ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀ ବସ୍ ସେବା’କୁ ସୁଦୃଢ଼ କରାଯିବ। ରାଜ୍ୟର ସବୁ ଅଞ୍ଚଳରେ ଏହି ବସ୍ ଗଡ଼ିବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ଆଜି କ୍ୟାବିନେଟ୍ ମୋହର ବାଜିଛି। ଓଏସ୍ଆର୍ଟିସି ବସ୍ଗୁଡ଼ିକର ପରିଚାଳନା ଦାୟିତ୍ବ ନେଇଛି। ଏହା ଦ୍ବାରା ଗ୍ରାମୀଣ ଯାତାୟାତ ବ୍ୟବସ୍ଥା ମଜଭୁତ ହେବ ବୋଲି ସରକାର ଆଶା ରଖିଛନ୍ତି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ମୋଟ୍ ୮ଟି ପ୍ରସ୍ତାବ ପାରିତ ହୋଇଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ବସ୍ସେବାକୁ ବ୍ୟବସ୍ଥିତ ଢଙ୍ଗରେ ସାରା ରାଜ୍ୟରେ ପରିଚାଳନା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୩୨-୩୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ସେବା ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହି ସେବା ରାଜ୍ୟର ପ୍ରତ୍ୟେକ ବ୍ୟବସାୟ କେନ୍ଦ୍ର, ଶିକ୍ଷା ଓ ସ୍ବାସ୍ଥ୍ୟ ଅନୁଷ୍ଠାନ, ଦର୍ଶନୀୟ ସ୍ଥାନ ସହିତ ସଂଯୁକ୍ତ ହେବ। ମହିଳା, ତୃତୀୟ ଲିଙ୍ଗୀ, ଛାତ୍ର, ଭିନ୍ନକ୍ଷମ ବ୍ୟକ୍ତି ଓ ବରିଷ୍ଠ ନାଗରିକଙ୍କ ପାଇଁ ଉଭୟ ଏସି ଓ ନନ୍-ଏସି ବସ୍ ଭଡ଼ାରେ ୫୦% ରିହାତି ମିଳିବ। ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ ଅଧିକ ସଂଖ୍ୟକ ସ୍ଥାନୀୟ ନିଯୁକ୍ତି ସୃଷ୍ଟି ସାଙ୍ଗକୁ ସମନ୍ବିତ ପରିବହନ ବ୍ୟବସ୍ଥା ମାଧ୍ୟମରେ କ୍ଷୁଦ୍ରଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବସ୍ଗୁଡ଼ିକରେ ସିସିଟିଭି କ୍ୟାମେରା, ଲାଇଭ୍ ଭ୍ୟାନ୍ ବ୍ୟବସ୍ଥା, ଯାତ୍ରୀ ସୂଚନା ବ୍ୟବସ୍ଥା ଇତ୍ୟାଦି ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ହେବ। ଲୋକଙ୍କ ଆବଶ୍ୟକତା ଓ ନିୟମିତ ସମୀକ୍ଷା ଆଧାରରେ ଏହି ସେବାର ସମ୍ପ୍ରସାରଣ କରାଯିବ।
ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ ପାଇଁ ହଜାରେ କୋଟି
ଗାଁ ରାସ୍ତା ପାଇଁ ୩ ବର୍ଷରେ ୪୨୬ କୋଟି
ବିପର୍ଯ୍ୟୟ ସମୟରେ ଓ ପରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାରେ ଯେପରି ବ୍ୟାଘାତ ସୃଷ୍ଟି ନହୁଏ, ତାହାକୁ ଲକ୍ଷ୍ୟ ରଖି ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା- ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ଯୋଜନା ଆରମ୍ଭ ହୋଇଛି। ଆଜି ଏଥିରେ କ୍ୟାବିନେଟ୍ ମୋହର ବାଜିଛି। ବିପର୍ଯ୍ୟୟ ସମୟରେ ଓ ପରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ସୁରୁଖୁରୁରେ କରିବା ପାଇଁ ସଡ଼କ ଭିତ୍ତିଭୂମି ନିର୍ମାଣ କରାଯିବ। ଏହି ସଡ଼କଗୁଡ଼ିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଜୀବନରେଖା ଭାବେ କାର୍ଯ୍ୟ କରିବ। ସର୍ବନିମ୍ନ ରକ୍ଷଣାବେକ୍ଷଣ ସହିତ ବିପର୍ଯ୍ୟୟରୁ ହେଉଥିବା କ୍ଷତି ସହି ଯଥେଷ୍ଟ ସ୍ଥାୟୀ ରହିବ। ଏହି ଯୋଜନାରେ ପାଞ୍ଚଟି ଆର୍ଥିକ ବର୍ଷରେ ୫୦୦ କିଲୋମିଟର ନୂ୍ଆ ରାସ୍ତା ନିର୍ମାଣ କରିବା ପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
୩୦ଟି ଜିଲ୍ଲାର ୧୪୨ଟି ନିର୍ବାଚନମଣ୍ଡଳୀରେ ଥିବା ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ ଓ ପୁରୁଣା ସଡ଼କର ଉନ୍ନତୀକରଣ ପାଇଁ ‘ନିର୍ବାଚନମଣ୍ଡଳୀ ୱାରି ଅର୍ଥ ବ୍ୟବସ୍ଥା’ ଆରମ୍ଭ ହୋଇଛି। ୨୦୨୪-୨୫ରୁ ୨୦୨୬-୨୭ ମଧ୍ୟରେ ଏଥି ପାଇଁ ୪୨୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଜି ଏହି ଯୋଜନା କ୍ୟାବିନେଟ୍ ସ୍ବୀକୃତି ପାଇଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି, ୧୪୨ଟି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ସଡ଼କଗୁଡ଼ିକର କୌଣସି କାରଣରୁ ରହିଯାଇଥିବା ଅଂଶ କିମ୍ବା ଉନ୍ନତି ଆବଶ୍ୟକ କରୁଥିବା ଅଂଶର ଉନ୍ନୀତକରଣ କରାଯିବ। ଏହା ଦ୍ବାରା ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବଜାର ଓ ପର୍ଯ୍ୟଟନସ୍ଥଳୀ ସହିତ ଉତ୍ତମ ସଂଯୋଗୀକରଣ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି।
ଓଡ଼ିଶା ବେସାମରିକ ସେବା (ପେନ୍ସନ) ନିୟମାବଳୀ, ୧୯୯୨ରେ ସଂଶୋଧନ ପ୍ରସ୍ତାବ କ୍ୟାବିନେଟ୍ରେ ପାରିତ ହୋଇଛି। ‘ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା(ନିଯୁକ୍ତି ସର୍ତ୍ତାବଳୀ) ନିୟମ, ୨୦୨୪କୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଏହି କ୍ୟାଡର୍ରେ ୧୧୩ଟି ନୂଆ ପଦବି ସୃଷ୍ଟି କରାଯାଇ ଏହାର କ୍ଷମତା ୪,୦୪୫ରୁ ୪,୧୫୮କୁ ବୃଦ୍ଧି କରାଯାଇଛି।