ଭୁବନେଶ୍ବର: ଗୋଟିଏ ଛାତ ତଳେ ମିଳୁଛି ୨୫ ରାଜ୍ୟର ହାତ ତିଆରି ସାମଗ୍ରୀ। ଶୀତ ବସ୍ତ୍ରଠାରୁ ଆରମ୍ଭ କରି ବାଉଁଶ ଶିଳ୍ପ ସାମଗ୍ରୀ, ସବାଇ ଘାସ ଘରସଜ୍ଜା ଫୁଲ ଓ ଫୁଲଦାନୀ, ସିଲ୍କ ଓ ରଟ୍ ଆଇରନ୍ ସାମଗ୍ରୀ, ଟସର କପଡ଼ା ଓ ଲୁଗା ଆଦିର ଏକ ବିଶାଳ ପସରା ପଡ଼ିଛି ପ୍ରଦର୍ଶନୀ ପଡ଼ିଆ ପରିସରରେ। ଆଜିଠାରୁ ଆରମ୍ଭ ହୋଇଯାଇଛି ଜାତୀୟସ୍ତରୀୟ ମେଳା ‘ଶିଶିର ସରସ-୨୦୨୦’। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍ମାସ୍ ପକ୍ଷରୁ ଆୟୋଜିତ ଏହି ମେଳାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ ଏବଂ ଓର୍ମାସ୍ର ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ମେଳାରେ ମୋଟ୍ ୩୦୦ଟି ଷ୍ଟଲ ପଡ଼ିଥିବା ବେଳେ ଓଡ଼ିଶାର ୩୦ ଜିଲ୍ଲାରୁ ସ୍ବୟଂସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ବାଲେଶ୍ବର, ବଲାଙ୍ଗୀର, କେନ୍ଦୁଝର, ସୁବର୍ଣ୍ଣପୁରର ଟେରାକୋଟା ସାମଗ୍ରୀ ସମେତ ରାୟଗଡ଼ା, କନ୍ଧମାଳ, ବାଲେଶ୍ବରର ପଥର ଖୋଦେଇ ସାମଗ୍ରୀ, ନୂଆପଡ଼ାର ଖାଦ୍ୟ ଓ ମସଲା ସାମଗ୍ରୀ, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗୀରର ହସ୍ତତନ୍ତ ସାମଗ୍ରୀ, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି ଓ କଳାହାଣ୍ଡିର ବନଜାତ ଦ୍ରବ୍ୟ, କେନ୍ଦ୍ରାପଡ଼ାର କାଇଁଚ ପ୍ରସ୍ତୁତ ସାମଗ୍ରୀ ସହ ମୟୂରଭଞ୍ଜ ସବାଇ ଘାସରୁ ପ୍ରସ୍ତୁତ ଘରକରଣା ସାମଗ୍ରୀ ଓ କାଠ ଜିନିଷ ମେଳାରେ ଉପଲବ୍ଧ ହେଉଛି। ଏଥିସହ ପଞ୍ଜାବର ଫୁଲକରୀ ପୋଷାକ ସହ ଜମ୍ମୁ କଶ୍ମୀରର ଶୀତ ପୋଷାକ, ଡ୍ରେସ୍ ମ୍ୟାଟେରିଆଲ୍, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁର ହସ୍ତତନ୍ତ ଓ ଘରକରଣା ସାମଗ୍ରୀ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଟସର କପଡ଼ା ଓ ଲୁଗା, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ରର ଖାଦ୍ୟ ଏବଂ ଉତ୍ତରପୂର୍ବ ରାଜ୍ୟର ବାଉଁଶ ଶିଳ୍ପ ସାମଗ୍ରୀ ଆଦି ମେଳାର ମୁଖ୍ୟ ଆକର୍ଷଣ ପାଲଟିଛି। ମେଳା ପରିସରକୁ ପରିଷ୍କାର ରଖି ସ୍ବଚ୍ଛତା ପ୍ରତି ଧ୍ୟାନ ଦେବା ଓ ପରିସରକୁ ପ୍ଲାଷ୍ଟିକ-ପଲିଥିନ୍ମୁକ୍ତ ରଖିବାକୁ ଆହ୍ବାନ ଦିଆଯାଇଛି।
ମେଳା ବୁଲିଲେ ମୁଖ୍ୟମନ୍ତ୍ରୀ ହଳଦୀ, ନଡ଼ିଆ ତେଲ କିଣିଲେ
ଆଜି ମୁଖ୍ୟମନ୍ତ୍ରୀ ମେଳାକୁ ଉଦ୍ଘାଟନ କରିବା ସହ ମେଳା ବୁଲି ଦେଖିଥିଲେ। ଏହି ଅବସରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସେ ଅଧ କେଜି କଞ୍ଚା ହଳଦୀ ସହ ନଡ଼ିଆ ତେଲ ଓ ସବାଇ ଘାସରେ ତିଆରି ଫୁଲ ଚାଙ୍ଗୁଡ଼ି କିଣିଥିଲେ। ଦାରିଙ୍ଗବାଡ଼ିରୁ ଆସିଥିବା ‘ଶୁଭଲକ୍ଷ୍ମୀ ଫୁଡ୍ ଆଣ୍ଡ୍ ସ୍ପାଇସେସ୍’ ସ୍ବୟଂସହାୟକ ଗୋଷ୍ଠୀ ପକ୍ଷରୁ ପଡ଼ିଥିବା ଷ୍ଟଲ୍ରୁ ଅଧ କେଜି କନ୍ଧମାଳ ହଳଦୀ କିଣି ମୁଖ୍ୟମନ୍ତ୍ରୀ ୫୦ ଟଙ୍କା ଦେଇଥିବା ବେଳେ ଗୋହଲି ସବାଇ ପ୍ରଡ୍ୟୁସର ଗ୍ରୁପ୍ର ଜୟନ୍ତୀ ମହନ୍ତଙ୍କଠାରୁ ସବାଇ ଘାସ ଫୁଲ ଚାଙ୍ଗୁଡ଼ି କିଣି ୧୫୦ଟଙ୍କା ଦେଇଥିଲେ। ଏନେଇ ଜୟନ୍ତୀ ଖୁସିବ୍ୟକ୍ତ କରିବା ସହ ପ୍ରଥମ ଗ୍ରାହକ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପାଇ ଗର୍ବିତ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/srhsfh5sf7h897sfh89fs4h65fh4f5s6h4sf54h8sf67h4f65sh465sfh4fshsfhffffffffffffffffffffff.jpg)