ଭୁବନେଶ୍ୱର: ରାଜ୍ୟ ବାହାରର ଅଣଓଡ଼ିଆ ସଂସ୍ଥାକୁ ଆର୍ଥିକ ସହଯୋଗ ଦେଇ ବିବାଦକୁ ଆସିଥିବା ଷ୍ଟାର୍ଟ ଅପ୍‌ ଓଡ଼ିଶା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗୋଟିଏ ପଟେ ଏଥିରେ ଥିବା କେଳେଙ୍କାରୀର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। ପୂର୍ବରୁ ଜଣେ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଥିବା ବେଳେ ଏବେ ସିନିୟର ମିସନ ଆସୋସିଏଟ୍‌ ରଶ୍ମୀରଞ୍ଜନ ସାହୁ ଓ ମହିଳା କନ୍‌ସଲ୍‌ଟାଣ୍ଟ ଇସ୍ତଫା ଦେଇଛନ୍ତି। ଏମାନଙ୍କର ଇସ୍ତଫା ପତ୍ର ଗୃହୀତ କରିବା ପରେ ଖୋଦ୍‌ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ରାୟ ମଧ୍ୟ ଇସ୍ତଫା ଦେଇଛନ୍ତି। ତଦନ୍ତ ସରି ନଥିବା ବେଳେ ବା କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ଏଭଳି ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି। 

Advertisment

ଏଭଳି ସ୍ଥିତିରେ ଆଉ ଏକ ସାଂଘାତିକ ଅଭିଯୋଗ ଓମ୍‌କାର ରାଏଙ୍କ ବିରୋଧରେ ଆସିଛି। ମହିଳା କର୍ମଚାରୀଙ୍କୁ ଧମକ ଦେବା ଓ ଓମ୍‌କାର ରାଏଙ୍କ କଥାରେ ରାଜି ନ ହେବାରୁ ଚାକିରିରୁ ବିଦା କରିଦେବା ଭଳି ଅଭିଯୋଗ ସରକାରଙ୍କ ପାଖରେ ପହଞ୍ଚିବା ପରେ ତନାଘନା ହୋଇଛି। ମହିଳା କର୍ମଚାରୀଙ୍କ ପ୍ରତି ନିର୍ଯାତନା ତଦନ୍ତ ପାଇଁ ଗଠିତ ହୋଇଥିବା କମିଟିକୁ ସରକାର ରିପୋର୍ଟ ତଲବ କରିଛନ୍ତି। ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପରେ ସରକାରଙ୍କୁ ଅବଗତ କରିବାକୁ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଶିଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି। ଗୋଟିଏ ପଟେ ଷ୍ଟାର୍ଟ ଅପ୍‌ ଓଡ଼ିଶାରେ ହୋଇଥିବା କେଳେଙ୍କାରୀ ତଦନ୍ତରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଉଥିବା ବେଳେ, ମହିଳ‌ା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। କର୍ଯ୍ୟାନୁଷ୍ଠାନ ପୂର୍ବରୁ ଏଭଳି ଇସ୍ତଫା କାହିଁକି ବୋଲି ଚର୍ଚ୍ଚା ହେଉଛି। 

କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ସହ ୩ ଚାକିରି ଛାଡ଼ିଲେ
ଓମ୍‌କାର ରାଏଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ
ସରକାରଙ୍କୁ ଅଭିଯୋଗ କଲେ ୧୦ ମହିଳା କର୍ମଚାରୀ

ଓମ୍‌କାର ରାଏଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ୧୦ରୁ ଊର୍ଦ୍ଧ୍ବ ଓଡ଼ିଆ ମହିଳା କର୍ମଚାରୀ ଲେଖିଛନ୍ତି କି ସେମା‌ନେ ଆଉଟ୍‌ ସୋର୍ସିଂ ଏଜେନ୍‌ସି ରାନ୍‌ଷ୍ଟାଡ୍‌ ଇଣ୍ଡିଆ ପ୍ରାଃ ଲିଃ ଜରିଆରେ ଷ୍ଟାର୍ଟ ଅପ୍‌ ଓଡ଼ିଶାରେ କାମ କରୁଥିଲେ। କିନ୍ତୁ ସେମାନଙ୍କୁ ନିର୍ଦ୍ଦିଷ୍ଟ କାମ ଦିଆଯାଉ ନଥିଲା। ବିନା କାରଣରେ ରାତି ଅଧିଆ ସେମାନଙ୍କର ଦାୟିତ୍ବ ବଦଳାଇ ଦିଆଯାଉଥିଲା। କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସେମାନଙ୍କୁ ଅନେକ ବେଆଇନ କାମ କରିବାକୁ କହୁଥିଲେ। ଯେମିତିକି ଅନ୍ୟ ଅଧିକାରୀମାନେ ବ୍ୟବହାର କରିଥିବା ଗାଡ଼ିର ‘ଭେଇକିଲ୍‌ ଲଗ୍‌ବୁକ୍‌’ ଦସ୍ତଖତ କରିବାକୁ କହୁଥିଲେ। ଚାକିରି ଚାଲିଯିବା ଭୟରେ ସେମାନେ ଦସ୍ତଖତ କରୁଥିଲେ। ‘ମିଡିଆକୁ ଖବର ଦେଉଛ’ କହି ଓମ୍‌କାର ରାଏ ସେମାନଙ୍କୁ ଦୁର୍ବ୍ୟବହାର କରୁଥିଲେ। ଓଡ଼ିଆ କର୍ମଚାରୀଙ୍କୁ ବିଦା କରି ଅଣଓଡ଼ିଆଙ୍କୁ ରଖିବା ପାଇଁ ଉଦ୍ୟମ ଚଳାଇଥିଲେ। ଯେଉଁମାନେ କଥା ମାନୁଥିଲେ, ସେମାନଙ୍କର ଦରମା ହୁ ହୁ ହୋଇ ବଢ଼ୁଥିଲା, ଯେଉଁମାନେ ବେଆଇନ କାମ କରିବା ପାଇଁ ତାଙ୍କର ମୌଖିକ ଆଦେଶ ମାନୁ ନଥିଲେ, ସେମାନଙ୍କର ଦରମା ବଢ଼ୁନଥିଲା, ବରଂ ଚାକିରି ଚାଲିଯାଉଥିଲା। ଏବଂ ଶେଷରେ ଏହି ଓଡ଼ିଆ କର୍ମଚାରୀମାନଙ୍କୁ ଛଟେଇ କରି ଦିଆଯାଇଥିଲା। 

ରଶ୍ମିରଞ୍ଜନ ସାହୁ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ଦିନକୁ ଦିନ କାମ ଚାପ ବଢ଼ି ଯାଇଥିଲା। ଫଳରେ ଏହା ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥିଲା। କାମ କରିବା ପାଇଁ ଯଥା ସାଧ୍ୟ ଉଦ୍ୟମ କରିଥିଲେ ମଧ୍ୟ ଚାପ ଏତେ ବଢ଼ି ଯାଇଥିଲା ଯେ, ଆଉ ସମ୍ଭବ ହେଲା ନାହିଁ। ଏଣୁ ସେ ଚାକିରିରୁ ଇସ୍ତଫା ଦେଉଥିବା ଲେଖିଛନ୍ତି। ତାଙ୍କ ଇସ୍ତଫା ପତ୍ରକୁ ଓମ୍‌କାର ରାଏ ଗ୍ରହଣ କରିବା ସହ ତାଙ୍କୁ କାର୍ଯ୍ୟରୁ ମୁକ୍ତ କରଇଛନ୍ତି। ସେହିଭଳି ଇସ୍ତଫା ଦେଇଥିବା ମହିଳା କନ୍‌ସଲ୍‌ଟାଣ୍ଟ ଆଉଟ୍‌ସୋର୍ସିଂ ଏଜେନ୍‌ସି ଇୱାଇ ନଲେଜ୍‌ ପାର୍ଟନର ଅଧୀନରେ କାମ କରୁଥିଲେ। ଅନିର୍ବାର୍ଯ୍ୟ କାରଣରୁ ଇସ୍ତଫା ଦେଇଥିବା ଲେଖିଛନ୍ତି। ତାଙ୍କୁ ମଧ୍ୟ ଓମ୍‌କାର ରାଏ କାର୍ଯ୍ୟରୁ ମୁକ୍ତ କରିଛନ୍ତି। 
ସୂଚନାଯୋଗ୍ୟ, ଷ୍ଟାର୍ଟ ଅପ ଓଡ଼ିଶାରେ ହୋଇଥିବା କେଳେଙ୍କାରୀକୁ ନେଇ ମନ୍ତ୍ରୀ ପରିଦର୍ଶନ କରିବା ପରେ ତଦନ୍ତ ହୋଇଥିଲା। ଏ ନେଇ ଗଠନ ହୋଇଥିବା ଟିମ୍‌ ସରକାରଙ୍କୁ ୩୨ ପୃଷ୍ଠାର ରିପୋର୍ଟ ଦେଇଥିଲା। ଏହା ପୂର୍ବରୁ ଓମ୍‌କାର ରାଏ ନେଇଥିବା ଅଧିକ ଦରମା ଓ ଏନ୍‌ପିଏସ୍‌ ବାବଦକୁ ଷ୍ଟାର୍ଟ ଅପ୍‌ ଓଡ଼ିଶା ପକ୍ଷରୁ ଜମା ଅର୍ଥ ତାଙ୍କ ଠାରୁ ଆଦାୟ ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା। ଏହା ପରେ ପରେ ଇସ୍ତଫା ପର୍ବ ଆରମ୍ଭ ହୋଇଥିଲା।