କ୍ୟାମ୍ପସରେ ବୁଲିଲା ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ଭ୍ୟାନ୍‌

ଭୁବନେଶ୍ବର, ୩୦/୮(ଇମିସ): ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ଅଧୀନରେ ଏକ ଅଭିଯାନ ଭ୍ୟାନ୍‌ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଭ୍ରମଣ କରିଛି। ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନବସୃଜନ ଓ ଉଦ୍ୟୋଗର ମୌଳିକତା ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ସୁଯୋଗକୁ ପିଲାମାନେ କିପରି ଉପଯୋଗ କରିପାରିବେ ସେହି ଉଦ୍ଦେଶ୍ୟ ନେଇ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ଉଦଘାଟନ କରି ଏଭଳି ପଦକ୍ଷେପକୁ ସମର୍ଥନ ଜଣାଇବା ସହ ଛାତ୍ରଛାତ୍ରୀ ନୂତନତ୍ୱ ଭିତ୍ତିକ ଷ୍ଟାର୍ଟଅପ୍ ଆଣିବାକୁ ଆହ୍ବାନ ଦେଇଥିଲେ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ କୁଳସଚିବ ଅଭୟ କୁମାର ନାୟକ, ପିଜି କାଉନ‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ, ଉତ୍କଳ ସେଣ୍ଟର ଫର୍‌ ଇନୋଭେସନ ଆଣ୍ଡ ଇକୁବେସନ ଫାଉଣ୍ଡେସନ(ୟୁସିଆଇଆଇଏଫ୍‌) ପ୍ରଫେସର ଇନ୍-ଚାର୍ଜ ପ୍ରଫେସର ଶ୍ରୀରୂପ ଗୋସ୍ୱାମୀ, ଏଗ୍ରିବିଜନେସ୍‌ ‌ମ୍ୟାନେଜମେଣ୍ଟ ମୁଖ୍ୟ ଦୀପ ରାମ ପ୍ରମୁଖ ଉପସ୍ଥିତ ରହିଥିଲେ। ରୁସା ୨.୦ ଅଧୀନରେ ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ଥାପିତ ହୋଇଥିବା ୟୁସିଆଇଆଇଏଫ୍‌କୁ ଏହି ଭ୍ୟାନ୍‌ରେ ପରିଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ୧୫ ଇନ୍‌କ୍ୟୁବେଟେଡ୍ ଷ୍ଟାର୍ଟଅପ୍ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର