ଭୁବନେଶ୍ୱର: ବିଶ୍ୱ ରେଡିଓ ଦିବସ ଅବସରରେ ‘ଆଉଟରିଚ୍’ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଆୟୋଜିତ ଦୁଇ ଦିନିଆ ‘ରେଡିଓ ମେଳା’ ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ପ୍ରଶାସନିକ ଅଧିକାରୀ ସନ୍ନ୍ୟାସ ବେହେରା, ପଶ୍ଚିମବଙ୍ଗର ହ୍ୟାଣ୍ଡ ରେଡିଓ ସଂଗଠନର ମୁଖ୍ୟ ମହମ୍ମଦ ଆରିଫ, ଆକାଶବାଣୀର ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା ଓ ଭଏସ୍ ଅଫ ଆମେରିକାର ପ୍ରତିନିଧି ପରମାଶିଷ ଘୋଷ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରେଡିଓ ମେଳାର ଆୟୋଜକ ସୁବ୍ରତ କୁମାର ପତି ସ୍ୱାଗତ ଭାଷଣ ଦେଇଥିଲେ। ‘ଆଉଟରିଚ୍’ ପକ୍ଷରୁ ପ୍ରତିବର୍ଷ ରେଡିଓ ଫେୟାର ଆୟୋଜନ କରାଯିବା ସହ ଯୁବପିଢ଼ିଙ୍କୁ ନେଇ ପ୍ରତି ବର୍ଷ ଦୁଇ ଥର ଆରଜେ ଟ୍ରେନିଂ ଓ୍ଵାର୍କସପ୍ କରାଯାଉଛି। ଜାତୀୟ ପ୍ରସାରଣ ଦିବସରେ ଟ୍ୟାଲେଣ୍ଟ ହଣ୍ଟ ନାମକ କାର୍ଯ୍ୟକ୍ରମ କରାଯାଉଛି ବୋଲି ଶ୍ରୀ ପତି ସୂଚନା ଦେଇଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଜିର ମେଳାରେ ମୁଖ୍ୟ ଆକର୍ଷଣ ଥିଲା ରାଜେନ୍ଦ୍ରଙ୍କ କାଠରେ ତିଆରି ରେଡିଓ। ଉନ୍ନତମାନର ମେସିନ୍ ଖଞ୍ଜି ସେ ଏପରି ରେଡିଓ ତିଆର କରିଛନ୍ତି। ସେ ୫୦ରୁ ୬୦ବର୍ଷର ପୁରୁଣା ରେଡିଓ ମଧ୍ୟ ସଂଗ୍ରହ କରିଛନ୍ତି। ପ୍ରାୟ ୨୫୦ପ୍ରକାରର ପୁରୁଣା ରେଡିଓ ତାଙ୍କ ପାଖରେ ରହିଛି। ସେହିପରି ପୁରୁଣା ଭୁବନେଶ୍ୱରରୁ ଆସିଥିବା ସଞ୍ଜୀବ କୁମାର ମାନ୍ନାଙ୍କ ଷ୍ଟଲରେ ୧୯୫୮ମସିହାର ବାଇସ୍କୋପ୍ ଦେଖିବା ପାଇଁ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଭିଡ଼ ଜମିଥିଲା। ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ଠାରୁ ଆରମ୍ଭ କରି ଅନେକ ପୁରୁଣା ହନ୍ଦୀ ଗୀତର ରେକର୍ଡ ପ୍ଲେୟାର ଏଠାରେ ଦେଖିବାକୁ ମିଳିଥିଲା।
ରେଡିଓ ମେଳା ଉଦ୍ଯାପିତ
/sambad/media/post_attachments/wp-content/uploads/2018/01/Logo_Radio-Fair.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)