲେକ୍ସକୁ ବିଦ୍ୟୁତ ଓ ପାଣି ସଂଯୋଗ ବନ୍ଦ କରିଦେଇଛନ୍ତି। ତେବେ ଅଶୋକା ମାର୍କେଟର ଶତାଧିକ ବ୍ୟବସାୟୀ କର୍ତ୍ତୃପକ୍ଷଙ୍କ ଏଭଳି ହଠାତ୍ ଉଚ୍ଛେଦକୁ ତୀବ୍ର ବିରୋଧ କରିଛନ୍ତି। ସେମାନେ ପ୍ରାୟ ଦୁଇ ଘଣ୍ଟା କାଳ ଜନପଥରେ ଟାୟାର ଜାଳି ରାସ୍ତାରୋକ କରିବାରୁ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଆଜି ଉତ୍ତେଜନା ସୃଷ୍ଟି ହୋଇଥିଲା।
ରେଳ ଷ୍ଟେସନ୍ ମଲ୍ଟି ମୋଡାଲ୍ ହବ୍ରେ ବସ୍ ଷ୍ଟାଣ୍ଡର ସମ୍ପ୍ରସାରଣ ହେବା ସହ ଏକ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ହେବାକୁ ଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଥିବା ଅଶୋକା ମାର୍କେଟକୁ ଭାଙ୍ଗିବାକୁ ବିଡିଏ ପକ୍ଷରୁ ଯୋଜନା ହୋଇଛି। ଦୁଇ ସପ୍ତାହ ମଧ୍ୟରେ ଅଶୋକ ମାର୍କେଟ ଖାଲି କରିବାକୁ ଗତ ୧୩ତାରିଖରେ ନୋଟିସ ଜାରି ହୋଇଥିଲା। ୨୬ତାରିଖରୁ ଅବଧି ପୂରିଥିବାରୁ ଆମେ ଆଜି ଅଶୋକା ମାର୍କେଟ ଦଖଲ ପ୍ରକ୍ରିୟା ଆରମ୍ଭ କରିଛୁ ବୋଲି ବିଡିଏ ଅତିରିକ୍ତ କମିସନର ଭବାନୀ ଶଙ୍କର ଚଇନି କହିଛନ୍ତି।
/sambad/media/post_attachments/wp-content/uploads/2017/10/m9-300x174.jpg)
ବିଡିଏ ବ୍ୟବସାୟୀମାନଙ୍କୁ ଠିକ୍ ଭାବେ ଥଇଥାନ କରିନଥିବାବେଳେ ହଠତ୍ ଉଚ୍ଛେଦ ଆରମ୍ଭ କରିବା ଓ ରାସ୍ତା ଖୋଳି ମାର୍କେଟ୍କୁ ରାସ୍ତା ବନ୍ଦ କରିଦେବା ଘଟଣାକୁ ଅଶୋକା ମାର୍କେଟ ବ୍ୟବସାୟୀ ସୋସାଇଟି ବିରୋଧ କରିଛି। ସୋସାଇଟିର ସମ୍ପାଦକ ସଞ୍ଜୀବ ଅଗ୍ରଓ୍ଵାଲ କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବ୍ୟବସାୟୀମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରିବାକୁ କୁହାଯାଇଛି। କିନ୍ତୁ ବିଡିଏ କର୍ତ୍ତୃପକ୍ଷ ଅଶୋକା ମାର୍କେଟକୁ ଉଚ୍ଛେଦ କରିବା ପାଇଁ ମନଇଚ୍ଛା ଦୋକାନ ଆବଣ୍ଟନ କରିଛନ୍ତି। ଯେଉଁ ଅଞ୍ଚଳରେ ଆମକୁ ଦୋକାନ ଆବଣ୍ଟନ କରିଛନ୍ତି ସେଠାରେ ବ୍ୟବସାୟ କରିବାର କୌଣସି ସୁଯୋଗ ନାହିଁ। ଏପରିକି ଆମର ଏଠାରେ ୩୫୦ବର୍ଗଫୁଟ ଅଞ୍ଚଳ ଥିବାବେଳେ ଆମକୁ ୭୮ବର୍ଗଫୁଟର ଦୋକାନ ଦିଆଯାଇଛି। ଯାହାର ୭୦ବର୍ଗଫୁଟ ଜାଗାରେ ଦୋକାନ ଅଛି ତାକୁ ୧୫୦ବର୍ଗଫୁଟ ଦିଆଯାଇଛି। ଏହାଛଡ଼ା ଦୋକାନ ଆବଣ୍ଟନ କରିବା ପରେ କାହାକୁ ଦୋକାନ ଚାବି ଦିଆଯାଇନି। ଆମକୁ ଦୋକାନ ହସ୍ତାନ୍ତର ନକରି ମାର୍କେଟ୍ ଖାଲି କରିବାକୁ କୁହାଯାଇଛି। ଆମେ ଦୋକାନ ଖାଲି କଲେ କ’ଣ ରାସ୍ତା ଉପରେ ସାମଗ୍ରୀ ରଖିବୁ ବୋଲି ବ୍ୟବସାୟୀମାନେ କହିଛନ୍ତି। ଅପରପକ୍ଷେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୋସାଇଟି ପକ୍ଷରୁ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିବାବେଳ ସୋମବାର ଏହାର ଶୁଣାଣି ଅଛି। କିନ୍ତୁ ଆଜି ହଠାତ୍ ବିଡିଏ ମାର୍କେଟର ତିନି ପାର୍ଶ୍ୱକୁ ଖୋଳି ଦେବା ସହ ପାଣି ଓ ବିଦ୍ୟତ୍ ସଂଯୋଗ ବନ୍ଦ କରିଦେବା ସଂପୂର୍ଣ୍ଣ ବେଆଇନ୍ ବୋଲି ଶ୍ରୀ ଅଗ୍ରଓ୍ଵାଲ୍ କହିଛନ୍ତି।
/sambad/media/post_attachments/wp-content/uploads/2017/10/m11-2-300x222.jpg)
ଉଚ୍ଛେଦକାରୀ ଟିମ୍ ଆଜି ସକାଳ ୬ଟାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ସମସ୍ତଙ୍କୁ ଚକିତ କରିଛି। ସାଧାରଣତଃ ଦିନ ୧୦ଟା ପରେ ବିଏମ୍ସି ଓ ବିଡିଏ ଉଚ୍ଛେଦ କାର୍ଯ୍ୟ କରୁଥିବାବେଳେ ଆଜି ହଠାତ୍ ସକାଳ ୬ଟାରୁ କାହିଁକି ଅତର୍କିତ ଉଚ୍ଛେଦ କଲା ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି। ବିଡିଏ ପକ୍ଷରୁ କୁହାଯାଇଛି ଯେ, ଜନପଥର ଏହି ବ୍ୟସ୍ତବହୁଳ ଅଞ୍ଚଳକୁ ନଜରରେ ରଖି ସକାଳୁ ସକାଳୁ ଉଚ୍ଛେଦ କରାଯାଇଛି। ଏହି ଅଞ୍ଚଳରେ ସମସ୍ତ ଉଚ୍ଛେଦ କାର୍ଯ୍ୟ କମ୍ ଭିଡ଼ ଥିବା ସମୟରେ ହିଁ ହେବ।
ଏନେଇ ବିଡିଏ ଅତିରିକ୍ତ କମିସନର ଭବାନୀ ଶଙ୍କର ଚଇନି କହିଛନ୍ତି ଯେ, ଅଶୋକା ମାର୍କେଟ୍ ଭଙ୍ଗା ହୋଇନି। ଆମେ ବ୍ୟବସାୟୀଙ୍କୁ ଦୋକାନ ଖାଲି କରିବାକୁ ପୂର୍ବରୁ ନୋଟିସ୍ ଦେଇଥିଲୁ। ଅବଧି ପୂରିଥିବାରୁ ଆମେ ପଦକ୍ଷେପ ନେଇଛୁ। ରାସ୍ତା ସମ୍ପ୍ରସାରଣ, ରାସ୍ତା ଲେଭେଲିଂ ପାଇଁ ଖୋଳା ଯାଇଛି। ବ୍ୟବସାୟୀମାନେ ଦୋକାନ ଖାଲି କରିବାକୁ ରାସ୍ତା ଅଛି। ବିଦ୍ୟୁତ ସଂଯୋଗ ଜାଣଶୁଣି କଟାଯାଇନି। କେଉଁ କାରଣରୁ କଟିଛି ତାହା ଅନୁସନ୍ଧାନ କରିବା ସହ ପୁନଃ ସଂଯୋଗ ଦେବା ପାଇଁ ସେସୁକୁ କୁହାଯାଇଛି। ଆମର ବ୍ୟବସାୟୀମାନଙ୍କ ସହ ହୋଇଥିବା ଚୁକ୍ତି ଅନୁଯାୟୀ, ଆମେ ୩ମାସ ପୂର୍ବରୁ ନୋଟିସ୍ ଦେଇ ଦୋକାନ ଖାଲି କରିପାରିବୁ। ଆମେ ଦୁଇ ବର୍ଷ ହେଲା ନୋଟିସ୍ ଦେଲୁଣି। ଆମ ଚୁକ୍ତିରେ ଭଡ଼ା ବ୍ୟବସାୟୀଙ୍କୁ ଥଇଥାନ କରିବାକୁ କୌଣସି ସର୍ତ୍ତ ନଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ତାହା କରିଛୁ। ଏପରିକି ଭୁବନେଶ୍ୱର ଟାଉନ୍ ସେଣ୍ଟର, ରେଳ ଷ୍ଟେସନ୍ ମଲ୍ଟି ମୋଡାଲ୍ ହବ୍ ନିର୍ମାଣ ସରିଲେ ଆମେ ବ୍ୟବସାୟୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏଠାରେ ଥଇଥାନ କରିବୁ। ବିଡିଏ ପାଖରେ ଯେଉଁ ସ୍ଥାନରେ ଯେତିକି ମାର୍କେଟ୍ ଅଛି ସେହି ଅନୁଯାୟୀ ଆବଣ୍ଟନ ହୋଇଛି। ଆଜି ୬ଟି ଏକ୍ସକାଭେଟର ସହାୟତାରେ ୧୬,୫୦୦ବର୍ଗଫୁଟ ଖୋଳା ଯାଇଥିବାବେଳେ ମାର୍କେଟ୍ କମ୍ପ୍ଲେକ୍ସ ନିକଟରେ ଥିବା ସମସ୍ତ ଜବରଦଖଲ ଉଚ୍ଛେଦ କରାଯାଇଛି। ଆଜି ଏକ ଗଣେଶ ମନ୍ଦିର ଭଙ୍ଗାଯାଇଛି। ଖୁବ୍ ଶୀଘ୍ର ବାକି ମନ୍ଦିର, ଆହାର କେନ୍ଦ୍ର, ବସ୍ ଷ୍ଟାଣ୍ଡ୍, ବେଆଇନ୍ ଜବରଦଖଲ ସବୁ ଉଚ୍ଛେଦ ହେବ ବୋଲି ଶ୍ରୀ ଚଇନି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/m10-3.jpg)