କିଟ୍‌ରେ ଷ୍ଟାର୍ଟ-ଅପ୍‍ ଇନୋଭେସନ୍‍ କନକ୍ଲେଭ୍‌

ଚନ୍ଦ୍ରଶେଖରପୁର: କିଟ୍‌ର ରୌପ୍ୟଜୟନ୍ତୀ ଓ କିଟ୍‍ ଟିବିଆଇର ୧୨ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାରଠାରୁ ଦୁଇଦିନିଆ ଷ୍ଟାର୍ଟ-ଅପ୍‍ ଇନୋଭେସନ୍‍ କନକ୍ଲେଭ୍‌ କିଟ୍‌ ପରିସରରେ ଆରମ୍ଭ ହୋଇଛି। ଭାରତ ସରକାରଙ୍କ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରାଳୟ ସଚିବ ଲୋକରଞ୍ଜନ ଆଜିର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆହ୍ବାନ ମଧ୍ୟରେ ସୁଯୋଗର ସଦୁପୋ‌ଯୋଗ କରିପାରିଲେ, ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ। ଭାରତ ସରକାରଙ୍କ ଟେକ୍ନୋଲୋଜି ଡେଭଲପମେଣ୍ଟ ବୋର୍ଡର ସଚିବ ରାଜେଶ କୁମାର ପାଠକ୍‌ ଛୋଟଛୋଟ ସହରରେ ଉଦ୍ୟୋଗ ଓ ଷ୍ଟାର୍ଟ-ଅପ୍‍ ପ୍ରତିଷ୍ଠା ଉପରେ ଗୁରୁତ୍ବାରୋପ କରିଥିଲେ। ଅହମ୍ମଦାବାଦ୍‌ସ୍ଥିତ ଇଡିଆଇଆଇ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ସୁନିଲ ଶୁକ୍ଳା ଯୁବକଙ୍କ ମଧ୍ୟରେ ଔଦ୍ୟୋଗିକ ମନୋଭାବ ବିକାଶର ଆବଶ୍ୟକତା ଅଛି ବୋଲି କହିଥିଲେ।

ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ଓ ଟେକ୍ନୋଲୋଜି ଡେଭଲପମେଣ୍ଟ ବୋର୍ଡର ପୂର୍ବତନ ସଚିବ ଏଚ୍‍.କେ ମିତ୍ତଲ କହିଥିଲେ ଯେ ସଫଳ ଉଦ୍ୟୋଗୀ ହେବା ପାଇଁ ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି। କିଟ୍‍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିଟ୍‍ ଓ କିସ୍‍ ହେଉଛି ସଫଳ ଉଦ୍ୟୋଗର ଦୁଇଟି ଜ୍ୱଳନ୍ତ ଉଦାହରଣ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ କହିଲେ, କିଟ୍‍ ଓ କିସ୍‌ର ପ୍ରତିଷ୍ଠାତା ସର୍ବଦା ନୂତନ ସର୍ଜନା, ଷ୍ଟାର୍ଟଅପ୍‍ ଓ ଉଦ୍ୟୋଗକୁ ଗୁରୁତ୍ୱ ଦେଇଆସୁଛନ୍ତି। କିଟ୍‍ ଟିବିଆଇରେ ପ୍ରଥମ ଷ୍ଟାର୍ଟଅପ୍‍ ପ୍ରତିଷ୍ଠା ସମୟରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ କିଭଳି ତାଙ୍କୁ ଉତ୍ସାହିତ କରିଥିଲେ, ସେ ସମ୍ପର୍କରେ ଭାରତୀୟ ଷ୍ଟାର୍ଟ-ଅପ୍‌ର ପୋଷ୍ଟର୍‌ ବୟ ତଥା ଫାରଆଇର ସିଓଓ ଗୌତମ କୁମାର କହିଥିଲେ। ଏହି ଅବସରରେ ଅତିଥିମାନେ କିଟ୍‍ ଟିବିଆଇ ଇମ୍ପାକ୍ଟ ରିପୋର୍ଟକୁ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର