ଭୁବନେଶ୍ବର: ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ମନ୍ଦିରଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟୟବରାଦ ହୋଇଥିବା ସମସ୍ତ ୧୫ କୋଟି ଟଙ୍କା ଖର୍ଚ୍ଚ ନହୋଇ ଅର୍ଥ ବିଭାଗକୁ ଫେରିଗଲା। ଚଳିତ ବର୍ଷ ପୁଣି ୧୫ କୋଟି ଆସିଲା। ହେଲେ ୩ ମାସ ପରେ ବି ଏଯାଏ ଟଙ୍କାଟିଏ ଖର୍ଚ୍ଚ ହୋଇନାହିଁ। ଏହାକୁ ନେଇ ଐତିହ୍ୟ ଗବେଷକ ଉଦ୍‌ବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ରାଜଧାନୀରେ ଥିବା ଶତାଧିକ ଐତିହ୍ୟ ମନ୍ଦିର ମଧ୍ୟ ଅବହେଳିତ। ତ୍ରୟୋଦଶ ଶତାବ୍ଦୀର ଐଶାନେଶ୍ବର ମନ୍ଦିର, ଚତୁର୍ଦ୍ଦଶ ଶତାବ୍ଦୀର ମଙ୍ଗଳେଶ୍ବର ମନ୍ଦିର, ଭବାନୀଶଙ୍କର ମନ୍ଦିର, ଡାକରା ଭୀମେଶ୍ବର, ନୀଳକଣ୍ଠେଶ୍ବର, ମୋହିନୀ ମନ୍ଦିର, ସୁବର୍ଣ୍ଣ ଜଳେଶ୍ବର ଭଳି ଶତାଧିକ ମନ୍ଦିର ଅବସ୍ଥା ଭଲ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି, ପାର୍ଶ୍ବଦେବଦେବୀ ଚୋରି ହୋଇଛି। ବଣ ଜଙ୍ଗଲ ଭିତରେ ମନ୍ଦିର ସବୁ ନିଜର ସ୍ଥିତି ଖୋଜୁଛି। ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀନରେ ଥିବା ୨୧୩ଟି ସଂରକ୍ଷିତ ଓ ୩ ହଜାରୁ ଅଧିକ ଅଣସଂରକ୍ଷିତ ମନ୍ଦିରର ଅବସ୍ଥା ଭଲ ନାହିଁ। ରାଜ୍ୟ ପ୍ରତ୍ନତତ୍ତ୍ବ ତାଲିକାରେ ୩ ହଜାରରୁ ଅଧିକ ମନ୍ଦିର ଥିବା ବେଳେ ବର୍ଷକୁ ମାତ୍ର ୫୦ଟି ମନ୍ଦିରର ରକ୍ଷଣାବେକ୍ଷଣ କାମ ହୋଇପାରୁନାହିଁ।  
ଏହାକୁ ନେଇ ଓଡ଼ିଶା ଐତିହ୍ୟ ସୁରକ୍ଷା ପରିଷଦ ପକ୍ଷରୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ୨୦୨୪-୨୫ ବର୍ଷରେ କାହିଁକି  ମନ୍ଦିର କାମ ନକରି ପ୍ରତ୍ନତତ୍ତ୍ବ ବିଭାଗ ଟଙ୍କା ଫେରାଇଲା, ତା’ର ତଦନ୍ତ କରିବା ସହ ଓଡ଼ିଶାରେ ଥିବା ସମସ୍ତ ମନ୍ଦିରର ସଂରକ୍ଷଣ ପାଇଁ ଅଧିକ ବ୍ୟୟବରାଦ କରିବାକୁ ଦାବି କରିଛି। ଏଥିସହ ତୁରନ୍ତ ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ଗଠନ କରିବାକୁ ଦାବି ହୋଇଛି। ସେହିପରି ଐତିହ୍ୟ ସଂରକ୍ଷଣ ଦିଗରେ କାର୍ଯ୍ୟରତ ‘ଇନ୍‌ଟାକ୍’ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଐତିହ୍ୟ ଗବେଷକ ଅନୀଲ ଧୀର କହିଛନ୍ତି, ଓଡ଼ିଶାରେ ୧୨ ହଜାରରୁ ଅଧିକ ଐତିହ୍ୟପୂର୍ଣ୍ଣ ମନ୍ଦିର ଅଛି। ‘ଇନ୍‌ଟାକ୍‌’ ପକ୍ଷରୁ ୧୯ଟି ଜିଲ୍ଲାରେ ସର୍ଭେ କରାଯାଇ ୬୫୦୦ ମନ୍ଦିରର ନଥି ପ୍ରସ୍ତୁତ କରାଯାଇଛି। କିନ୍ତୁ ରାଜ୍ୟ ପ୍ରତ୍ନତତ୍ତ୍ବ ଏ ଦିଗରେ ସଚେତନ ନୁହେଁ। ୩ ଦଶନ୍ଧିରୁ ଅଧିକ ସମୟ ହେବ ଓଡ଼ିଶାରେ ପ୍ରତ୍ନତାତ୍ତ୍ବିକ ଖନନ କରାଯାଇନାହିଁ। ଓଡ଼ିଶାରେ ପ୍ରାୟ ମନ୍ଦିର ଦୟନୀୟ ଅବସ୍ଥାରେ ରହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଅଧିକ ଟଙ୍କା ଆଣି ଖର୍ଚ୍ଚ କରିବା ପରିବର୍ତ୍ତେ କାମ କରି ନପାରି ଟଙ୍କା ଫେରାଇ ଦେଇଛନ୍ତି। ଏବେ ନିର୍ଦ୍ଦେଶାଳୟ ଗଠନ ତ ଦୂରର କଥା, ଅଧୀକ୍ଷକ ବି ନିଯୁକ୍ତି ହୋଇପାରୁ ନାହାନ୍ତି।