ଭୁବନେଶ୍ବର: ଉତ୍କଳର ଯୋଗ୍ୟ ଦାୟାଦଙ୍କୁ ଶ୍ରଦ୍ଧାଞ୍ଜଳି ତଥା ତାଙ୍କ ସ୍ମୃତିରକ୍ଷା କ୍ଷେତ୍ରରେ ଅନେକାଂଶରେ ଅବହେଳା କରାଯାଉଛି। ଯେଉଁ ବୀରମାନେ ଜୀବନବ୍ୟାପୀ ତ୍ୟାଗ, ତିତିକ୍ଷା, ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି, ସେମାନେ ଲୋକଲୋଚନକୁ ଆସିପାରୁନାହାନ୍ତି। ତେଣୁ ଉତ୍କଳ ମାଟିର ସେହି ବୀର ସନ୍ତାନଙ୍କ କଥା ପାଠ୍ୟପୁସ୍ତ‌କରେ ସ୍ଥାନ ପାଇଲେ, ବର୍ତ୍ତମାନର ପିଢ଼ି ସେମାନଙ୍କୁ ଜାଣିବାର ସୁଯୋଗ ପାଇବେ। ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ ଓ ବିପ୍ଳବୀ ଚକ୍ରଧର ବେ‌ହେରା ଭଳି ବରପୁତ୍ରଙ୍କୁ ଯୁବପିଢ଼ି ନିହାତି ଜାଣିବା ଆବଶ୍ୟକ। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଆଜି ଏହା କହିଛନ୍ତି। ଶ୍ରୀ ସାମଲ ଆହୁରି କହିଛନ୍ତି, କନିକା ରାଜାଙ୍କ ଅତ୍ୟାଚାର ବିରୋଧରେ ସ୍ବର ‌ଉତ୍ତୋଳନଠାରୁ ଆରମ୍ଭ କରି ପ୍ରଜାମେଳି କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବିପ୍ଳବୀ ଚକ୍ରଧର। ହେଲେ ତାଙ୍କୁ ସେହି ଅଞ୍ଚଳରେ ଯେତିକି ସମ୍ମାନ ମିଳିବା କଥା, ତାହା ମିଳି ପାରିନାହିଁ।

Advertisment

ମୁଖ୍ୟବକ୍ତା ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ବିପ୍ଳବର ନୂଆ ପରିଭାଷା ଶିଖାଇବା ପାଇଁ ଜଣେ ଜଣେ ମଣିଷ ଧରାପୃଷ୍ଠକୁ ଆସିଥା’ନ୍ତି। ବୀର, ସାହସୀ ତଥା କନିକାର ଗାନ୍ଧୀ କୁହାଯାଉଥିବା ଚକ୍ରଧର ବେହେରା ଥିଲେ ସେହିଭଳି ଜଣେ ବ୍ୟକ୍ତି। ସେ ସମୟରେ ମାଟ୍ରିକ୍‌ ପାସ୍‌ କରି ସେ ରାଜାଙ୍କ ପାଖରେ ଚାକିରି କରିଥିଲେ। ହେଲେ ରାଜାଙ୍କ କ୍ରୂରତା ବିଷୟରେ ଜାଣି ସେ ଚାକିରି ଛାଡ଼ି ପ୍ରଜା ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଆନ୍ଦୋଳନ ପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ମାଡ଼ ମାରି ତାଙ୍କ ହାତର ଆଙ୍ଗୁଳି ସବୁକୁ ବଙ୍କା କରିଦିଆଯାଇଥିଲା। ଏମିତିକି ତାଙ୍କୁ ଜୀବନରୁ ମାରି ଦେବାକୁ ଅନେକବାର ଉଦ୍ୟମ ହୋଇଥିଲା। ହେଲେ ସେ ହାର୍‌ ମାନି ନଥିଲେ। ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲୋକଙ୍କ ପାଇଁ କାମ କରିଥିଲେ।

ବିପ୍ଳବର ନୂଆ ପରିଭାଷା ଶିଖାଇଥିଲେ ଚ୍ରକଧର‌: ଗୌରହରି
ରାଜତନ୍ତ୍ରର ସଂହାର କରିଥିଲେ ବିପ୍ଳବୀ ଚକ୍ରଧର: ସୂରଜ

ସମ୍ମ‌ାନିତ ଅତିଥି ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ କହିଲେ, ଚକ୍ରଧର ଥିଲେ କନିକାର କୃଷ୍ଣ। ତାଙ୍କ ସୁଦର୍ଶନ ଚକ୍ରରେ ସେ ରାଜତନ୍ତ୍ରକୁ ଧ୍ବଂସ କରିବାରେ ସକ୍ଷମ ହୋଇଥିଲେ। ହେଲେ ସରକାରୀସ୍ତରରେ ତାଙ୍କୁ ଯେତିକି ଗୁରୁତ୍ବ ମିଳିବା କଥା, ମିଳିପାରିନାହିଁ। ଅନ୍ୟତମ ଅତିଥି ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ କସ୍ତୁରୀ ମହାପାତ୍ର କହିଲେ, ଚକ୍ରଧରଙ୍କ ଜୀବନ କାହାଣୀ ସର୍ବଦା ଇତିହାସରେ ଲିପିବଦ୍ଧ ହୋଇ ରହିବ। ସେ ‌ଜ‌ଣେ ସ୍ବାଭିମାନୀ ଓ ସାଲିସବିହୀନ ନେତା ଥିଲେ। ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ସ୍ବାଗତ ଭାଷଣ ଓ ଉପ ନିର୍ଦ୍ଦେଶକ ସନ୍ତୋଷ ଦାସ ଧନ୍ୟବାଦ ଦେଇଥିଲେ। ଲୋକସଂପର୍କ ଅଧିକାରୀ ସୁଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସକାଳେ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜଭବନ ନିକଟସ୍ଥ ଚକ୍ରଧର ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ଆଚାର୍ଯ୍ୟବିହାର ପରିଷଦର ସଭାପତି ଭାଗବତ ପ୍ରସାଦ ଦାସ ସ୍ବର୍ଗତ ବେହେରାଙ୍କୁ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।