ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଉଦ୍‌ଘାଟିତ

ଲେଖକ, ପ୍ରକାଶକ ଓ ପାଠକ ବିନା ପୁସ୍ତକର ମୂଲ୍ୟାୟନ ଅସମ୍ଭବ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସହଯୋଗରେ ଆଜି ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’। ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶ୍ରୀ ବେହେରା କହିଲେ, ପୁସ୍ତକ ମେଳା ହେଉଛି ଲେଖକ, ପ୍ରକାଶକ ଓ ପାଠକର ତ୍ରିବେଣୀ ସଂଗଠନ। ଏହା ଭିତରୁ କୌଣସିଟିର ଅଭାବ ରହିଲେ ପୁସ୍ତକର ମୂଲ୍ୟାୟନ ସମ୍ଭବ ନୁହେଁ। ଆଜିର ପରିପ୍ରେକ୍ଷୀରେ ପାଠକର ଅଭାବ ଦେଖା ଦେଇଥିବା ବେଳେ ଅଧିକରୁ ଅଧିକ ପାଠକ ସୃଷ୍ଟି କରିବା ଉପରେ ଗୁରୁତ୍ବ ଦିଆଯିବା ଜରୁରୀ। ପାଠକ ପଢ଼ିଲେ ପାଠକୀୟ ଆଦୃତି ବଢ଼ିବ ବୋଲି ଶ୍ରୀ ବେହେରା କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା କହିଲେ, ରାଜ୍ୟର ବିଭିନ୍ନ ସ୍ଥାନରେ ପୁସ୍ତକ ମେଳା ଆୟୋଜିତ ହେଉଛି। ପୁସ୍ତକ ମେଳାର ଆକର୍ଷଣ କମି ନାହିଁ। ଓଡ଼ିଆ ଶବ୍ଦକୋଷରେ ବହୁତ ଶବ୍ଦ ରହିଛି। ମାତ୍ର ତାହା ଆମ ସାହିତ୍ୟ ଭିତରକୁ ଆସିପାରି ନାହିଁ। ମନୁଷ୍ୟ ବ୍ୟବହାର କରୁଥିବା ଯେ କୌଣସି ଶବ୍ଦକୁ ଗ୍ରହଣ କରିବା ଜୁରରୀ ବୋଲି ଶ୍ରୀ ହୋତା ମତବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ ବିଭାଗର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ କହିଲେ, ପୁସ୍ତକର ଅତୀତ ଥିଲା, ବର୍ତମାନ ଅଛି ଓ ଭବିଷ୍ୟତ ମଧ୍ୟ ରହିବ। ପୁସ୍ତକ ଗୋଟିଏ ଜାତିକୁ ଉଦ୍‌ବୁଦ୍ଧ କରିବା ସହିତ ଜଣେ ବ୍ୟକ୍ତିକୁ ଉତ୍ତରିତ କରିଥାଏ। କ୍ରୀତଦାସ ପ୍ରଥାକୁ ହଟାଇବାରେ ପୁସ୍ତକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ରାମାୟଣ, ମହାଭାରତ ଓ ସମ୍ବିଧାନ ଆମ ଦେଶକୁ ବାନ୍ଧି ରଖିଛି। ପୁସ୍ତକକୁ ବାଦ୍ ଦେଇ ବ୍ୟକ୍ତି କିମ୍ବା ଜାତି ବଞ୍ଚିପାରିବ ନାହିଁ ବୋଲି ଶ୍ରୀ ନାୟକ ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅହମିଆ ଲେଖକ ଲକ୍ଷ୍ମୀନନ୍ଦନ ବୋରା ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ପ୍ରକାଶିତ ଫକୀରମୋହନ ସେନାପତିଙ୍କ ଦ୍ବାରା ଲିଖିତ(ଗଳ୍ପସ୍ବଳ୍ପ) ତଥା ରାଧାକାନ୍ତ ମିଶ୍ରଙ୍କ ଦ୍ବାରା ହିନ୍ଦୀରେ ଅନୂଦିତ ‘ଗପସପ’ ପୁସ୍ତକ ଲୋକାର୍ପିତ ହୋଇଥିଲା। ଏହାସହ ଅନ୍ୟାନ୍ୟ ଲେଖକ/ଲେଖିକାଙ୍କ ପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଥିଲା। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ତମସାରାଣୀ ଦାସମହାପାତ୍ର ଧନ୍ୟବାଦ ଦେଇଥିଲେ। ମହୋତ୍ସବରେ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ବିକ୍ରେତାଙ୍କୁ ମିଶାଇ ୩ଶହ ଷ୍ଟଲ ଖୋଲିଛି। ଏହା ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର