ଭୁବନେଶ୍ବର: ଉତ୍କର୍ଷ କଳାର ରାଜ୍ୟ ଉତ୍କଳ। ଏହି ରାଜ୍ୟର ଲଳିତକଳାର ପ୍ରଚାର ପ୍ରସାର ଓ ପ୍ରୋତ୍ସାହନ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ସ୍ଥାପିତ ହୋଇଛି ଓଡ଼ିଶା ଲଳିତ କଳା ଏକାଡେମୀ। ବର୍ଷ ସାରା ବିଭିନ୍ନ ଚିତ୍ରକଳା ଶିବିର, ପ୍ରଦର୍ଶନୀ, ସ୍ବତନ୍ତ୍ର ଆଲୋଚନାଚକ୍ର, ଏକାଡେମୀ ପୁରସ୍କାର ସମେତ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରୁଛି ଏହି ଏକାଡେମୀ। କିନ୍ତୁ ଏକାଡେମୀ ଯେତିକି କ୍ରିୟାଶୀଳ ହେବା କଥା ତାହା ହୋଇ ପାରୁନାହିଁ। ଏହାର ମୁଖ୍ୟ କାରଣ ହେଉଛି କର୍ମଚାରୀ ସଙ୍କଟ। ଏବେ ମାତ୍ର ଜଣେ ସ୍ଥାୟୀ କର୍ମଚାରୀ ଓ କିଛି ଅସ୍ଥାୟୀ କର୍ମଚାରୀଙ୍କୁ ନେଇ ଚାଲିଛି ଏକାଡେମୀର ମୁଖ୍ୟାଳୟ। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଆଗକୁ ନେବା ପାଇଁ ଲଳିତ କଳା ଏକାଡେମୀର ଏକ ବଡ଼ ଦାୟିତ୍ବ ରହିଛି। ଓଡ଼ିଶାର ମୁଦ୍ରଣ କଳା, ପ୍ରସ୍ତର କଳା, ପାରମ୍ପରିକ କଳା ଓ ସମସାମୟିକ ଚିତ୍ରକଳାର ସରଂକ୍ଷଣ ତଥା ଏହାକୁ ନେଇ ନାନା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପ୍ରତିବର୍ଷ ଚିତ୍ରକଳା ଶିବିରମାନ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି। ବର୍ତ୍ତମାନ ଏହି ଧାରା ଦେଶ ଓ ବିଦେଶକୁ ମଧ୍ୟ ବ୍ୟାପିଲାଣି। ନିକଟରେ ଆଦିବାସୀ ଚିତ୍ରଶିଳ୍ପୀମାନେ ଦୁବାଇରେ ଓଡ଼ିଶାର ଆଦିବାସୀଙ୍କ ପାରମ୍ପରିକ ଚିତ୍ର ଆଙ୍କିଲେ ଓ ଏହାକୁ ଦୁବାଇରେ ଏକ ସ୍ବତନ୍ତ୍ର ଚିତ୍ରକଳା ଶିବିରରେ ପ୍ରଦର୍ଶନ କରାଗଲା। ଏଥିସହ ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ଭଳି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଉଛି।
୨୦୧୮ ମସିହାରୁ ଲଗାତାର ଦୁଇଥର ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବେ କାର୍ଯ୍ୟ ତୁଲାଉଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। କିନ୍ତୁ ଏକାଡେମୀର ଉପସଭାପତି ପଦ ବର୍ଷେରୁ ଅଧିକ ସମୟ ହେବ ଖାଲି ପଡ଼ିଛି। ସେହିପରି ଏକାଡେମୀର ସଚିବ ପଞ୍ଚାନନ ସାମଲ, ଅର୍ଥ ପରାମର୍ଶଦାତା କାଳୀଚରଣ ମହାନ୍ତି ରହିଛନ୍ତି। କର୍ମଚାରୀଙ୍କ ମଧ୍ୟରେ ସେକ୍ସନ ଅଫିସର, ବରିଷ୍ଠ କିରାଣୀ, କନିଷ୍ଠ କିରାଣୀ, ଗାଡ଼ି ଚାଳକ, ୱାଚ୍ମ୍ୟାନ୍ ଭଳି ପଦବି କାହିଁ କେତେ ବର୍ଷରୁ ଖାଲି ପଡ଼ିଛି। ଏବେ ମାତ୍ର ଜଣେ ସ୍ଥାୟୀ କର୍ମଚାରୀ ଭାବେ ଗ୍ୟାଲେରୀ ଆଟେଣ୍ଡାଣ୍ଟ ଶରତ ଚନ୍ଦ୍ର ସାମଲ ଅଛନ୍ତି। ଅନ୍ୟ ସମସ୍ତ କର୍ମଚାରୀ ଅବସର ନେଇ ସାରିଲେଣି। ଏବେ କାମ ଚଳାଇବା ପାଇଁ ଜଣେ ଡାଟାଏଣ୍ଟ୍ରି ଅପରେଟର ଭାବେ ଉର୍ଦ୍ଦୁ ଏକାଡେମୀରୁ ୨୦୨୦ ମସିହାରେ ଅବସର ନେଇଥିବା ରାଜ କିଶୋର ମହାନ୍ତିଙ୍କୁ ୮ ମାସ ତଳେ ବରିଷ୍ଠ କିରାଣୀ ରୂପେ ଥଇଥାନ କରା ଯାଇଛି। ସେହିପରି ଓଡ଼ିଶାର ୮ଟି ସ୍ଥାନରେ ଥିବା ଏକାଡେମୀର ଆର୍ଟ ଗ୍ୟାଲେରିରେ ଜଣେ ହେଲେ ସ୍ଥାୟୀ କର୍ମଚାରୀ ନାହାନ୍ତି। ଗଞ୍ଜାମର ଛତ୍ରପୁର, ବାଲେଶ୍ବର, କୋରାପୁଟ, ସମ୍ବଲପୁର, ପୁରୀ, ବଲାଙ୍ଗୀର ପ୍ରମୁଖ ଜିଲ୍ଲା ସହ ଭୁବନେଶ୍ବରରେ ବୁଦ୍ଧପାର୍କ ଆର୍ଟ ଗ୍ୟାଲେରି ଓ ରାଜ୍ୟ ସଂଗ୍ରହାଳୟ ମଧ୍ୟରେ କଳିଙ୍ଗ ଆର୍ଟ ଗ୍ୟାଲେରି ରହିଛି। ଏହି ସମସ୍ତ ଗ୍ୟାଲେରିରେ ଆଉଟ୍ସୋର୍ସିଂ ଜରିଆରେ ଜଣେ ଗ୍ୟାଲେରି ଆଟେଣ୍ଡାଣ୍ଟ ଓ ଜଣେ ଜଗୁଆଳୀଙ୍କୁ ରଖାଯାଇଛି। କେବଳ ବୁଦ୍ଧ ଆର୍ଟ ଗାଲେରିରେ ଜଣେ ମାଳିଙ୍କୁ ନିଯୁକ୍ତି ମିଳିଛି। କର୍ମଚାରୀ ଅଭାବ ତଥା ଅଭିଜ୍ଞ କର୍ମଚାରୀ ନଥିବାରୁ ଏକାଡେମୀ ଯେଉଁଭଳି ଚଳଚଞ୍ଚଳ ରହିବା କଥା, ତାହା ହେଉନାହିଁ। ଏହାକୁ ନେଇ ଅନେକ ସମୟରେ ଶିଳ୍ପୀମାନେ ସ୍ବର ଉଠାଇଛନ୍ତି। କିନ୍ତୁ ପ୍ରଶ୍ନକୁ ଏଡ଼ାଇ ଚାଲିଛନ୍ତି ସଂପୃକ୍ତ ବିଭାଗର ଉପରିସ୍ଥ ଅଧିକାରୀମାନେ। ଏନେଇ ଏକାଡେମୀର ସଚିବ ଶ୍ରୀ ସାମଲ କହିଛନ୍ତି, ପଦବି ପୂରଣ ନେଇ ସରକାରଙ୍କୁ ଚିଠି କରାଯାଇଛି। ସରକାରୀ ସ୍ତରରେ ଏନେଇ ଆଲୋଚନା ମଧ୍ୟ ହୋଇଛି। ବର୍ତ୍ତମାନ କାମ ଚଳାଇବା ପାଇଁ କିଛି ଅସ୍ଥାୟୀ କର୍ମଚାରୀଙ୍କୁ ରଖାଯାଇଛି। ଖୁବ୍ ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ସାମଲ ‘ସମ୍ବାଦ’କୁ କହିଛନ୍ତି।