କେନ୍ଦ୍ର-ରାଜ୍ୟ ଟଣାଓଟରା: ବଳିପଡ଼ିଛି ରେଳ ଷ୍ଟେସନ୍‌ ଉନ୍ନତୀକରଣ

ବର୍ଷେ ହେଲା ଏମ୍‌ଓୟୁ ହୋଇପାରୁନି

ଭୁବନେଶ୍ବର: ‌କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅହଂକାର ପାଇଁ ବଳିପଡ଼ିଯାଇଛି ଭୁବନେଶ୍ବର ରେଳ ଷ୍ଟେସନ୍‌ର ଉନ୍ନତୀକରଣ। ନା ରେଳ ମନ୍ତ୍ରଣାଳୟ ମୁଣ୍ଡ ନୁଆଁଉଛି ନା ରାଜ୍ୟ ସରକାର ନଉଁଛନ୍ତି। ସମସ୍ତେ ନିଜ ନିଜ ଜିଦ୍‌ରେ ଅଟଳ। ରାଜ୍ୟ ସରକାର ସବୁ ଶ୍ରେୟ ନେଇଯିବେ ଭାବି ରେଳ ମନ୍ତ୍ରଣାଳୟ ଜିଦ୍‌ରୁ ହଟୁ ନଥିବାବେଳେ ରାଜ୍ୟ ସରକାର ବି ସହଜରେ କେନ୍ଦ୍ର ସରକାରଙ୍କୁ ଶ୍ରେୟ ଦେବାକୁ ଚାହୁଁନାହାନ୍ତି। ଏହିଭଳି ଭାବେ କେହି କାହାକୁ ଶ୍ରେୟ ଦେବାକୁ ଚାହୁଁ ନଥିବାରୁ ଭୁବନେଶ୍ବରର ରେଳ ଷ୍ଟେସନର ଉନ୍ନତୀକରଣ ପାଇଁ ବ‌ର୍ଷେ ହେଲା ଏମ୍‌ଓୟୁ ହୋଇପାରୁନି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ ନେଇ ପରସ୍ପରକୁ ଦୋଷ ଲଦାଲଦି ହେଉଥିବାବେଳେ ଭୁବନେଶ୍ବର ରେଳ ଷ୍ଟେସନ୍‌ କ୍ଷେତ୍ରରେ ସମସ୍ତେ ଚୁପ୍‌। ଦୁଇ ଦୁଇ ଥର ଏମ୍‌ଓୟୁ ସ୍ବାକ୍ଷର ପାଇଁ ଦିନ ଧାର୍ଯ୍ୟ ହେବା ପରେ ବାତିଲ୍ ହୋଇଛି। ରାଜ୍ୟ ସରକାର ଏମ୍‌ଓୟୁ ସ୍ବାକ୍ଷର ପୂର୍ବରୁ କେତେକ ପରିବର୍ତ୍ତନ ଆବଶ୍ୟକ ବୋଲି କହିବା ସହ ଏହାକୁ ସଂଶୋଧନ କ‌ରିବାକୁ ପ୍ରସ୍ତାବ ଦେଲେ। ଏହା କାର୍ଯ୍ୟକାରୀ ବି ହେଲା। କିନ୍ତୁ କେନ୍ଦ୍ର ସରକାର ଆଉ କିଛି ସର୍ତ୍ତ ରଖି ଏହାକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇଲେ। ସେଥିରେ ବି ରାଜ୍ୟ ସରକାର ରାଜି ହେଲେ। ଏମ୍‌ଓୟୁ ପାଇଁ ଆଉ କାହା ପାଖରେ କିଛି କେଁ ନାହିଁ। ଅଢ଼େଇ ମାସ ହେଲା ସବୁ ବିବାଦର ସମାଧାନ ହୋଇଗଲାଣି। ହେଲେ ରେଳ ମନ୍ତ୍ରଣାଳୟ ଏମ୍‌ଓୟୁ କେବେ ଓ କେଉଁଠି ସ୍ବାକ୍ଷର ହେବ ତାହା ସ୍ଥିିର କରିପାରୁନି। କାହିଁକି ଏ ବିଳମ୍ବ ଏନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି। ହେଲେ ରାଜ୍ୟ ସରକାର ବି ତୁରନ୍ତ ଏମ୍‌ଓୟୁ ସ୍ବାକ୍ଷର କରିବାକୁ ନା କେନ୍ଦ୍ରକୁ ଚିଠି ଲେଖୁଛନ୍ତି ନା କିଛି ପଦକ୍ଷେପ ନେଉଛନ୍ତି। ପୂରା ଚୁପ୍‌ଚାପ୍ ବସି ଯାଇଛନ୍ତି।

