ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ‘ବର୍ଷା’ ଉଦ୍‌ଘାଟିତ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ପୁରୀଠାରେ ଥିବା ଏକାଡେମିର ଆଞ୍ଚଳିକ ଆର୍ଟ ଗ୍ୟାଲେରିଠାରେ ଏକ ଚିତ୍ରକଳା ପ୍ରଦର୍ଶନୀ ‘ବର୍ଷା’ ଉଦ୍‌ଘାଟିତ ହୋଇଯାଇଛି। ବରିଷ୍ଠ ଚିତ୍ରଶିଳ୍ପୀ ବିଜୟ କୁମାର ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରି କହିଲେ, ବର୍ଷାଋତୁର ବିଭିନ୍ନ ଘଟଣାବଳୀକୁ ନେଇ ଶିଳ୍ପୀମାନଙ୍କ ଦ୍ବାରା ଅଙ୍କିତ ଏହି ସୃଜନଶୀଳ ଛବିଗୁଡ଼ିକ ପୁରୀ ବାସିନ୍ଦା ଓ ପର୍ଯ୍ୟଟକମାନଙ୍କୁ ବେଶ୍‌ ଆକର୍ଷିତ କରିବ।

YouTube

ପ୍ରାରମ୍ଭରେ ଏକାଡେମିର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରି କହିଲେ, ପ୍ରଦର୍ଶନୀ‌ରେ ଏକାଡେମିର ସଂଗୃହୀତ ୪୦ ଜଣ ଶିଳ୍ପୀଙ୍କ ଛବିକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି। ଶିଳ୍ପୀମାନେ ନିଜନିଜ ଚିତ୍ରରେ ବର୍ଷାଋତୁରେ ଓଡ଼ିଶାର ବିଭିନ୍ନ୍ର ପର୍ଯ୍ୟଟନ ସ୍ଥାନର ଦୃଶ୍ୟ, ବର୍ଷାଋତୁରେ ମୟୂର ମୟୂରୀଙ୍କ ନୃତ୍ୟ, ବର୍ଷାରେ ପିଲାଙ୍କ ପାଣି ଖେଳ, କାଗଜ ଡଙ୍ଗା, ଏମିତି ଅନେକ ଚିତ୍ରରେ ଶିଳ୍ପୀମାନେ ବର୍ଷାଋତୁକୁ ନିଜ ନିଜ ଢଙ୍ଗରେ ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି। ଏହି ପ୍ରଦର୍ଶନୀ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଗ୍ୟାଲେରି ତତ୍ତ୍ବାବଧାରକ ସତ୍ୟ ପାଢ଼ୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର