ଆରମ୍ଭ ହେଲା ‘ଓଡ଼ିଶା ୱେଡିଂ ଏକ୍ସପୋ’

ଭୁବନେଶ୍ବର: ଆଗକୁ ଆସୁଛି ବିବାହ ଋତୁ। ବିବାହ ପ୍ରସ୍ତୁତି କିପରି କରିବେ ଜାଣିପାରୁ ନାହାନ୍ତି? ବିବାହ ପୋଷାକ, କାର୍ଡ, କ୍ୟା‌ଟରିଂ, ଫଟୋ ସୁଟ୍‌ଠାରୁ ଆରମ୍ଭ କରି ବରକନ୍ୟାଙ୍କ ସଜବାଜ ପର୍ଯ୍ୟନ୍ତ, ଏସବୁ କେଉଁଠାରେ କଲେ ଭଲ ହେବ କିମ୍ବା କେମିତି ଠିକ୍‌ ସ୍ଥାନରେ ପହଞ୍ଚିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି କି? ତେବେ ଚିନ୍ତା କାହିଁକି? ଗ୍ରାହକମାନଙ୍କର ଏହି ଦ୍ବନ୍ଦ୍ବକୁ ଦୂର କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ଓଡ଼ିଶା ୱେଡିଂ ଏକ୍ସପୋ’। ବିବାହ ପ୍ରସ୍ତୁତିରେ ବ୍ୟବହୃତ ସମସ୍ତ ସରଞ୍ଜାମ ଓ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହା ଆରମ୍ଭ କରାଯାଇଛି। ଚାନ୍ଦି ଭଣ୍ଡାର ସହଯୋଗରେ ଡ୍ରିମ୍‌ସ୍‌ କ୍ରିଏସନ୍‌ ପକ୍ଷରୁ ଆୟୋଜିତ ବିବାହ ସମ୍ପର୍କିତ ‘୫ମ ଓଡ଼ିଶା ୱେଡିଂ ଏକ୍ସପୋ‌’ ନାମରେ ନାମିତ ଏହି ପ୍ରଦର୍ଶନୀ ଆଜି ହୋଟେଲ ମେ’ ଫେୟାରଠାରେ ଉଦ୍‌ଘାଟିତ ହୋଇଯାଇଛି। ଡ୍ରିମ୍‌ସ୍‌ କ୍ରିଏସନ୍‌ର ପରିଚାଳନା ନିର୍ଦ୍ଦେଶକ ପରମାନନ୍ଦ ମହାପାତ୍ରଙ୍କ ଦ୍ବାରା ଉଦ୍‌ଘାଟିତ ଏହି ପ୍ରଦର୍ଶନୀ ଆସନ୍ତାକାଲି ଅର୍ଥାତ ରବିବାର ଯାଏଁ ଚାଲିବ। ଦୀପାବଳି ଓ ଶୀତଦିନିଆ ବିବାହ ଋତୁକୁ ନଜରରେ ରଖି ଏହି ପ୍ରଦର୍ଶନୀ‌ର ଆୟୋଜନ କରାଯାଇଥିବା ବେଳେ ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ୪୫ରୁ ଅଧିକ ବ୍ୟବସାୟୀ ଅଂଶଗ୍ରହଣ କରିଛନ୍ତି।

ଏହି ଷ୍ଟଲଗୁଡ଼ିକରେ ବିବାହ ମଣ୍ଡପ, ହୀରା, ସୁନା, ରୁପା ଗହଣା, କ୍ୟାଟରିଂ, ଫୁଲ ସଜ୍ଜା, ନିମନ୍ତ୍ରଣ କାର୍ଡ, ଉପହାର, ଆଲବମ୍‌ ମେକର, ଫଟୋଗ୍ରାଫର, ଭିଡିଓଗ୍ର‌ାଫି, ମେହେନ୍ଦି ଆର୍ଟିଷ୍ଟ, ମେକ୍‌ଅପ୍‌ ଆର୍ଟିଷ୍ଟ, ଡେକୋରେଟର୍‌, ବୁଟିକ୍‌, ବ୍ରାଇଡାଲ୍‌ କଲେକ୍‌ସନ୍‌, ଗହଣା, ଖାଦ୍ୟପେୟ ଓ ବିବାହକୁ ନେଇ ସମସ୍ତ ପ୍ରକାର ସାମଗ୍ରୀର ଏକ ବିଶାଳ ସମ୍ଭାର ଏଠାରେ ଦେଖିବାକୁ ମିଳୁଛି। ଗ୍ରାହକମାନେ ଏଠାରେ ବୁଲି ନିଜ ଆବଶ୍ୟକତା ଅନୁଯାୟୀ ସାମଗ୍ରୀ କ୍ରୟ କରିବା ସହ ବ୍ୟବସାୟୀ, ଡିଜାଇନର୍‌ମାନଙ୍କ ସହ ଯୋଗାଯୋଗ ସ୍ଥାପନ କରି ଆଗକୁ ବୁକିଂ ପାଇଁ ବରାଦ କରିପାରିବେ।

ସମ୍ବନ୍ଧିତ ଖବର