କିଏ କେତେ ଦିନ ଗଡ଼େଇବ ଚାଲିଛି ପ୍ରତିଯୋଗିତା
ଏମ୍‌ଓୟୁ ସ୍ବାକ୍ଷର ବିଳମ୍ବ କରିବା ପାଇଁ କିଏ କେତେ ଦିନ ଗଡ଼ାଇପାରିବ ସେନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଚାଲିଛି। ରେଳ ମନ୍ତ୍ରଣାଳୟ ଫାଇଲ୍‌ ୪ମାସ ରଖିଲେ ରାଜ୍ୟ ସରକାର ଏହା ଠିକ୍ କି ଭୁଲ୍‌ କହିବାକୁ ୫ମାସ ସମୟ ନେଉଛନ୍ତି। କେନ୍ଦ୍ର ସରକାରଙ୍କ ସର୍ତ୍ତରେ ରାଜ୍ୟ ସରକାର ରାଜି ହେଲେ କେବେ ଏହାକୁ ଚୂଡ଼ା‌ନ୍ତ ରୂପ ଦିଆଯିବ ସେନେଇ କେନ୍ଦ୍ର ସରକାର ତିନି ମାସ ସମୟ ନେଉଛନ୍ତି। ଏମିତି ଦିନ ଗଡ଼େଇବାର ପ୍ରତିଯୋଗିତା ମଧ୍ୟରେ ଭୁବନେଶ୍ବର ରେଳ ଷ୍ଟେସନର ଭାଗ୍ୟ କେବେ ଖୋଲିବ ତାହା କାହାକୁ ଜଣାନାହିଁ। ଯେମିତି ଭୁବନେଶ୍ବର ରେଳ ଷ୍ଟେସନ୍‌ ଉନ୍ନତୀକରଣ ନେଇ ଜାନୁଆରି ୨୦, ୨୦୧୮ରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏବ˚ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ମଧୢରେ ଏମ୍‌ଓୟୁ ସ୍ବାକ୍ଷର ହେବାକୁ ଥିବାବେଳେ ଏହା ଶେଷ ମୁହୂର୍ତ୍ତରେ ବାତିଲ୍ ହୋଇଯାଇଥିଲା। ସେ ସମୟରେ ଏମ୍‌ଓୟୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏମ୍‌ଓୟୁ ସ୍ବାକ୍ଷର କରିବାକୁ ଥିବା ଖୋର୍ଦ୍ଧା ରୋଡ୍‌ ଡିଭିଜନର ରେଲେଵ ମ୍ୟାନେଜର ବ୍ରିଜମୋହନ ଅଗ୍ରଵାଲ ହଠାତ୍‌ ଅସୁସ୍ଥ ହୋଇଯିବାରୁ ଏମ୍‌ଓୟୁ ବାତିଲ୍‌ ହୋଇଗଲା। ଏହାପରେ ରେଳ ମନ୍ତ୍ରଣାଳୟ କହିଲା ଖୁବ୍ ଶୀଘ୍ର ଏମ୍‌ଓୟୁ ତାରିଖ ଧାର୍ଯ୍ୟ କରାଯିବ। ହେଲେ ନିଷ୍ପତ୍ତି ‌େନବାକୁ ୪ମାସ ନେଇଗଲେ। ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଏପ୍ରିଲ ୨୭, ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ମେ ୨୩ ତାରିଖରେ ରେଳ ଭବନରେ ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗଦେବାକୁ ଆମନ୍ତ୍ରଣ କଲେ। ଚିଠି ପାଇବା ପରେ ରାଜ୍ୟ ସରକାର ଚୁପ୍‌ ବସିଗଲେ। ଆଉ ମେ ୨୩ ତାରିଖ ଦିନ ହିଁ ଚିଠି ଲେଖାଗଲା ରାଜ୍ୟ ସରକାର ଦିଲ୍ଲୀରେ ଏମ୍‌ଓୟୁ ସ୍ବାକ୍ଷର କରିବାକୁ ଯିବେନି। ଏମ୍ଓୟୁ ଭୁବନେଶ୍ବରରେ ହିଁ ସ୍ବାକ୍ଷର ହେବ। ଏମ୍‌ଓୟୁରେ ଆବଶ୍ୟକୀୟ ପରିବର୍ତ୍ତନ କରାଗଲା, ଏହାକୁ ରେଳ ମନ୍ତ୍ରଣାଳୟ ଅନୁମୋଦନ କରି ଏମ୍‌ଓୟୁ ପାଇଁ ନୂଆ ତାରିଖ ଧାର୍ଯ୍ୟ କରୁ। ହେଲେ ଏଥିରେ ହଁ ଭରିବା ପାଇଁ ରେଳ ମନ୍ତ୍ରଣାଳୟ ତିନି ମାସ ସମୟ ନେଲେ । ଆଉ ଅଗଷ୍ଟ ୩୦ରେ ରାଜ୍ୟ ସରକାରଙ୍କ ସର୍ତ୍ତରେ ରାଜିହେବା ସହ ସାମାନ୍ୟ କିଛି ପରିବର୍ତ୍ତନ କରିବାକୁ କହିଲେ। ଏବେ ପାଳି ପଡ଼ିଲା ପୁଣି ରାଜ୍ୟ ସରକାରଙ୍କର। କେନ୍ଦ୍ର ସରକାର ସବୁଥିରେ ରାଜି ହେବା ପରେ ରାଜ୍ୟ ସରକାର ଯେବେ ଚାହିଁଥାନ୍ତେ ଏମ୍‌ଓୟୁ ସ୍ବାକ୍ଷର ହୋଇପାରିଥାନ୍ତା। କିନ୍ତୁ ଡିସେମ୍ବର ୧ରେ ରାଜ୍ୟ ସରକାର କେନ୍ଦ୍ର ସରକାର ପ୍ରସ୍ତାବ ଉପରେ ହଁ ଭରିଲେ। ଆଉ ଏମ୍‌ଓୟୁ ସ୍ବାକ୍ଷର ପାଇଁ ସଂପୂର୍ଣ୍ଣ ରାଜି ଅଛନ୍ତି ବୋଲି କହିଲେ। ଏହାପରେ ବି କେନ୍ଦ୍ର ସରକାରଙ୍କ ପାଖରେ ଏମ୍‌ଓୟୁ ସ୍ବାକ୍ଷର ପାଇଁ ସ୍ଥାନ, ଦିନ ଓ ସମୟ ଧାର୍ଯ୍ୟ କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଅଦୃଶ୍ୟ ଶକ୍ତିର ଚାପ ଭଳି ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସହମତି ପାଇବାର ଅଢ଼େଇ ମାସ ବିତି ଯାଇଥିଲେ ହେଁ ରେଳ ମନ୍ତ୍ରଣାଳୟ କିଛି ନିଷ୍ପତ୍ତି ନେଉନି। ଏନେଇ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ଉତ୍ତର ମିଳିଛି ଯେ, ରେଳ ମନ୍ତ୍ରଣାଳୟ ଖୁବ୍‌ ଶୀଘ୍ର ଏନେଇ ଜଣାଇବ। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଆଉ କେତେ ଦିନ?

ରାଜନୈତିକ ହସ୍ତକ୍ଷେପ ପାଇଁ ଏତେ ପାଲା
ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଆମେ ୭୦କୋଟି ଖର୍ଚ୍ଚ କରି ରେଳ ଷ୍ଟେସନର ଉନ୍ନତୀକରଣ କରୁଛୁ। ଅଥଚ ଓଡ଼ିଶା ସରକାର ସବୁ ଶ୍ରେୟ ନେବାକୁ ବସିଛନ୍ତି। ପୂବର୍ତଟ ରେଳପଥର ଜମି ଉପରେ କାମ ହେବ ଅଥଚ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହମତିରେ କାର୍ଯ୍ୟକ୍ରମ ହେଉନି। ଓଡ଼ିଶା ସରକାର ସବୁ ନିଜେ କରୁଛନ୍ତି ବୋଲି ପ୍ରଚାର କରୁଛନ୍ତି। ଏହା ଠିକ୍ ନୁହେଁ। ଏପଟେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆମେ ଆମ ଜମିରେ ଉନ୍ନତି ମୂଳକ କାର୍ଯ୍ୟ କରିବୁ। ରେଲଷ୍ଟେସନକୁ ପୂରା ନୂଆ ରୂପ ଦେବୁ। ସେଥିପାଇଁ ରେଳ ମନ୍ତ୍ରଣାଳୟ ଟଙ୍କାଟେ ଦେବନି। ଆମେ ରେଳ ମନ୍ତ୍ରଣାଳୟକୁ ଏକ ସୁନ୍ଦର ଓ ଅତ୍ୟାଧୁନିକ ରେଳ ଷ୍ଟେସନ ଉପହାର ଦେବୁ। କିନ୍ତୁ ଭୁବନେଶ୍ବରରେ ଆମ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମ୍ଓୟୁ ସ୍ବାକ୍ଷର କରିବାକୁ ସେମାନେ ଚାହୁଁନାହାନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜନୈତିକ ହସ୍ତକ୍ଷେପ ଯୋଗୁଁ ହିଁ ରେଳ ଷ୍ଟେସନ ଉନ୍ନତୀକରଣ ଏମ୍‌ଓୟୁ ଘୁଞ୍ଚିଘୁଞ୍ଚି ଯାଉଛି। ଯଦି କୌଣସି ପକ୍ଷର ରାଜନୈତିକ ଲୋକ ଉପସ୍ଥିତ ରହିବେନି ବୋଲି ସର୍ତ୍ତ ରହିବ ତେବେ ତୁରନ୍ତ ଏମ୍‌ଓୟୁ ସ୍ବାକ୍ଷର ହୋଇଯିବ। ଭୁବନେଶ୍ବରରେ ଏମ୍‌ଓୟୁ ସ୍ବାକ୍ଷର ହେଲେ ଓଡ଼ିଶା ସରକାର ଶ୍ରେୟ ନେଇଯିବେ, ଦିଲ୍ଲୀରେ ହେଲେ କେନ୍ଦ୍ର ସରକାର ଶ୍ରେୟ ନେଇଯିବେ ବୋଲି ଉଭୟ ପକ୍ଷ ଭାବୁଥିବାରୁ କେହି ଏମ୍‌ଓୟୁ ସ୍ବାକ୍ଷର କରାଇ ଦେଉନାହାନ୍ତି। ଏହି ଏମ୍‌ଓୟକୁ ଯଦି ଜଣେ ଅଧିକାରୀ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାକ୍ଷର କରିଦେବେ ଏବଂ ଏହାକୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ପଠାଯିବ ତେବେ ସେଥିରେ ବି ସେ ସ୍ବାକ୍ଷର କରିଦେବେ। ଏହାପରେ ଯାହା କାମ ହେବାର ଅଛି ହେବ। ଏଥିରେ କିଛି ଅସୁବିଧା ନାହିଁ। କିନ୍ତୁ ରାଜନୈତିକ ଫାଇଦା ନେବା ପାଇଁ ଉଭୟ ପକ୍ଷ ଜିଦ୍‌ରେ ଅଟଳ ଥିବାରୁ କିଛି ହୋଇପାରୁନି। ଏପରିକି ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଗଲେ ଏହି ଏମ୍‌ଓୟୁ ତୁରନ୍ତ ସ୍ବାକ୍ଷର ହୋଇଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର