ଭୁବନେଶ୍ୱର: ସରି ସରି ଆସୁଛି ନେତାଙ୍କ ୫ ବର୍ଷ। ପ୍ରତିଜ୍ଞା ଓ ପ୍ରତିଶ୍ରୁତିରୁ ଆରମ୍ଭ ହୋଇଥିବା କ୍ଷମତାଭିତ୍ତିକ କାର୍ଯ୍ୟକାଳ ଆଉ କେଇ ମାସ ପରେ ସରିଯିବ। ପତିଆରାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ତେଣୁ ଆସନ୍ତା ନିର୍ବାଚନରେ ପୁଣିଥରେ କ୍ଷମତାକୁ ଆସିବା ପାଇଁ କସରତ ଆରମ୍ଭ ହୋଇଯାଇଛି। ସେହିପରି ବିରୋଧୀ ମଧ୍ୟ ଅନୁରୂପ ଉଦ୍ୟମ ଚଳାଇଛନ୍ତି। ନିର୍ବାଚନ ଯେତେ ନିକଟତର ହେଉଛି, ନେତାଙ୍କ ସ୍ୱର ସେତେ ଶାଣିତ ହେବାରେ ଲାଗିଛି। ଯୁଗ ଅନୁସାରେ ଏବେ ପ୍ରଚାରର ତରିକା ମଧ୍ୟ ବଦଳି ଯାଇଛି। ଘର ଘର ବୁଲି ପ୍ରଚାର ତଥା ସଭାରେ ଉଦ୍ବୋଧନ ଦେବାକୁ ବାଦ୍ ଦେଲେ ସୋସିଆଲ ମିଡିଆ ଏବେ ରାଜନେତା ତଥା ଦଳ ପାଇଁ ପ୍ରମୁଖ ଅସ୍ତ୍ର ପାଲଟିଛି। ରାଜଧାନୀର ବିଭିନ୍ନ ଓ୍ଵାର୍ଡର ଗଦାଗଦା ମୌଳିକ ସମସ୍ୟା ଏବେ ଫେସ୍ବୁକ୍ରେ ୟା’ ପାଖରୁ ତା’ ପାଖକୁ ଡେଇଁବାକୁ ଲାଗିଛି। ବିଜେଡି ଫ୍ୟାନ୍ କ୍ଲବ୍, ଭୁବନେଶ୍ୱର ପଲିଟିକ୍ସ ଗ୍ରୁପ୍, ବିଜେଡି ଭୁବନେଶ୍ୱର ନର୍ଥ, ବିଜେପି ଯୁବ ଭୁବନେଶ୍ୱର, ବିଜେଡି ଫର ଏଭର, ବିଜେଡି ସାଇବର୍ ଆର୍ମି, ବିଜେପି ଏକାମ୍ର କ୍ଲବ୍ ଓ ଭୁବନେଶ୍ୱର କଂଗ୍ରେସ ଲଭର୍ସ ଏନ୍ ସପୋର୍ଟର୍ସ ଭଳି ଫେସ୍ବୁକ୍ ଆକାଉଣ୍ଟ ଓ ଗ୍ରୁପ୍ ଖୋଲି ଆରମ୍ଭ ହୋଇଯାଇଛି ଲଢ଼େଇ। ରାଜଧାନୀରେ ବିଭିନ୍ନ ଯୋଜନାର ସଫଳତାକୁ ନେଇ ବିଜେଡି ବିଭିନ୍ନ ଭିଡିଓ ଓ ଫଟୋ ପୋଷ୍ଟ କରୁଥିବା ବେଳେ ବିଜେପି ଶାସକ ଦଳର ଦୋଷ ଦେଖାଇ ସୋସିଆଲ୍ ମିଡିଆରେ ମତ ହାତେଇବାକୁ ଚେଷ୍ଟା ଚଳାଇଛି।
ବର୍ଷା ରାଜଧାନୀବାସୀଙ୍କୁ ନାକେଦମ କରୁଥିବା ବେଳେ ଓଦା ହୋଇ ଫେସ୍ବୁକ୍ ଲାଇଭ୍ରେ ରାଜଧାନୀରେ କିଛି ଘଣ୍ଟାର ବନ୍ୟା ବିତ୍ପାତକୁ ଉପସ୍ଥାପନ କରି ସରକାରୀ କଳର ଦୋଷ ଦେଖା ଯାଉଛି। ଏଣେ ବିଜେଡି ଗ୍ରୁପ୍ ‘କମ୍ କଥା କହୁଥିବା, କାମ ଅଧିକ କରୁଥିବା’ ନେତା କହି ନବୀନ ପଟ୍ଟନାୟକଙ୍କ ଗୁଣ କୀର୍ତନ କରିଚାଲିଛି। କଂଗ୍ରେସ ବି ପଛରେ ପଡ଼ିନାହିଁ। କଂଗ୍ରେସର ଯୁବ କର୍ମୀମାନେ ନିଜେ ରହୁଥିବା ଓ୍ଵାର୍ଡରେ ସକ୍ରିୟ ହୋଇ ଉଠିଛନ୍ତି। ନିଜ ଅଞ୍ଚଳର ଉଜୁଡ଼ା ସ୍ଥିତିକୁ ସଜାଡ଼ିବାର ପ୍ରତିଶ୍ରୁତି ନେଇ ପ୍ରଚାର ଆରମ୍ଭ କରିଦେଇଛନ୍ତି। କିଛି ଛାତ୍ର ନେତା ରାଜନୀତିରେ ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚା ଜୋର୍ ଧରିଛି। ସୋସିଆଲ୍ ମିଡିଆରେ ରାଜନୀତି ପ୍ରଚାର କେବଳ ଏତିକିରେ ସୀମିତ ରହି ନାହିଁ, କିଛି କର୍ପୋରେଟରଙ୍କ ସହଯୋଗୀ ସୋସିଆଲ୍ ମିଡିଆରେ ଭୋଟିଂ ଆରମ୍ଭ କରି ଦେଇଛନ୍ତି। ବିଜେଡି, ବିଜେପି ଓ କଂଗ୍ରେସ୍ କିଏ ଏଥର କେଉଁ ଓ୍ଵାର୍ଡରେ କେଉଁ ଦଳର କର୍ପୋରେଟର୍ଙ୍କୁ ପସନ୍ଦ କରୁଛନ୍ତି ତାହାକୁ ନେଇ ଅଙ୍କ କଷା ଚାଲିଛି। କିଛି ଯୁବ ନେତା ନୂଆ କରି କର୍ପୋରେଟର ଟିକେଟ୍ ପାଇଁ ଆଶା ବାନ୍ଧି ପ୍ରଚାର ଆରମ୍ଭ କରି ଦେଇଛନ୍ତି। କିଏ ‘ଓ୍ଵାର୍ଡ ପାଇଁ ଜୀବନ ଦେବି’ ବୋଲି କବିତାରେ ଉଲ୍ଲେଖ କରୁଛି ତ କିଏ ବର୍ତ୍ତମାନର କର୍ପୋରେଟର୍ଙ୍କ ଦୋଷ ଦୁର୍ବଳତା ଓ ଅପାରଗତାକୁ ନେଇ ପ୍ରକାଶ ପାଇଥିବା ଖବରକାଗଜର ସମ୍ବାଦକୁ ପ୍ରଚାର କରି ତାକୁ ଆଗାମୀ ନିର୍ବାଚନରେ ଭୋଟ୍ ଦେବାକୁ ଇଙ୍ଗିତ କରୁଛି। ବର୍ଷାରେ ଉବୁଟୁବୁ ହେଉଥିବା ରାଜଧାନୀ, ଟ୍ରାଫିକ୍ ସମସ୍ୟା, ବିପର୍ଯ୍ୟସ୍ତ ରାସ୍ତା, ପିଇବା ପାଣି, ପାର୍କିଂ ଓ ଡ୍ରେନେଜ୍ ଭଳି ଗଦାଗଦା ସମସ୍ୟାକୁ ଫେସ୍ବୁକ୍ରେ ଉପସ୍ଥାପନ କରାଯାଉଛି। ନିମପୁରରୁ ନବୀନ ନିବାସ ଆସୁଥିବା ଝିଅର କାହାଣୀ ଆଧାରରେ ‘ନିମ୍କି’ ଚଳଚ୍ଚିତ୍ରର କିଛି ଦୃଶ୍ୟକୁ ସୋସିଆଲ୍ ମିଡିଆରେ ସ୍ଥାନିତ କରି ବିଜେଡି ବାଃବାଃ ସାଉଁଟୁଛି। ପୁଣି ହିନ୍ଦୀ କମେଡ଼ି ଭିଡିଓରେ ଓଡ଼ିଆ ସ୍ୱର ଦେଇ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ହେଁ ସୋସିଆଲ୍ ମିଡ଼ିଆରେ ଏକରକମ ଭୋଟିଂ ଆରମ୍ଭ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/social-media-2-shutterstock.jpg)