ଭୁବନେଶ୍ୱର: ୭ ଜଣ ପଜିଟିଭ ଚିହ୍ନଟ ପରେ ଭୁବନେଶ୍ୱର ୟୁନିଟ-୧ରେ ଥିବା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାକୁ ସିଲ କରିଛି ବିଏମସି ବା ଭୁବନେଶ୍ୱର ମହାନଗର ନିଗମ | ମିଳିଥିବା ସୂଚନା ମୁତାବକ ଏହି ବ୍ୟାଙ୍କ ଶାଖାରୁ ୭ ଜଣ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଆଜିଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ(୪୮ ଘଣ୍ଟା) ପାଇଁ ଏହି ଶାଖାକୁ ସିଲ କରିଛି |

Advertisment

ବିଏମସି ପକ୍ଷରୁ କୁହାଯାଇଛି ଯେ ୟୁନିଟ ୧ ଷ୍ଟେଟ ବ୍ୟାଙ୍କ ଶାଖାର ତଳ ମହଲା ଓ ପ୍ରଥମ ମହଲାକୁ ସିଲ କରାଯାଇଥିବାବେଳେ କେହି ବି ବ୍ୟାଙ୍କ ମଧ୍ୟକୁ ଯାଇପାରିବେ ନାହିଁ | ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏହି ଶାଖାରୁ ୭ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ତୁରନ୍ତ ଏହାକୁ ସିଲ୍ କରିବା ସହିତ କଂଟାକ୍ଟ ଟ୍ରେସିଂ ଆରମ୍ଭ କରିଛି । ତେବେ ଏଠାକାର କର୍ମଚାରୀ କେମିତି କୋଭିଡ୍ ସଂକ୍ରମିତ ହେଲେ ସେନେଇ କଂଟାକ୍ଟ ଟ୍ରେସିଂ ପରେ ହିଁ ସୂଚନା ମିଳିପାରିବ ।

ସେହିପରି ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ନିଜ ଘରେ ଆଇସୋଲେସନରେ ରହିବା ସହ ଚିକିତ୍ସା ଆବଶ୍ୟକ ହେଲେ ବିଏମସିକୁ ଯୋଗାଯୋଗ କରିବେ | ସେହିପରି ଆସନ୍ତା ୬ ତାରିଖରେ ବ୍ୟାଙ୍କ ପରିସରରେ ଏକ ଆରଟିପିସିଆର ଟେଷ୍ଟ କ୍ୟାମ୍ପ ଆୟୋଜନ କରାଯାଇଛି | ସୂଚନା ଥାଉ କି ଆଜି ଖୋର୍ଦ୍ଧା ଜିଲ୍ଲାରୁ ୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |