୮ ଶିଳ୍ପୀଙ୍କୁ ରାଜ୍ୟ ଚାରୁକଳା ପୁରସ୍କାର

ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ଓ ପୁରସ୍କାର ପ୍ରଦାନ ଉତ୍ସବ ରାଜଭବନରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ୩୮ତମ ଉତ୍ସବରେ ଶିଳ୍ପୀ ବରୁଣ ବେହେରା, ବିଶ୍ବଜିତା ମହାରଣା, ହୃଷୀକେଶ ବିଶ୍ବାଳ, ଜ୍ୟୋତିପ୍ରକାଶ ପ୍ରଧାନ, ମାୟାଧର ସାହୁ, ନୀର ଜାନି, ନିରଂଜନ ମହାପାତ୍ର ଓ ସତ୍ୟରଂଜନ ଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା। ୫୦ ହଜାର ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ, ପ୍ରମାଣପତ୍ର ଓ ଉପ‌ଢ଼ୌକନ ଦେଇ ପୁରସ୍କୃତ କରାଯାଇଥିଲା।

ରାଜ୍ୟପାଳ ପ୍ରଫେସର ଡ.ଗଣେଶୀ ଲାଲ, ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ, ଯୁଗ୍ମ ଶାସନ ସଚିବ ମନସ୍ବିନୀ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏକାଡେମିର ସଭାପତି ଡ. ସୁଦର୍ଶନ ପଟ୍ଟନାୟକ ପୁରସ୍କାର ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଉପସ୍ଥିତ ଥିଲେ। ଏହି ପୁରସ୍କାର ପାଇଁ ୩୬୮ ଶିଳ୍ପୀଙ୍କଠାରୁ ୬୧୫ଟି ଫଟୋଗ୍ରାଫ୍‌ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୮ଜଣଙ୍କୁ ସେମାନଙ୍କର ଶ୍ରେଷ୍ଠ କଳାକୃତି ନିମନ୍ତେ ପୁରସ୍କୃତ କରିବାକୁ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଓଡ଼ିଶାର ବିଭିନ୍ନ ଚାରୁକଳା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏ‌ହି ଅବସରରେ ବୁଦ୍ଧ ଆର୍ଟ ଗ୍ୟାଲେରିରେ ଏକ ଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିବା ବେଳେ ଏହା ଆସନ୍ତା ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ଏକାଡେମିର ସଚିବ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର