ଭୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶା ଓ ଏହାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମ୍କାର ରାଏଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ସରିବା ପରେ ତିନିଜଣିଆ କମିଟି ସରକାରଙ୍କୁ ୩୨ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛି। ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ବାକି ଥିବା ସମୟରେ ଓମ୍କାର ରାଏଙ୍କୁ ଚାକିରିରୁ ଅବ୍ୟାହତି ଦେଇଛନ୍ତି ରାଜ୍ୟ ସରକାର। ଗତ ମାସ ୩୦ ତାରିଖରୁ ତାଙ୍କୁ ଷ୍ଟାର୍ଟ ଅପ୍ ଓଡ଼ିଶା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଦାୟିତ୍ବମୁକ୍ତ କରାଯାଇଥିବା ନେଇ ଏମ୍ଏସ୍ଏମ୍ଇ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ସରକାର ଷ୍ଟାର୍ଟ ଅପ୍ ଓଡ଼ିଶାରେ ହୋଇଥିବା କେଳେଙ୍କାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ ସେ ହିଁ ତାଙ୍କୁ ଅବ୍ୟାହତି ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଦରମା ଓ ଏନ୍ପିଏସ୍ ବାବଦକୁ ତାଙ୍କ ଠାରୁ ଆଦାୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଆଦାୟ ହୋଇନାହିଁ। ଏ ସବୁ ଆଦାୟ କେମିତି ହେବ? ସେ ଦରମା ନେଉଥିଲେ ତାଙ୍କ ଦରମାରୁ କାଟିବା ପାଇଁ ନିର୍ଦ୍ଦେଶ ଥିଲା। ହେଲେ ଦରମାରୁ ନ କାଟି ତାଙ୍କୁ ଚାକିରିରୁ ଅବ୍ୟାହତି ଦେଇଦେଲେ। ଦରମା କାଟିବା ପାଇଁ ୨ ମାସ ସମୟ ଥିଲେ ମଧ୍ୟ ଟଙ୍କାଟିଏ କଟା ଗଲା ନାହିଁ କିମ୍ବା ତାଙ୍କ ଠାରୁ ଅସୁଲ କରାଗଲା ନାହିଁ। ସେ କ୍ଷମତାଶାଳୀ ନା ତାଙ୍କୁ ସୁରକ୍ଷା ଦେବା ପାଇଁ ପଛରେ କିଏ ଅଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ସମଗ୍ର ପ୍ରସଙ୍ଗକୁ ବିବାଦୀୟ କରିପକାଇଛି।
କିଏ ଦେଉଥିଲା ସୁରକ୍ଷା?
ସରକାରଙ୍କ ଚିଠି ମୁତାବକ, ଓମ୍କାର ରାଏଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ଆଧାରରେ ଦରମା ପ୍ରଦାନ କରାଯାଉଥିଲା। ଏହି ମୋଟା ଅଙ୍କର ଦରମା ଅର୍ଥ ବିଭାଗ ଧାର୍ଯ୍ୟ କରିବା କଥା। କିନ୍ତୁ ଏମ୍ଏସ୍ଏମଇ ବିଭାଗ ଏହାକୁ ଧାର୍ଯ୍ୟ କରିଥିଲା। ଏଭଳି ପ୍ରତିବାଦ କରି ଅର୍ଥ ବିଭାଗ ତାଙ୍କର ଦରମା ପୁନଃ ଧାର୍ଯ୍ୟ କରିଥିଲା। ସେ ନେଇଥିବା ଅଧିକା ଦରମା ତାଙ୍କ ଠାରୁ ଅସୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଅର୍ଥାତ୍ ସରକାର ହିଁ ସ୍ପଷ୍ଟ କରିଥିଲେ କି ତାଙ୍କ ଦରମା ଧାର୍ଯ୍ୟ କରିବାରେ ଜାଲିଆତି ହୋଇଥିଲା। ଏହାକୁ କିଏ କରିଥିଲା? ସେ ଏବେ କେଉଁଠି? ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ତ? ଏଭଳି ଅନେକ ପ୍ରଶ୍ନ ଉଠିଛି। ସତକଥା ହେଉଛି, ଯିଏ ଏଭଳି କାରବାର କରିଥିଲେ ସେ ଏବେ ବି ଏମ୍ଏସ୍ଏମ୍ଇ ବିଭାଗରେ ଅଛନ୍ତି ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ଦାୟିତ୍ବରେ ମଧ୍ୟ ଅଛନ୍ତି। ଓମ୍କାର ରାଏଙ୍କୁ ସେ ସରକାରରେ ଥାଇ ସୁରକ୍ଷା ଦେଉଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ ସେ ତଦନ୍ତ ପରିସରଭୁକ୍ତ ହୋଇ ନାହାନ୍ତି। ସରକାର ତାଙ୍କୁ ତଦନ୍ତ ପରିସରଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି?
ଶ୍ରୀ ରାଏ ଏସ୍ଟିପିଆଇରେ ଚିକିରି କରୁଥିଲେ। ସେଠାରୁ ୮୮ ହଜାର ଟଙ୍କା ପେନ୍ସନ ପାଉଥିଲେ। କିନ୍ତୁ ସରକାରଙ୍କୁ ୬୧ ହଜାର ଦର୍ଶାଇ ମାସିକ ୨୭ ହଜାର ଟଙ୍କା ଅତିରିକ୍ତ ନେଇ ଚାଲିଥିଲେ। ଜଣାପଡ଼ିବା ପରେ ସରକାର ତାଙ୍କ ଠାରୁ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନ୍ପିଏସ୍ ବାବଦକୁ ଷ୍ଟାର୍ଟ ଅପ୍ ଓଡ଼ିଶା ତାର ଭାଗ ଜମା କରୁଥିଲା। ଏହାକୁ ସରକାର ବେଆଇନ କହି ଅସୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ମୋଟ ୨୨ ଲକ୍ଷ ଟଙ୍କା ତାଙ୍କ ଠାରୁ ଆଦାୟ ହେବା କଥା। ଯେବେ ଆଦେଶ ହୋଇଥିଲା ସେବେଠାରୁ ଦୁଇ ମାସ ଧରି ଓମ୍କାର ରାଏ ଦରମା ନେଇଥିଲେ। ହେଲେ ଟଙ୍କାଟିଏ କଟା ଗଲା ନାହିଁ। ଷ୍ଟାର୍ଟଅପ୍ ଓଡ଼ିଶାରେ ସେ ସର୍ବେସର୍ବା ହୋଇଥିବାରୁ ଅଧସ୍ତନ କର୍ମଚାରୀମାନେ ତାଙ୍କ ଦରମା କାଟିବାକୁ ସାହସ ଜୁଟାଇ ପାରିନଥିବା ଅଭିଯୋଗ ହୋଇଥିଲା। ସରକାର ଏହି ଅର୍ଥ ଆଦାୟ ନ କରି କିଭଳି କାର୍ଯ୍ୟରୁ ଅବ୍ୟାହତି ଦେଲେ? କାହା ଚାପରେ ସରକାର ଚେପା ହୋଇଗଲେ ବୋଲି ପ୍ରଶ୍ନ ଉଠିଛି। ତେବେ ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି କି ଯେଉଁଠି ଥିଲେ ବି କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିଷ୍ପତ୍ତି ନେଲେ ହୋଇପାରିବ। କିନ୍ତୁ ସରକାରଙ୍କ ଆନ୍ତରିକତା କେତେ, ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହେବ।