କବିତା କ୍ରିଷ୍ଣମୂର୍ତ୍ତି ପାଇଲେ ଦଶମ ପ୍ରଫୁଲ୍ଲ କର ସମ୍ମାନ

ଆରମ୍ଭ ହେଲା ସଙ୍ଗୀତ କାର୍ଯ୍ୟକ୍ରମ ‘କମଳ ଦେଶ ରାଜକୁମାର’

ଭୁବନେଶ୍ୱର: ପ୍ରସିଦ୍ଧ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ୭୯ତମ ଜନ୍ମଦିବସ ଅବସରରେ ଦୁଇ ଦିନିଆ ସଙ୍ଗୀତ କାର୍ଯ୍ୟକ୍ରମ ‘କମଳ ଦେଶ ରାଜକୁମାର’ ଆଜିଠାରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଶିଷ୍ଟ କଣ୍ଠଶିଳ୍ପୀ କବିତା କ୍ରିଷ୍ଣମୂର୍ତ୍ତିଙ୍କୁ ‘ଦଶମ ପ୍ରଫୁଲ୍ଲ କର ସମ୍ମାନ’ ପ୍ରଦାନ କରାଯାଇଛି। ସମ୍ମାନ ବାବଦକୁ ନଗଦ ଏକ ଲକ୍ଷ ଟଙ୍କା, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସେ ଗାଇଥିବା ଭଜନଗୁଡ଼ିକ ସମ୍ପର୍କରେ ଶ୍ରୀମତୀ କ୍ରିଷ୍ଣମୂର୍ତ୍ତି ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ବିଧାୟକ ବିଜୟ ମହାନ୍ତି, ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ମେୟର ଅନନ୍ତ ନାରାୟଣ ଜେନା। ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସଂଯୋଜକ ଜେନାମଣି ସଞ୍ଜୀବ କୁମାର, ସମ୍ପାଦକ ଚୌଧୁରୀ ଅମିତାଭ ଦାସ, ଆବାହକ ଗିରିଜା ଶଙ୍କର ଦାଶ ଓ ‘ସଂସ୍କାର’ର ସାଧାରଣ ସମ୍ପାଦକ ମହାଦୀପ କର ଉପସ୍ଥିତ ଥିଲେ। ସମ୍ମାନ ପ୍ରଦାନ ପରେ ଆରମ୍ଭ ହୋଇଥିଲା ସଙ୍ଗୀତ ଆସର। ମହାପ୍ରସାଦଙ୍କ କଣ୍ଠରେ ‘ବିଶ୍ୱ ଜଗନ୍ନାଥ…ବ୍ରହ୍ମ ଜଗନ୍ନାଥ’ ଗୀତରୁ ଆରମ୍ଭ ହୋଇଥିଲା ସଙ୍ଗୀତ ଆସର। ପ୍ରଥମ ଗୀତରେ ହିଁ ଶ୍ରୋତାମାନଙ୍କୁ ଏକ ଆଧ୍ୟାତ୍ମିକ ଦୁନିଆକୁ ନେଇ ଯାଇଥିଲେ ମହାପ୍ରସାଦ। ତାଙ୍କ ପରେ ମୁମ୍ବାଇର ଜଣାଶୁଣା କଣ୍ଠଶିଳ୍ପୀ ସାରିକା ଗାଇଥିଲେ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସୁପର୍‌ହିଟ୍‌ ଭଜନ ‘କାଳିଆ ମୋ ଦେହେ ବୋଳି ଦେ…’। ସାରିକାଙ୍କ କଣ୍ଠରେ ଆଉ ଏକ ଗୀତ ‘ପାଦରେ ପାଦ ଛନ୍ଦା’ ଶ୍ରୋତାମାନଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ଏହା ପରେ କବିତା କ୍ରିଷ୍ଣମୂର୍ତ୍ତି ଗାଇଥିଲେ ଦୁଇଟି ଓଡ଼ିଆ ଭଜନ। ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସେ ଗାଇଥିବା ଭଜନ ‘ଚନ୍ଦନ ଲେପି ଦେବି କି ଶ୍ରୀ ଅଙ୍ଗେ’ ଓ ‘ଝୁଣ୍ଟି ଝୁଣ୍ଟି ପାଦ ମୋର ଗଲାଣି ଛିଣ୍ଡି’କୁ ମଞ୍ଚରେ ପରିବେଷଣ କରି ଶ୍ରୋତାମାନଙ୍କୁ ବାନ୍ଧି ରଖିଥିଲେ। ଏହା ପରେ ସେ ତାଙ୍କର ସୁପର୍‌ହିଟ୍‌ ହିନ୍ଦୀ ଗୀତ ‘ଆଜ୍‌ ମେ ଉପର୍‌…’, ‘ହାଓ୍ଵା ହାଓ୍ଵା…’ ଆଦି ପରିବେଷଣ କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆସନ୍ତାକାଲି ପ୍ରଫୁଲ୍ଲ କରଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନେ ପ୍ରଫୁଲ୍ଲ ସଙ୍ଗୀତ ପରିବେଷଣ କରିବେ। ଫାଉଣ୍ଡେସନ୍‌ର ସଦସ୍ୟ ବିଶ୍ୱରଞ୍ଜନ ଦାଶ, ବିମଳ ଦାସ, ସାଲୁଟ୍‌ ସାହୁ, ଶିତିକଣ୍ଠ ସେନାପତି ଓ ପରେଶ ମହନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର